ଠିକାଦାରଙ୍କୁ ଆକ୍ରମଣ କରି ଟଙ୍କା ଓ ଅଳଙ୍କାର ଲୁଟ ଘଟଣାରେ ଦୁଇ ଯୁବକ ଗିରଫ |

55

କଟକ (ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୪ : ଭୁବନେଶ୍ୱରରୁ ନିଜ କାରରେ ଘରକୁ ଫେରୁଥିବା ଜନୈକ ଠିକାଦାରଙ୍କୁ ଅଟକାଇ ତାଙ୍କଠାରୁ ଟଙ୍କା ଓ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିବା ଘଟଣାରେ ଭଦ୍ରକ ଜିଲ୍ଲା ତିହିଡ଼ି ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୫ ହଜାର ଟଙ୍କା ଜବତ କରାଯାଇଛି । ସେମାନେ ହେଲେ ହରିପୁର ଗ୍ରାମର ଚନ୍ଦନ ସାହୁ ଓ ପୁକୁଲୁ ଓରଫର ମିତ୍ରରାଜ ଜେନା । ଏହି ଘଟଣାରେ ଅନ୍ୟ ଦୁଇଜଣ ଯୁବକ ଫେରାର ରହିଥିବା ତିହିଡ଼ି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକ କହିଛନ୍ତି । ସୂଚନା ଯୋଗ୍ୟ, ତିହିଡ଼ି ଥାନା ଅଧୀନ ଧୂଳିପଦା ଗ୍ରାମର ଅରୁଣ କୁମାର ନାୟକ ଶନିବାର ରାତ୍ରି ପ୍ରାୟ ୧୧ ଟା ସମୟରେ ନିଜେ କାର ଘରକୁ ଫେରୁଥିଲେ । ତିହିଡ଼ି-ସୟା ରାସ୍ତାର ବାରିଣୀ ପୋଖରୀ ନିକଟରେ ୪ ଜଣ ଯୁବକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ଅରୁଣ ଭୟରେ ରାସ୍ତା ତଳକୁ ଗାଡ଼ି ଗଡ଼ାଇ ସେମାନଙ୍କୁ ଅତିକ୍ରମ କରିଯାଇଥିଲେ ହେଁ ସଂପୃକ୍ତ ଯୁବକମାନ ବାଇକରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଅଟକାଇଥିଲେ । ତାଙ୍କୁ କାରରୁ ବାହାର କରି ଆଣି ଆକ୍ରମଣ କରିଥିଲେ । ଅରୁଣଙ୍କ ସାନଭାଇ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକମାନେ ଅରୁଣଙ୍କ ପାଖରେ ଥିବା ୨୦ ହଜାର ଟଙ୍କା, ପିନ୍ଧିଥିବା ସୁନାଚେନ ଓ ସୁନା ବ୍ରାସଲେଟ ନେଇ ପଳାଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |