୨୦୨୪ ପାଇଁ କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି |

38

କଟକ (ଉତ୍କଳ ନ୍ୟୁଜ ) ୨୩-୦୩-୨୦୨୪ : ୨୦୨୪ ପାଇଁ କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି - ବିଜେଡି ବିଜେପି ସଲାସୁତୁରାରେ ଲୁଣ୍ଠିତ ହେଉଛି ଓଡିଶା। ସରକାର ପରିବର୍ତ୍ତନର ଆବଶ୍ୟକତା ଅଛି। ଏହିପରି ଗର୍ଜ୍ଜିଥିଲେ କଂଗ୍ରେସ ନେତା ଅନନ୍ତ ସେଠୀ ଓ ଶୁଭେନ୍ଦୁ ରାୟ ମହାପାତ୍ର । ୨୪ ବର୍ଷ ବିଜେଡି ଶାସନରେ ଯାହା ହୋଇନାହିଁ ଆଜି ତାହା କଂଗ୍ରେସ କରି ଦେଖାଇବ । ୨୦୨୪ର ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କଂଗ୍ରେସ ପ୍ରଥମେ ମହିଳାଙ୍କୁ ଆୟୁଧ କରିଛି। ମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ବିଜେଡି ନୀତିକୁ ଆପଣେଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଗୃହଲକ୍ଷ୍ମୀ ଭତ୍ତା ବାବଦରେ ମାସିକ ୨ ହଜାର ଟଙ୍କା ଏବଂ ଏସଏଚଜି ଗୃପର ବ୍ୟାଙ୍କ ଋଣ ଛାଡ କରିବ। ସେହିପରି ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। କଂଗ୍ରେସ କ୍ଷମତାକୁ ଆସିଲେ କୃଷକ ଭତ୍ତା ୨ ହଜାର ଟଙ୍କା ଲାଗୁ କରିବା ସହିତ ଧାନର କ୍ରୟ ମୂଲ୍ୟ କ୍ବିଣ୍ଟାଲ ପିଛା ୩ହଜାର ଟଙ୍କା ଓ କୃଷି ଋଣ ଛାଡ କରିବ ବୋଲି ଇସ୍ତାହାରରେ ପ୍ରକାଶ କରିଛି । ସେହିପରି ଓଡିଶାରେ ବେକାର ଯୁବକ ଯୁବତୀମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏଥର କଂଗ୍ରେସ କ୍ଷମତାକୁ ଆସିଲେ ବେକାରୀ ଭତ୍ତା ବାବଦରେ ୩ ହଜାର ଟଙ୍କା ଦେବା ସହ ଏବଂ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଏହା ବ୍ୟତିତ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨ ଶହ ୟୁନିଟ ବିଦ୍ୟୁତ ଦେୟ ଛାଡ, ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବିମା, ବାର୍ଦ୍ଧକ୍ୟ, ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି, ୬ ମାସ ମଧ୍ୟରେ ସମସ୍ତ ଜମାକାରୀଙ୍କର ଚିଟଫଣ୍ଡ ଟଙ୍କା ଫେରସ୍ତ, ଭଦ୍ରକ କଲେଜକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା, ଭଦ୍ରକ ମେଡିକାଲକୁ ମେଡିକାଲ କଲେଜରେ ରୁପାନ୍ତିକରଣ କରିବ ବୋଲି ଭଦ୍ରକ ପ୍ରତିଶୃତି ଦେଇଛି। ଏହି ନିର୍ବାଚନୀ ଗ୍ୟାରେଣ୍ଟି ଭୋଟରଙ୍କୁ କେତେ ପ୍ରଭାବିତ କରିପାରିବ ! ଏହା ପ୍ରତିଶୃତି ନା ଧୁଆଁ ବାଣ ! ପ୍ରତିଶୃତି, ସୀମା ଲଙ୍ଘୁ ନାହିଁତ ତାହା ସମୟ କହିବ। ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ତଥା ସାଂସଦ ଅନନ୍ତ ସେଠୀ, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଭଦ୍ରକ ଜିଲ୍ଲା କଂଗ୍ରସ ମୂଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ଭଦ୍ରକ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଇଲିୟାସ ଅଲ୍ଲୀ ଖାନ, ଜିଲ୍ଲା ଯୁବ କଂଗ୍ରେସର ଉପ ସଭାପତି ବଳରାମ ରାଉତ ଏବଂ ନାରାୟଣ ପାଢୀ ଉପସ୍ଥିତ ରହି ନିର୍ବାଚନୀ ଗ୍ୟାରେଣ୍ଟି ଦେଇଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |