ଉତ୍କଳୀୟ ମିଳିତ ମଞ୍ଚ କୋଲକାତା ଏବଂ ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳ ଦିବସ ପାଳିତ |

8

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ଦିନେ ବଂଗୀୟମାନଙ୍କ କପଟତାର ଶିକାର ହୋଇ ଓଡ଼ିଶା ଭାଷା ସଂସ୍କୃତି ଓ ସାମାଜିକ ଜୀବନ କ୍ଷେତ୍ରରେ ବହୁ ବାଧା ବିଘ୍ନକୁ ସାମ୍ନା କରିଥିଲା । ମାତ୍ର ଏକ ପ୍ରାଚୀନ ବୀରଜାତି ଭାବରେ ପରିଚିତ ଓଡ଼ିଆମାନେ ପୁନଶ୍ଚ ଜାଗ୍ରତ ହୋଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରାପ୍ତ ହୋଇଥିଲେ ଏବଂ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତାପ୍ରାପ୍ତ ହୋଇ ନିଜ ଗୌରବକୁ ଅକ୍ଷୁଣ୍ଣ ରଖି ଏ ବଂଗ ମାଟିରେ ତା ର ବିଜୟର ପର୍ବ ଭାବରେ ୮୯ତମ ଉତ୍କଳ ଦିବସ ପାଳନ କରୁଛି ଏହା ଓଡ଼ିଆ ଅସ୍ମିତାର ଚରମ ଦୃଷ୍ଟାନ୍ତ ଏବଂ ବିପନ୍ନ ସୃଷ୍ଟିକାରୀଙ୍କ ପ୍ରତି ଚରମ ଆହ୍ୱାନ ବୋଲି କଲିକତା ଠାରେ ଉତ୍କଳୀୟ ମିଳିତ ମଞ୍ଚ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍କଳ ଦିବସ ପାଳନ ଅବସରରେ ମୁଖ୍ୟବକ୍ତା ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ବିଶିଷ୍ଟ ଆଲୋଚକ ଡ. ଅଭୟ କୁମାର ଦାସ ଯୋଗଦେଇ ମତବ୍ୟକ୍ତ କରିବା ସହିତ ଓଡ଼ିଆମାନେ ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକତା, ସାମାଜିକତା, ମାନବିକତା, ଶିକ୍ଷା, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ବିଶ୍ୱ ପାଇଁ ମାର୍ଗଦର୍ଶକ ପାଲଟିଛନ୍ତି ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ କଲିକତାସ୍ଥିତ ଜାତୀୟ ଗ୍ରନ୍ଥାଗାର ଭାଷା ଭବନରେ ଉତ୍କଳୀୟ ମିଳିତ ମଞ୍ଚର ସଭାପତି ରବି ନାରାୟଣ ମହାପାତ୍ରଙ୍କ ପୌରୋହିତ୍ୟ ଏବଂ ଶିକ୍ଷା ସେଲର ସମ୍ପାଦକ ପ୍ରଶାନ୍ତ କୁମାର ଦାସଙ୍କ ସଂଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ ହାଓଡ଼ା ମୁନିସିପାଲ କର୍ପୋରେଶନର କମିଶନର ସ୍ମୃତିରଂଜନ ମହାନ୍ତି, କୋଲକାତା ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ରଥୀନ୍ଦ୍ର ରମଣ, ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରତିନିଧି ତଥା ଉତ୍କଳ ଭବନ ପରିଚାଳକ ରାମଚନ୍ଦ୍ର ହେମ୍ବ୍ରମ, ବିଶିଷ୍ଟ ଚିକିତ୍ସକ ସବ୍ୟସାଚୀ ପଟ୍ଟନାୟକ, ସମାଜସେବୀ କୈଳାସ ସାହୁ, ବ୍ୟାଙ୍କ ପରିଚାଳକ ତୁଷାରକାନ୍ତ ପୃଷ୍ଟି ପ୍ରମୁଖ ଯୋଗଦେଇ ଉତ୍କଳ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମିଳିତ ମଂଚର କାର୍ଯ୍ୟକାରୀ ସଭାପତି କ୍ଷୀରୋଦ ଧଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହାସଚିବ ବିଜୟ କୁମାର ବାରିକ ବିବରଣୀ ପ୍ରଦାନ କରିଥିଲେ । ଭଗବାନ ଦାସ, କମ୍ଭୁନାଥ ଦଳେଇ, ରମେଶ ଚନ୍ଦ୍ର ପାଢ଼ୀ, କରୁଣାକର ମଲ୍ଲିକ, ଜିତେନ୍ଦ୍ର ଦାସ, ପ୍ରଦୀପ ସାହୁ ଓ ଭରତ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସଂଗଠନର ମୁଖପତ୍ର ‘ଉତ୍କୃଷ୍ଟ’କୁ ଅତିଥିମାନେ ଲୋକାର୍ପିତ କରିଥିବା ବେଳେ ପ୍ରବାସୀ ଓଡ଼ିଆ ନାରାୟଣ ପ୍ରସାଦ ବାରିକ, ସୁଶାନ୍ତ କୁମାର ପଣ୍ଡା ଓ ଗୌରାଙ୍ଗ ଚରଣ ଦାସଙ୍କୁ ‘ପ୍ରଭାସ ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବାହ୍ନରେ ମିଳିତ ମଞ୍ଚର ଶତାଧିକ କର୍ମକର୍ତ୍ତା କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |