ମା ଖରାଖାଇଙ୍କ ବାର୍ଷିକ ଉତ୍ସବ ପାଳିତ, ୫୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ |

49

କଟକ (ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର, ସିନ୍ଦୋଳ, ଦୌଲତପୁର ଓ ସାହାପୁର ଗ୍ରାମ ପଞ୍ଚାୟତର ମଧ୍ୟମ ସ୍ଥଳରେ ଖୋଲାମେଲାରେ ପୂଜା ପାଉଥିବା ମା’ ଖରାଖାଇଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଦିନତମାମ ୫୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ପରିସରକୁ ଅଧିକ ଆକର୍ଷିତ କରି ପାରିଛି । ବରଷକ ଥରେ ପଣା ସଂକ୍ରାନ୍ତୀରେ ଏହି ପୂଜା ଉତ୍ସବକୁ ଅଞ୍ଚଳବାସୀ ବେଶ ଧୂମଧାମରେ ପାଳନ କରିଥା’ନ୍ତି । ମା ଙ୍କ ମହିମା ଅପାର, ଯିଏ ଯାହା ମାନସିକ କରିଛି ତାହା ପୂରଣ ହେଉଥିବାର ବହୁ ଉଦାହରଣ ରହିଛି । ଲୋକକଥା ଅନୁଯାଇ, କେଉଁ ଆବାହମାନ କାଳରୁ ବିନ୍ଧାବଜାର-ସାନଲହୁଣୀପାଳ ରାସ୍ତା କଡରେ ମା ପ୍ରତ୍ୟକ୍ଷଭାବେ ବିରାଜମାନ ହୋଇଛନ୍ତି । ବହୁବାର ଭକ୍ତଙ୍କ ସ୍ୱପ୍ନରେ ଆବିର୍ଭାବ ମଧ୍ୟ ହୋଇଛନ୍ତି । ତେବେ ଏହି ଦେବୀଙ୍କୁ ଆନୁଷ୍ଠାନିକ ଗତ ୨୦୦୪-୦୫ ମସିହାରେ ଏକ ଗଛ ମୂଳେ ଅବସ୍ଥାପିତ କରାଯାଇଛି । ମା ଙ୍କ ଉପରେ ଛାତ ପଡିନଥିଲେ ମଧ୍ୟ ପାଚେରୀ ନିର୍ମାଣ କରାଯାଇ ଦୈନିକ ପୂଜାର୍ଚ୍ଚନା କରାଯାଉଛି । କୁହାଯାଏ, ସପ୍ତସତୀ ଚଣ୍ଡିଙ୍କ ମଧ୍ୟରୁ ମା ଖରାଖାଇ ଏକ ସ୍ୱତନ୍ତ୍ର ଶକ୍ତି । ଅପୂର୍ବ ଶକ୍ତିମୟୀ ମା ତାଙ୍କ କଥା ପୂରଣ କରିଥାନ୍ତି । ଏହି ଅଞ୍ଚଳର ସାକ୍ଷାତ ଦେବୀଭାବେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ଏହି ମା’ଙ୍କ ଉପରେ ନିର୍ଭର କରିଥାଏ । ସପ୍ତସତୀ ମହାଚଣ୍ଡିର ପ୍ରମାଣ ଅନୁସାରେ ଏହି ମା ହେଉଛନ୍ତି କୃଷ୍ଣ ବିଧବା ଜଣେ ନାରୀ । ତେଣୁ ଭଗବାନ କୃଷ୍ଣଙ୍କର ଅଭିଶାପ ଅନୁଯାଇ ଏହି ସପ୍ତସତୀ ମହାଚଣ୍ଡି ଉପରେ ମନ୍ଦିର ନିର୍ମାଣ କରାଯିବ ନାହିଁ । ଏହି ମା ସର୍ବଦା ଖରାରେ ରହୁଥିବାରୁ ତାଙ୍କର ନାମ ଏପରି ଖରାଖାଇ ହୋଇଥିବା ମଧ୍ୟ କୁହାଯାଉଛି । ତେବେ ଲୋକଙ୍କ ଅଗାଧ ବିଶ୍ୱାସ ରହିଛି ଏହି ମା’ଙ୍କ ଉପରେ । ସେଥିପାଇଁ ପଣା ସଂକ୍ରାନ୍ତୀରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଶାନ୍ତି ଶୃଙ୍ଖଳା ସହ ମା’ଙ୍କ ଦର୍ଶନ ନିମନ୍ତେ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ଖର୍ଚ୍ଚ ମାଗଣ କରାଯାଇ କରାଯାଇଥାଏ । କେଉଁଠୁ ଏତେ ଅର୍ଥ ଆସେ ଆଉ ହଜାର ହଜାର ଶ୍ରଦ୍ଧାଳୁ କେମିତି ପ୍ରସାଦ ସେବନ କରନ୍ତି ତାହା କହିବା ବାହୁଲ୍ୟ ବୋଲି କମିଟି ପକ୍ଷରୁ ଶୁଣିବାକୁ ମିଳେ । ଋତିନୀତି ଅନୁଯାଇ ପୂଜାର୍ଚ୍ଚନା ସହିତ ଚଣ୍ଡିପାଠ ଓ ପ୍ରସାଦ ସେବନ କରାଯାଇଥିଲା । ଏଥିସହ ଭକ୍ତଙ୍କ ମନୋରଞ୍ଜନ ଲାଗି ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ମାଙ୍କ ସେବକ ଶୁକ ବାରିକ ଓ ବେଦପଣ୍ଡିତ ତନ୍ମୟ ମିଶ୍ର ପୂଜାକାର୍ଯ୍ୟ ତୁଲାଉ ଥିବାବେଳେ କମିଟିର ବାବୁ ଦାସ, ମୁରଲୀ ସାହୁ, ବୁଦ୍ଧିରାମ ସେଠୀ, ପୁଟୁକା ସାହୁ, ବିଜୟ ବଳ, ବାବାଜୀ ଜେନା, ଯଶୋବନ୍ତ ବଳ, ଗୟାଧର ବେହେରା, ଗଗନ ସେଠୀ, ଶ୍ରୀକାନ୍ତ ପରିଡା, ଚଗଲା ଦାସ, ଖଗେଶ୍ୱର ସେଠୀ, ବଟକୃଷ୍ଣ ବେହେରା, ବଳରାମ ଜେନା, ଶିବପ୍ରସାଦ ବଳ, ଅମର ବେହେରା, ପଞ୍ଚାନନ ନାୟକ, ଶିବ ମହାଳିକ, ସୁଶାନ୍ତ ବଳ, ଅକ୍ଷୟ ବେହେରା, ବୈକୁଣ୍ଠ ଚରଣ ବେହେରା ଓ ରଘୁନାଥ ଦାସ ପ୍ରମୁଖ ପରିଚାଳନା କରୁଛନ୍ତି । ମାଙ୍କ ଉତ୍ସବ ଅବସରରେ ଏକ ବିଶାଳ ମେଳ ଅନୁଷ୍ଠିତ ହୋଇଛି ଏବଂ ଏହା ତିନିଦିନ ଧରି ଚାଲିବ ବୋଲି କମିଟି ସୂତ୍ରରୁ ସୂଚନା ମିଳିିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |