ଜାଗର ଲାଗି ପ୍ରାଚୀନ ଶୈବପୀଠ ଶଙ୍ଖିଡାର ଶଙ୍ଖଡେଶ୍ୱର ଉତ୍ସବ ମୁଖରିତ |

34

କଟକ (ଉତ୍କଳ ନ୍ୟୁଜ ) ୦୭-୦୩-୨୦୨୪ : ରାତି ପାହିଲେ ଜାଗରଯାତ୍ରା । ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଶୈବ ପୀଠ ଗୁଡିକ ଭଳି ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ଶଙ୍ଖିଡା ଗାଁରେ ଥିବା ପ୍ରାଚୀନ ଶୈବ ପୀଠ ଶଙ୍ଖଡେଶ୍ୱର ପୀଠ ଉତ୍ସବ ମୁଖରିତ ହୋଇ ହୋଇଉଠିଛି । ପ୍ରତିବର୍ଷ ଏହି ପୀଠରେ ଜାଗରଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୋଇଥାଏ । ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏଠାରେ ଉପସ୍ଥିତ ହୋଇ ପାତାଳଭେଦୀ ଶିବ ଲିଙ୍ଗର ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି । ବହୁ ଭକ୍ତ ଦୀପ ଜାଳି ରାତିସାରା ଉଜାଗର ରହିବା ସହ ରାତିର ଶେଷ ପ୍ରହରରେ ମନ୍ଦିର ଉପରକୁ ମହାଦୀପ ଉଠିବାର ଦୃଶ୍ୟକୁ ମନଭରି ଉପଭୋଗ କରିଥାନ୍ତି । ଏହି ଅବସରରେ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରା ଯାଇଥାଏ । ଏଠାରେ ସୂଚନା ଥାଉକି, ଏହି ଶୈବ ପୀଠଟି ମରହଟ୍ଟା ଶାସନ ସମୟର ବୋଲି ଅନୁମାନ କରାଯାଏ । ପ୍ରଥମେ ଏଠାରେ ଏକ ପାତାଳଭେଦୀ ଶିବ ଲିଙ୍ଗର ସନ୍ଧାନ ମିଳିବା ପରେ ତତ୍କାଳୀନ ଜମିଦାରଙ୍କ ଉଦ୍ୟମରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ସେହିଦିନ ଠାରୁ ଆଜିଯାଏଁ ଏଠାରେ ଏହି ଶିବ ଲିଙ୍ଗ ପୂଜା ପାଇ ଆସୁଛି । ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଶିବ ଲିଙ୍ଗର ଦର୍ଶନ ପାଇଁ ଏଠାକୁ ଆଗମନ କରୁଥିବା ବେଳେ ପ୍ରାୟ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ମାନସିକ ରଖିଥିବା ଭକ୍ତ ମାନେ ମାନସିକ ପୂରଣ ପରେ ଏଠାରେ ଚଣ୍ଡୀପାଠ, ଅଭିଷେକ ଉତ୍ସବ ଓ ଅନ୍ୟାନ୍ୟ ପୂଜାପାଠ ଆଦି କରାଇ ଦେବ ଦେବ ମହାଦେବଙ୍କୁ ସନ୍ତୁଷ୍ଟ କରାଇବାକୁ ପ୍ରୟାସ କରିଥାନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |