ରେଣ୍ଟା ଜଙ୍ଗଲରୁ ହଜାର ହଜାର ଟ୍ରିପ ଚୋରା ମାଟି ଚାଲାଣ, ପ୍ରଶାସନ ନିରବ |

44

କଟକ (ଉତ୍କଳ ନ୍ୟୁଜ ) ୨୯-୦୩-୨୦୨୪ : ମାହାଙ୍ଗା ତହସିଲ ଅନ୍ତର୍ଗତ ଭଉଁରୀଆ ପଞ୍ଚାୟତର ମନୋରମ ପୀଠ ରେଣ୍ଟା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି l କେତେବେଳେ ଏହି ରେଣ୍ଟା ଜଙ୍ଗଲ ଭିତରୁ ମୂଲ୍ୟବାନ ଗଛ କାଟି ନିଆଯାଉଛି ତ ଆଉ କେତେବେଳେ ଜଙ୍ଗଲରେ ନିଆଁ ଲଗେଇ ଦିଆଯାଉଛି | ଏପରିକି ଏଠାରୁ ଅବାଧରେ ଓ ବେଧଡକ ଭାବେ ଚାଲିଛି ଚୋରା ମାଟି ଚାଲାଣ | ପୂର୍ବତନ ଆରଡ଼ିସି ଅନିଲ ସାମଲଙ୍କ ଉଦ୍ୟମ ଯୋଗୁଁ ଏହି ରେଣ୍ଟା ଜଙ୍ଗଲ ଭିତରେ ବିଭିନ୍ନ କିସମର ବୃକ୍ଷ ରୋପଣ ହୋଇପାରିଥିଲା l ରେଣ୍ଟାର ପ୍ରସିଦ୍ଧ ବନଦୁର୍ଗା ପୀଠକୁ ବହୁ ପର୍ଯ୍ୟଟକ ଆସୁଥିଲେ l ଏପରିକି ପିକନିକ ସ୍ପଟ ଭାବେ ରେଣ୍ଟାକୁ ବଣଭୋଜି ପାଇଁ ଦୂର ଦୁରାନ୍ତରୁ ଲୋକମାନେ ଆସିବା ଦେଖିବାକୁ ମିଳେ | କିନ୍ତୁ ଆଶ୍ଚର୍ଯ୍ୟର କଥା ନିକଟସ୍ଥ ନାହାଙ୍ଗ ଗ୍ରାମ ପଞ୍ଚାୟତ ଏବଂ ଏହାର ଆଖପାଖ ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟରେ ମାଟିର ଆବଶ୍ୟକ ପଡୁଥିବାରୁ, ମାଟି ମାଫିଆଙ୍କ ଦ୍ୱାରା ଏଠାରୁ ମାଟି ଚୋରେଇ ନିଆଯାଉଛି l ତହସିଲ ପ୍ରଶାସନର ଅଗୋଚରରେ ଜେସିବି ଲଗାଇ ଦୈନିକ ଶହଶହ ଟ୍ରିପ ମାଟି ଚୋରା ଚାଲାଣ କରାଯାଉଛି | ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ଚୋରା ମାଟି ଚାଲାଣ ପଛରେ ଏକ ବଡ଼ ରକେଟ କାମ କରୁଥିବା ଅଭିଯୋଗ ହେଉଛି | ଶୁକ୍ରବାର ମାଧ୍ୟାନ୍ନରେ ଭଉଁରୀଆ ପଞ୍ଚାୟତର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ ଏବଂ ଯୁବକ ମାନେ ଏକତ୍ରିତ ହୋଇ ରେଣ୍ଟା ଜଙ୍ଗଲ ଭିତରୁ ବେଆଇନି ମାଟି ଚାଲାଣକୁ ତୀବ୍ର ବିରୋଧ କରିବବା ଦେଖିବାକୁ ମିଳିଥିଲା | ମାହାଙ୍ଗା ତହସିଲଦାର, ସ୍ଥାନୀୟ ରାଜସ୍ବନିରୀକ୍ଷକ କିମ୍ବା ବନବିଭାଗର କୌଣସି ଅଧିକାରୀଙ୍କ ଅନୁମତି ନଥାଇ ଗୋଚର ତଥା ଜଙ୍ଗଲ ଜମିରୁ ମାଟି ଚାଲାଣ କିପରି ହେଉଛି, ସେ ନେଇ ବହୁ ଚାଷୀ, କୃଷକ ତଥା ବୁଦ୍ଧିଜୀବୀ ମାନେ ଘଟଣା ସ୍ଥଳୀରେ ପହଂଚି ମାଟି ମାଫିଆଙ୍କୁ ବିରୋଧ କରିବା ଜଣାପଡିଛି | ପ୍ରଶାସନ ଏହି ବେଆଇନି କାରବାର ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି, ସେକଥା ଦେଖିବାକୁ ବାକି ରହିଲା l କଟକ ଜିଲ୍ଲା ମାହାଙ୍ଗା ରୁ ହରପ୍ରିୟା କର ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |