କାଦୁଅ ଖେଳରେ ଐତିହାସିକ କାଳିମେଘା ମେଳନ ଉଦ୍‌ଯାପିତ |

38

କଟକ (ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୪ : ଅବିରରେ ଆରମ୍ଭ ହୋଇଥିବା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ଐତିହାସିକ କାଳିମେଘା ମେଳନ କାଦୁଅ ଖେଳରେ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ସଂଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମରେ ଶାନ୍ତି ଶୃଙ୍ଖଳାର ସହ ବରଷକ ପାଇଁ ବିଦାୟ ନେଇଛି ଏହି ମେଳନ । ସୋମବାର ରାତିରେ ଠାକୁରମାନଙ୍କୁ ସୁସଜ୍ଜିତ ବିମାନରେ କ୍ରମିକ ସଂଖ୍ୟା ଅନୁଯାୟୀ ମେଳନ ପଡ଼ିଆକୁ ଅଣାଯାଇଥିଲା । ଭଦ୍ରକ ଜିଲାର ଏହି ମେଳନରେ ପ୍ରସିଦ୍ଧିଲାଭ କରିଥିବା ବେଳେ ରାତ୍ରିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସୋମବାର ରାତ୍ରିରୁ ଆରମ୍ଭ ହୋଇଥିବା ଏହି ମେଳନ ପରଦିନ ସନ୍ଧ୍ୟ।। ପର୍ଯ୍ୟନ୍ତ ଚାଲିଥିଲା । ସ୍ଥାନୀୟ ଯୁବକମାନେ କାଦୁଅ ଖେଳି ଖେଳି ଦଧିବାବନ ଓ ଅଗସ୍ତୀ ଠାକୁରଙ୍କୁ ମେଳନ ପଡ଼ିଆକୁ ଆଣିବା ପରେ ମେଳନର ପରିସମାପ୍ତି ଘଟିଥିଲା । ଅବିରରୁ ଆରମ୍ଭ ହୋଇ କାଦୁଅରେ ଶେଷ ହେବା ହେଉଛି ଏହି ମେଳନର ଏକ ବିଶେଷତ୍ୱ । ସେହିପରି କେଉଁ ଠାକୁର ଆଗେ ଯିବ ଓ କେଉଁ ଠାକୁର ପଛରେ ଯିବ ତାହାକୁ ନେଇ ଅତୀତରେ ମାଲି ମୋକଦ୍ଦମା ତଥା ଗଣ୍ଡଗୋଳ ହେବାପରେ ମେଳନ କମିଟି ପକ୍ଷରୁ ବିଭିନ୍ନ ଠାକୁରଙ୍କୁ ଯେଉଁ କ୍ରମିକ ନମ୍ବର ପ୍ରଦାନ କରାଯାଇଛି । ସେହି ଅନୁଯାୟୀ ଠାକୁରମାନେ ଶୋଭାଯାତ୍ରାରେ ମେଳନ ପଡ଼ିଆକୁ ଆସିଥା’ନ୍ତି । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ମେଳନ ଶେଷ ହୋଇଥିବା ବେଳେ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |