ମିଥ୍ୟା ପ୍ରମାଣିତ ହେଲା ବିଡିଓଙ୍କ ମନ୍ତବ୍ୟକୁ ନେଇ ହୋଇଥିବା ଅପପ୍ରଚାର |

408

କଟକ (ଉତ୍କଳ ନ୍ୟୁଜ ) ୮-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିରଂଚି ନାରାୟଣ ମାଧବାର୍ଜୁନ କଲେଜ ଛାତ୍ରଛାତ୍ରୀଙ୍କ ଜୟଶ୍ରୀରାମ ନାରାନେଇ ତିହିଡି ବିଡିଓ ଜ୍ୟୋତିର୍ମୟ କର ପ୍ରତିକ୍ରିୟାଶୀଳ ହେବା ସହିତ ନକରାତ୍ମକ ମନ୍ତବ୍ୟ ଦେଇଥିବା ନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଯେଉଁ ଅପପ୍ରଚାର କରାଯାଇଥିଲା ତାହାର ତଦନ୍ତ ପରେ ଏହା ମିଥ୍ୟା ପ୍ରମାଣିତ ହୋଇଛି । ଏହାକୁ ନେଇ ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଆରମ୍ଭରୁ ବେଶ ପ୍ରତିକ୍ରିୟାଶୀଳ ହୋଇଥିଲେ ମଧ୍ୟ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ସେଦିନ ସେପରି କିଛି ଘଟିନଥିବା ଜାଣିବାକୁ ପାଇଥିଲେ । ପରେ ବିଡିଓଙ୍କ ବିରୋଧରେ ଯାହା ଅପପ୍ରଚାର କରାଯାଇଛି ତାହା ଆଦୌ ଠିକ୍ ନୁହେଁ ବୋଲି ସେମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୂଚନା ମୁତାବକ, “ଆମ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଗତ ୪ ତାରିଖରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିରଂଚି ନାରାୟଣ ମାଧବାର୍ଜୁନ କଲେଜ ଛାତ୍ରଛାତ୍ରୀମାନେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅଲ୍ଲୀନଗର ହରତାଳ କରିଥିଲେ । ଏ ସମ୍ପର୍କରେ ଖବର ପାଇ ଆଇଆଇସି ପ୍ରସନ୍ନ କୁମାର ନାୟକ ସମେତ ବିଡିଓ ଜ୍ୟୋତିର୍ମୟ କର ଘଟଣା ସ୍ଥଳକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହିତ ପରିସ୍ଥିତିକୁ ଶାନ୍ତ କରାଇଥିଲେ । ଉଭୟ ବ୍ୟସ୍ତ ଥିଲେ ଛାତ୍ରଛାତ୍ରୀମାନେ କିପରି ସାନି ପଞ୍ଜିକରଣ କରି କାର୍ଯ୍ୟକ୍ରମରେ ଯୋଗ ଦେବେ । ଠିକ୍ ସେହି ସମୟରେ ସେଠାରେ ଉପସ୍ଥିତ କେତେକ ଛାତ୍ରଛାତ୍ରୀମାନେ କିଛି ଦୂରରେ ଜୟଶ୍ରୀରାମର ନାରା ଦେଇଥିଲେ । ସେ ଯାହା ହେଉ ବିଡିଓ ଓ ଆଇଆଇସିଙ୍କ ହସ୍ତକ୍ଷେପ ପରେ ବସ ଯୋଗା କରାଯାଇ ଛାତ୍ରଛାତ୍ରୀମାନେ ଗନ୍ତବ୍ୟ ସ୍ଥଳକୁ ସୁରୁଖୁରେ ଯାଇଥିଲେ । ମାତ୍ର ପରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିଭିନ୍ନ ସାମାଜିକ ଗଗଣମାଧ୍ୟମରେ ବିଡିଓ ଶ୍ରୀ କର କୁଆଡେ ଜୟଶ୍ରୀରାମ ନାରାରେ ପ୍ରତିକ୍ରିୟାଶୀଳ ହୋଇ କିଛି ନକରାତ୍ମକ ମନ୍ତବ୍ୟ ଦେଇଥିବା ନେଇ ଅପପ୍ରଚାର ହୋଇଥିଲା । କିନ୍ତୁ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ଅନୁସନ୍ଧାନ ପରେ ସେଦିନ ବିଡିଓ ଏଥିନେଇ ସେଭଳି କିଛି ଆପତ୍ତି ଜନକ ମନ୍ତବ୍ୟ ଦେଇନଥିବା ଭାଇରାଲ ଭିଡିଓରୁ ସେମାନେ ଜାଣିବାକୁ ପାଇଥିଲେ । କିଛି ଖଳ ଓ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏଭଳି ମନଗଢା କାହାଣୀର ସର୍ଜନା କରିଥିବା ସେମାନେ ହୃଦୟଙ୍ଗମ କରିଛନ୍ତି । ଏବଂ ଏଥିନେଇ ତିହିଡି ଆଇଆଇସି ଓ ବିଡିଓଙ୍କୁ ସ୍ପଷ୍ଟ କରିଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।