ମୁଖ୍ୟ ରାସ୍ତା ଅବରୋଧ ଅଭିଯୋଗ, ଲିଜ୍ ପଟ୍ଟା ପାଇବାର ୨୬ ବର୍ଷ ପରେ ଭୂମିହିନଙ୍କୁ ମିଳିଥିଲା ଜମି |

65

କଟକ (ଉତ୍କଳ ନ୍ୟୁଜ ) ୧୮-୦୩-୨୦୨୪ : ଲିଜ୍ ପଟ୍ଟା ପାଇବାର ଦିର୍ଘ ୨୬ ବର୍ଷ ପରେ ତହସିଲ ପ୍ରଶାସନ ତରଫରୁ ମାପଚୂପ କରାଯାଇ ଭୂମିହିନଙ୍କୁ ମିଳିଛି ଜମି । ଏଥିସହ ଉକ୍ତ ଜମିକୁ ଯିବା ଲାଗି ମୁଖ୍ୟ ରାସ୍ତାରୁ ଏକ ରାସ୍ତା ମଧ୍ୟ ମିଳିଛି ହେଲେ ରାତିଅଧିଆ ଉକ୍ତ ରାସ୍ତାକୁ କେତେକ ବ୍ୟକ୍ତି ବଳପୂର୍ବକ ଭାବେ ଅବରୋଧ କରିବା ସହିତ ଅସ୍ଥାୟୀ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଅସ୍ଥାୟୀ ଗୃହ ନିର୍ମାଣ ଉଦ୍ୟମ କରାଯାଉଥିବା ବଳେ ସଂଧ୍ୟାରେ ପୋଲିସ ନିକଟରେ ଫେରାଦ୍ ହୋଇଥିଲେ ଭୂମିହିନ । ରାତିରେ ପୋଲିସ ମଧ୍ୟ ସେଠାକୁ କେଇବାର ଯାଇଛି ହେଲେ ସକାଳ ହେବାବେଳକୁ ଅସ୍ଥାୟୀ ଗୃହ ଛିଡା ହୋଇଛି । ଯାହାକୁ ନେଇ ଭୂମିହିନ ଥଇଥାନ ହେବା ଅବସମ୍ଭାବୀ ହୋଇପଡିଛି । ଏନେଇ ଭୁମିହିନମାନେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମି ୩ ଦିନ ମଧ୍ୟରେ ଉକ୍ତ ଜବରଦଖଲ ଉଚ୍ଛେଦ କରାନଗଲେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଧ୍ୟହୋଇ ଭୂମିହିନମାନେ ଧାରଣାରେ ବସିବେ ବୋଲି ଚେତାବନି ଦିଆଯାଇଛି । ଏଭଳି ଅଭବନୀୟ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ସୟା ପଞ୍ଚାୟତରୁ । ୧୯୯୮ ମସିହାରେ ସୟା ମୌଜା ଅଧିନ ବିରିହରପୁର(କାଞ୍ଜିପଦା)ରେ ୩୫ ଜଣ ଭୂମିହିନଙ୍କ ଲିଜ୍ ପଟ୍ଟା ମିଳିଥିଲା । ତେବେ ଜାଗା ଚିହ୍ନ ନେଇ ଭୂମିହିନମାନେ ବାରମ୍ବାର ପ୍ରସାଶନର ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲେ । ଶେଷରେ ପୋଲିସ ଉପସ୍ଥିତିରେ ତହସିଲ ପ୍ରଶାସନ ପକ୍ଷରୁ ଗତ ୦୯.୦୨.୨୪ରିଖରେ ପଞ୍ଚାନନ ସେଠୀ, ଶ୍ୟାମସୁନ୍ଦର ନାଥ, ମିରା ନାୟକ, ବାଞ୍ଛାନିଧି ମହାନ୍ତି, ସରସ୍ୱତୀ ନାୟକ, ଗୋଲକ ଚନ୍ଦ୍ର ସେଠୀ, ରସିକ ନାୟକ ଓ ବାବାଜୀ ପାତ୍ର ପ୍ରମୁଖ ୮ ଜଣ ଭୂମିହିନଙ୍କୁ ସେମାନଙ୍କ ଜାଗା ଚିହ୍ନ କରାଯିବା ସହିତ ଏକ ରାସ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର କେତେକ ଦୁର୍ବୁତ୍ତ ବଳପୂର୍ବକ ଉକ୍ତ ରାସ୍ତାକୁ ଅବରୋଧ କରିବା ସହିତ ଶନିବାର ରାତିଅଧିଆ ଅସ୍ଥାୟୀ ଗୃହ ନିର୍ମାଣ କରିଛନ୍ତି । ପରଦିନ ରବିବାର ଥିବାହେତୁ ସୋମବାର ଭୂମିହିନମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତିହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ପଚାରିବାରୁ ତତ୍କାଳ ଭିତ୍ତିରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |