ଗୋରୁ ଚାଲାଣ ସନ୍ଦେହରେ ପିକ୍‌ଅପ୍ ଭ୍ୟାନ ଭଙ୍ଗାରୁଜା |

92

କଟକ (ଉତ୍କଳ ନ୍ୟୁଜ ) ୧୯-୦୪-୨୦୨୪ : ଗୋରୁ ଚାଲାଣ ସନ୍ଦେହରେ ପିକ୍‌ଅପ୍ ଭ୍ୟାନ ଭଙ୍ଗାରୁଜା । ଥାନା ସମ୍ମୁଖରେ ଏମିତି ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ । ଘଟଣାକୁ ନେଇ ସାରା ତିହିଡି ଏବେ ଚର୍ଚ୍ଚାରେ । ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରରେ ବିଜୟା ଦଶମୀ ଅବସରେ ପ୍ରଜ୍ଞାପନ ମେଢ ଶୋଭାଯାତ୍ରା ଚାଲିଥିଲା । ସବୁ ଠିକ୍‌ଠାକ୍ ଥିଲା ଏବଂ ଶାନ୍ତି ଶୃଙ୍ଖଳା ସହକାରେ ଶୋଭାଯାତ୍ରା ମଧ୍ୟ ଚାଲିଥିଲା ଠିକ୍ ଏତିକି ବେଳେ ଏକ ଗୋରୁ ବୋଝେଇ ଗାଡି(ପିକ୍‌ଅପ ଭ୍ୟାନ୍‌) ଥାନା ଅତିକ୍ରମ କରୁଥିବା ବେଳେ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ‘ହେଇରେ ଗୋରୁ ବୋଝେଇ ଗାଡି ଯାଉଛି ଅଟକାଅ’ରେ ବୋଲି ଆୱାଜ ଆସିଥିଲା । ସଂଗେସଂଗେ ମାଡି ଆସିଥିଲେ ଶହଶହ ଲୋକେ । ଆଉ କାଳ ବିଳମ୍ବ ନକରି ଗାଡିରୁ ଗୋରୁଗୁଡିକୁ ଖୋଲିଦେଇ ରାସ୍ତା ଉପରେ ଗାଡିକୁ ଓଲଟାଇ ଦେଲେ । ପୋଲିସ ଅଟକାଇ ଥିଲେ ମଧ୍ୟ କୌଣସି ପ୍ରଭାବ ପଡିନଥିଲା । ଭିଡ ମଧ୍ୟରେ ଉତ୍ୟକ୍ତ ଲୋକେ ଚାଳକଙ୍କ ଠାରୁ ଗୋରୁ କିଣାର ରସିଦ୍ ନେଇ ଚିରି ଫିଙ୍ଗି ଦେଇଥିଲେ । ଚାଳକ ଓ ଖଲାସିଙ୍କୁ ମାରଧର କରୁଥିବା ବେଳେ ପୋଲିସ ଧସେଇ ପଶି ଉଦ୍ଧାର କରିଥିଲା ଏବଂ କିଛି ସମୟ ମଧ୍ୟରେ ଗାଡିକୁ ଥାନା ଭିତରକୁ ନେଇ ଯାଇଥିଲା । ରାତି ଏକ ଘଟିକାରୁ ପ୍ରାୟ ଦୁଇ ଘଣ୍ଟାକାଳ ଏପରି ନାଟକବାଜି ଚାଲିଥିଲା । ଉକ୍ତ ଗାଡିଟି ଏକ ଫାର୍ମ ହାଉସରୁ ୩ଟି ଗାଈ ବାଛୁରୀ କିଣି ଭଦ୍ରକ ଅଭିମୁଖେ ଯାଉଥିବା ଜଣା ପଡିଥିଲା । କୌଣସି ବେପାରୀ ନୁହଁ କି ଅଣହିନ୍ଦୁ ମଧ୍ୟ ନଥିଲେ ଗୋରୁ ମାଲିକ । ପୋଲିସ ଯେତେ ବୁଝାଇଥିଲେ ମଧ୍ୟ କେହି ଶୁଣିନଥିଲେ । ଘଟଣା ଏତିକିରେ ସରିନଥିଲା । ଘଟଣା ପରେ ଗୋରୁଗୁଡିକୁ ଖୋଜା ଯାଇଥିଲା । କିଛି ସମୟରେ ମଧ୍ୟରେ କେତେକ ଯୁବକ କେଉଁଆଡୁ ୩ଟି ଗୋରୁକୁ ଧରିଆଣି ଥାନାରେ ଜିମା ଦେଇଥିଲେ । ରାତି ପାହିବା ପରେ ତିହିଡି ଅଞ୍ଚଳର ଜନୈକ ବ୍ୟକ୍ତି ଥାନାରେ ହାଜର । କଥା କଣ ବୁଝିବା ବେଳକୁ ରାତିରେ ଯେଉଁ ଗୋରୁକୁ ଧରି ଆଣିଥିଲେ ସେଗୁଡିକ ତାଙ୍କର ବୋଲି ଦାବି କରିଥିଲେ । ଯାହାକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଫାର୍ମ ହାଉସରୁ ଗାଡିରେ ବୋଝେଇ ହୋଇ ଆସିଥିବା ଗୋରୁଗୁଡିକର ଫଟୋ ଯାଞ୍ଚ କରାଯିବା ପରେ ସେଗୁଡିକ ଥାନାରେ ଥିବା ଗୋରୁ ନୁହଁ ବୋଲି ପୋଲିସ ଜାଣିବାକୁ ପାଇଥିଲ । । ଶେଷରେ ପ୍ରକୃତ ମାଲିକଙ୍କୁ ଉକ୍ତ ଗୋରୁଗୁଡିକୁ ହସ୍ତାନ୍ତର କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ଗାଡିରେ ବୋଝେଇ ହୋଇ ଆସିଥିବା ପ୍ରକୃତ ୩ଟି ଗୋରୁ ଗଲେ କୁଆଡେ । ଚଞ୍ଚକତା କରି କେହି ସେଗୁଡିକୁ ନେଇ ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ବିନା ଦୋଷରେ ଗାଡି ଚାଳକ, ଗାଡି ମାଲିକ ଓ ଗୋରୁ କିଣିଥିବା ବ୍ୟକ୍ତି ଲକ୍ଷାଧିକ ଟଙ୍କାର କ୍ଷତିଗ୍ରସ୍ତ ହୋଇଛନ୍ତି । ଘଟଣାକୁ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଗାଡି ଭାଙ୍ଗିଥିବା ଲୋକଙ୍କୁ ଖୋଜାଖୋଜି କରୁଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |