ଦଳୀୟ ରାଜନୈତିକ ଚକ୍ରାନ୍ତରୁ ମୁକ୍ତ ନହେଲେ ଦଳ ଛାଡିବେ ସିନ୍ଦୋଳ ସରପଞ୍ଚ |

266

କଟକ (ଉତ୍କଳ ନ୍ୟୁଜ ) ୨-୦୩-୨୦୨୪ : ନିଜ ଦଳ ମଧ୍ୟରେ ରାଜନୈତିକ ଚକ୍ରାନ୍ତରୁ ମୁକ୍ତ ନହେଲେ ଦଳ ଛାଡିବେ ସରପଞ୍ଚ । ଏଭଳି ଚେତାବନି ଦେଇଛନ୍ତି ଭଦ୍ରକ ଜିଲ୍ଲା ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ତଥା ମହିଳା ବିଜୁ ଜନତା ଦଳର ଜିଲ୍ଲା ଉପସଭାନେତ୍ରୀ ସୁପ୍ରଭା ପାଣି । ଶାସକ ଦଳର ଏକ ଗୋଷ୍ଠୀ କିଭଳି ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ସେ ସମ୍ପର୍କରେ ସେ ବିଡିଓ, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଦଳର ସଭାପତି ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି ବୋଲି ଶ୍ରୀମତି ପାଣି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ତାଙ୍କ ପ୍ରତି କରାଯାଉଥିବା ଅନ୍ୟାୟର ବିଚାର କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଲୋକଙ୍କ ସମସ୍ୟାର ସମାଧାନ ସହ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଦିଗରେ ସେ ଆଜିଯାଏଁ କାର୍ଯ୍ୟ କରି ଆସୁଛନ୍ତି । ମାତ୍ର ପଞ୍ଚାୟତରେ ଶାସକ ଦଳର ଏକ ଗୋଷ୍ଠୀ ତାଙ୍କୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ତାଙ୍କ ଅଗୋଚରରେ ପଞ୍ଚାୟତ ସମିତି ଅନୁଦାନ ଓ ବିଧାୟକଙ୍କ ହାତପାଣ୍ଠିର ବିନିଯୋଗ କରାଯାଉଛି । ଅଭିଯୋଗ କଲେ ବି ତାଙ୍କ କଥା କେହି ଶୁଣିବାକୁ ନାହାଁନ୍ତି । ବରଂ ଅନାସ୍ଥା ପ୍ରସ୍ତାବ ଜରିୟାରେ ତାଙ୍କୁ ପଦରୁ ହଟାଇ ଦେବାକୁ ଧମକଚମକ ଦିଆଯାଉଛି । ତାଙ୍କୁ ରବର କଣ୍ଢେଇ ସଜାଇ ସୁବିଧା ହାସଲ କରିବାକୁ ଶାସକ ଦଳର ଏକ ଗୋଷ୍ଠୀ ଉଦ୍ୟମ କରୁଥିବା ବେଳେ ସେ ଏହାର ପ୍ରତିବାଦ କରୁଥିବାରୁ ତାଙ୍କପ୍ରତି ଏଭଳି ଆକ୍ରମଣାତ୍ମକ ମନୋଭାବ ପୋଷଣ କରାଯାଉଛି ବୋଲି କହିଛନ୍ତି । ନିଜର ସମର୍ଥକଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟରେ ଆହୂତ ଏକ ସମ୍ବାଦଦାତା ସମ୍ମିଳନୀ ଜରିଆରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌-ଟି ଅଧ୍ୟକ୍ଷଙ୍କ ସମେତ ଭଦ୍ରକ ସାଂସଦ, ବାସୁଦେବପୁର ବିଧାୟକ, ଜିଲ୍ଲାପାଳ ଓ ବିଡିଓଙ୍କୁ ଅବଗତ କରିଛନ୍ତି । ସେ ଏବଂ ତାଙ୍କ ପରିବାର ବିଜୁ ଜନତା ଦଳର ଦୃଢ ସମର୍ଥକ । ପଞ୍ଚାୟତରେ ଦଳର ସଙ୍ଗଠନ ବୃଦ୍ଧି ପାଇଁ ସେ ଆଜିଯାଏଁ କାମ କରିଚାଲିଛନ୍ତି । ଏଥିସହ ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ଠିକ୍ ଭାବେ ନିର୍ବାହ କରି ଆସିଛନ୍ତି ବୋଲି ଶ୍ରୀମତୀ ପାଣି କହିବା ସହ ମୁଖ୍ୟମନ୍ତ୍ରୀ ସର୍ବଦା ଓ ସବୁକ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ତାଙ୍କ ଭଳି ଜଣେ ମହିଳା ଜନ ପ୍ରତିନିଧି ପଞ୍ଚାୟତରେ ସେହି ଦଳର ନେତାଙ୍କ ଦ୍ୱାରା ମାନସିକ ଭାବେ ନିର୍ଯ୍ୟାତିନାର ଶିକାର ହେବା ପରିତାପର ବିଷୟ ବୋଲି ସେ କହିଛନ୍ତି । ସରକାରୀ ଅନୁଦାନରେ ପ୍ରକଳ୍ପ ନିର୍ମାଣକୁ ନେଇ ସର୍ବଦା ଗାଁ ଗଣ୍ଡାରେ ବିବାଦ ଦେଖା ଦେଉଛି ଯାହାର ଉତ୍ତର ମାଗିଲେ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ ଏପରିକି ବିଧାୟ ସମସ୍ତେ ନିରବ ରହୁଛନ୍ତି । ତାଙ୍କ ପଦବୀର ମର୍ଯ୍ୟାଦା ନଷ୍ଟ କରାଯିବା ସହିତ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି । ଦଳ ସ୍ତରରେ ଏହାର ସ୍ଥାୟୀ ସମାଧାନ କରାନଗଲେ ସେ ବିଜେଡି ଦଳ ପରିତ୍ୟାଗ କରିବେ ବୋଲି କହିଛନ୍ତି । ଉକ୍ତ ସମ୍ବାଦଦାତା ସମ୍ମିଳନୀରେ ସରପଞ୍ଚ ଶ୍ରୀମତୀ ପାଣିଙ୍କ ସହ ଶ୍ରୀଧର ବାରିକ, ଭାଗବତ ଶତପଥି, ଶରତ ଲେଙ୍କା, ତପନ ପାଣି, ସନାତନ ଦାସ, ନିଶାକର ସ୍ୱାଇଁ, ରବିନ୍ଦ୍ର ରାଉତ, ଜଗବନ୍ଧୁ ରାଉଳ, ହୁସେନ୍ ସାହା, ସେକ୍ କସର, ସୟଦ୍ ନ୍ୟାଜୁଦ୍ଦିନ୍‌, ଆଶିଶ ନାୟକ, ବିରେନ୍ଦ୍ର ନାୟକ, ରଣଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |