ନିଆରା ପରମ୍ପରାରେ ସମୃଦ୍ଧ ଫତେପୁରର ପଞ୍ଚୁଦୋଳ, ଢିଙ୍କି କୁଟା ଚାଉଳରେ ପ୍ରସ୍ତୁତ ହୁଏ ଅନ୍ନ ଭୋଗ |

43

କଟକ (ଉତ୍କଳ ନ୍ୟୁଜ ) ୨୯-୦୩-୨୦୨୪ : ଉତ୍କଳୀୟ ମହାନ ସଂସ୍କୃତିରେ ଦୋଳ ପର୍ବ ଏକ ନିଆରା ପର୍ବ ଭାବରେ ସର୍ବତ୍ର ବେଶ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଥାଏ । ତେବେ ଦୋଳ ପୂର୍ଣ୍ଣମୀ ପରେ କେତେକ ସ୍ଥାନରେ ପଞ୍ଚୁଦୋଳ ପାଳିତ ହେବାର ପରମ୍ପରା ରହିଆସିଛି । ପାଞ୍ଚ ଦିନ ବ୍ୟାପୀ ଏହା ପାଳନ କରାଯାଉଥିବାରୁ ଏହାକୁ ପଞ୍ଚୁଦୋଳ ବୋଲି ନାମିତ କରାଯାଇଛି । ତିହିଡି ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଫତେପୁର ଉଆସରେ ନାୟକ ପରିବାର ପକ୍ଷରୁ ଦୀର୍ଘ ଦେଢ ଶହ ବର୍ଷରୁ ଅଧିକ କାଳ ଧରି ପାଳିତ ହୋଇ ଆସୁଥିବା ପଞ୍ଚୁଦୋଳ ସମଗ୍ର ଅଞ୍ଚଳରେ ବେଶ ସୁଖ୍ୟାତି ଅର୍ଜନ କରିଛି । ଫତେପୁରର ନିଗମାନନ୍ଦ ନାୟକ, ରାଧାକାନ୍ତ ନାୟକ, ନୀଳମଣି ନାୟକ ଓ ଧୀରେନ୍ଦ୍ର ନାୟକଙ୍କ ପରିବାରର ପୂର୍ବପୁରୁଷ ମାନେ ପ୍ରଥମେ ଖୋର୍ଦ୍ଧାରୁ ଆସି ଭଦ୍ରକ ମଉଦା ଓ ପରେ ଏବର ଫତେପୁର ଠାରେ ରହିଥିଲେ । ସେମାନେ ଆସିବା ବେଳେ ସାଙ୍ଗରେ ଆଣିଥିବା ଗୋପୀନାଥ ଠାକୁରଙ୍କୁ କିଛି ବର୍ଷ ପୂଜା କରିବା ପରେ ବିଭୂତିପୁରର ଦାସ(ବୈଷ୍ଣବ) ପରିବାରକୁ ଏହା ସମର୍ପଣ କରିଥିଲେ । ସେହି ଦିନ ଠାରୁ ଠାକୁର ବିଭୂତିପୁର ଠାରେ ପୂଜା ପାଇ ଆସୁଛନ୍ତି । ପ୍ରତିବର୍ଷ ଫାଲଗୁନ ମାସ ତୃତୀୟା ତିଥି ଠାରୁ ଫତେପୁରରେ ଏହି ପଞ୍ଚୁ ଦୋଳ ଆରମ୍ଭ ହୋଇଥାଏ । ପ୍ରତିବର୍ଷ ପାଳି ଅନୁସାରେ ଉକ୍ତ ଚାରି ପରିବାର ପଞ୍ଚୁଦୋଳର ଦାୟିତ୍ୱ ବହନ କରିଥାନ୍ତି । ପଞ୍ଚୁଦୋଳର ପ୍ରଥମ ରାତିରେ ନାୟକ ପରିବାର ପକ୍ଷରୁ ବାଜା ଓ ରୋଷଣୀ ସହିତ ବିଭୂତିପୁର ଠାରୁ ଗୋପୀନାଥଙ୍କୁ ଏକ ଶୋଭାଯାତ୍ରାରେ ଫତେପୁର ପାଛୋଟି ଅଣାଯାଇ ତାଙ୍କ ପାଇଁ ଉଦ୍ଦିଷ୍ଟ ଦୋଳ ମଣ୍ଡପରେ ଆସୀନ କରାଯାଏ । ସେଠାରେ ଯଥାବିଧି ପୂଜାର୍ଚ୍ଚନା ସହିତ ନୂଆ ପଞ୍ଜିକା ପ୍ରସ୍ତୁତ ହୋଇଥାଏ । ପରେ ଠାକୁରଙ୍କୁ ବଡ ଦାଣ୍ଡ ଅଣାଯିବା ସହ ସେଠାରେ ତାଙ୍କୁ ଫୁଟା ପଣା ଅର୍ପଣ କରାଯାଏ ଓ ଆରତି କରାଯାଇଥାଏ । ପରେ ଠାକୁରଙ୍କୁ ରୋଷ ଶାଳାକୁ ନିଆଯାଇ ସେଠାରେ ଢିଙ୍କି କୁଟା ଚାଉଳରେ ପ୍ରସ୍ତୁତ ହୋଇ ରହିଥିବା ଅନ୍ନ ମଧ୍ୟରେ ପୋତି ରଖାଯାଏ । ଯାହା ଫଳରେ ଅନ୍ନ ପ୍ରସାଦରେ ପରିଣତ ହୋଇଥାଏ । ଆଉ ଏହି ପ୍ରସାଦକୁ ପ୍ରଥମେ କାଳିନ୍ଦୀ ବୈଷ୍ଣବ ଓ ବ୍ରାହ୍ଣଣ ବୈଷ୍ଣବ ସେବନ କଲା ପରେ ଅନ୍ୟମାନେ ଏହା ସେବନ କରିଥାନ୍ତି । ପାଞ୍ଚଦିନ ବ୍ୟାପୀ ଏହି ଉତ୍ସବରେ ଗୋପୀନାଥଙ୍କ ସହିତ ଫତେପୁରର ଗିରିଧାରୀ ଓ ରାଧା ବଲ୍ଲଭ ଜୀଉ ଉପସ୍ଥିତ ରହି ଯଥାବିଧି ପୂଜା ଗ୍ରହଣ କରିଥାନ୍ତି । ତେବେ ଉକ୍ତ ଦୁଇ ଠାକୁର ପ୍ରତ୍ୟହ ରାତିରେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ କେବଳ ଗୋପୀନାଥ ବଡ ଦାଣ୍ଡରେ ନିଜ ଆସ୍ଥାନରେ ଉପବେଶନ କରି ସର୍ବ ସାଧାରଣଙ୍କୁ ଦର୍ଶନ ଦେବା ସହ ତାଙ୍କର ପ୍ରିୟ ଛେନା ଭୋଗ ଗ୍ରହଣ କରିଥାନ୍ତି । ଏହି ଦିନ ଗୁଡିକରେ ସେଠାରେ ଭଜନ କୀର୍ତ୍ତନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥାଏ । ଉତ୍ସବର ଶେଷ ଦିନ ଗୋପୀନାଥଙ୍କୁ ନଗର କୀର୍ତ୍ତନରେ ଗାଁ ପରିକ୍ରମା କରାଯାଇ ଗିରିଧାରୀଙ୍କ ମନ୍ଦିରକୁ ଅଣାଯାଏ । ସେଠାରେ ତାଙ୍କୁ ଗିରିଧାରୀଙ୍କ ପକ୍ଷରୁ ଭୋଗ ଅର୍ପଣ କରାଯିବା ପରେ ଢୋଲ କଂସାଳର ତାଳେ ତାଳେ ଏକ ଶୋଭାଯାତ୍ରାରେ ଠାକୁରଙ୍କୁ ବିଭୂତିପୁରସ୍ଥିତ ତାଙ୍କ ମନ୍ଦିରକୁ ନିଆଯାଇଥାଏ । ଉକ୍ତ ପାଞ୍ଚଦିନ ଧରି ଫତେପୁର ନାୟକସାହି ସମେତ ଆଖପାଖ ପରିବାର ଗୁଡିକ ଆମିଷାଦି ଭକ୍ଷଣରୁ ବିରତ ରହିଥାନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |