ପିଠା କାର୍ଯ୍ୟକ୍ରମରେ ପିଟାପିଟ୍‌, ସରପଞ୍ଚଙ୍କ ସମେତ ୪ ଜଣ ଗୁରୁତର, ପଦାରେ ପଡିଲା ଶ୍ୟାମସୁନ୍ଦପୁର ପଞ୍ଚାୟତର ବିଜେଡିର ଦଳୀୟ କନ୍ଦଳ |

367

କଟକ (ଉତ୍କଳ ନ୍ୟୁଜ ) ୬-୦୨-୨୦୨୪ : ପିଠ ଅର୍ଥାତ୍ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ପିଟାପିଟ୍‌, ସରପଞ୍ଚଙ୍କ ସମେତ ୪ ଜଣ ଗୁରୁତର । ପଦାରେ ପଡିଲା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦପୁର ପଞ୍ଚାୟତର ବିଜେଡିର ଦଳୀୟ କନ୍ଦଳ । ପିଠା କଳି ଏବେ ରାସ୍ତାରେ ପଡି ଦାଣ୍ଡରେ ଗଡିବାରେ ଲାଗିଛି । ଆସନ୍ନ ନିର୍ବାଚନ ପରିପ୍ରେକ୍ଷିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ଲୋକଙ୍କ ନିକଟତର ହେବାରେ ଲାଗି ପଡିଛନ୍ତି । ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଆମ ଓଡିଶା, ଆମ ନବୀନରେ କର୍ମୀମାନଙ୍କୁ ଦିନରାତି କାମରେ ଲଗେଇ ରଖିଛି । ଦୈନିକ କେଉଁଠି ନା କେଉଁଠି ଦଳୀୟ କାର୍ଯ୍ୟକ୍ରମେ ନେତା ଠାରୁ ଆରମ୍ଭ କରି ଛାମୁଆ ନେତା ଓ କର୍ମୀମାନଙ୍କ ସମାଗମ ହେଉଛି । ତେବେ ମହିଳାମାନଙ୍କ ଉପସ୍ଥିତକୁ ଉପରେ ପ୍ରତ୍ୟେକ ସମାଗମ ନିର୍ଭର କରୁଥିବା ବେଶ ଅନୁମେୟ । ତେବେ ଏଇ କିଛିଦିନ ହେଲା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ସେଥିରେ ମହିଳା ସଶକ୍ତିକରଣ ଉପରେ ପ୍ରାଧ୍ୟାନ୍ୟ ଦିଆଯାଉଛି । ଭୋଟ ଉପରେ ନଜର ରଖି ବିଜୁ ଜନତା ଦଳ ଏପରି କାର୍ଯ୍ୟକ୍ରମକୁ ହାତକୁ ନେଇଛି ଏବଂ ଏନେଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଉଛି । ତେବେ ସରକାରୀ ଅର୍ଥକୁ ଖର୍ଚ୍ଚ କରିବା ନେଇ କେତେକ ସ୍ଥଳରେ ପଦାକୁ ନଆସିଲେ ମଧ୍ୟ ଭିତିରିଆ ଭାବେ ବିବାଦ ବିବାଦ ଦେଖା ଦେଉଛି । ଏଇ ଯେମିତି ଶ୍ୟାମସୁନ୍ଦପୁର ପଞ୍ଚାୟତରେ ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ବିବାଦ ଦେଖା ଦେଇଥିଲା । ସରପଞ୍ଚ ପବିତ୍ର ମୋହନ ମଳିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସୁରୁଖୁରେ ଚାଲିଥିଲା ଏବଂ ମଧ୍ୟାହ୍ନ ଭୋଜନ ସମୟରେ ବିବାଦ ଦେଖା ଦେଇଥିଲା । ଚିକେନ୍ ତରକାରୀ ବଣ୍ଟନକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିବା ସରପଞ୍ଚ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷଙ୍କ ମରଣାନ୍ତକ ଆକ୍ରମଣରେ ସରପଞ୍ଚ ଆହତ ହୋଇଥିବା ବେଳେ ରଞ୍ଜନ ମଳିକ, ଶିଶିର ମଳିକ, ରଥ ମଳିକ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା ଏବଂ ରଞ୍ଜନ ମଳିକଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ହାତରେ ବାଡି ଠେଙ୍ଗା ଧରି ୨୦ରୁ ଉର୍ଦ୍ଧ ବ୍ୟକ୍ତି ଅଚାନକ ଆଇଲେ ଆଉ ନିସ୍ତୁକ ପିଟି ଚାଲିଗଲେ ବୋଲି ସରପଞ୍ଚ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଜେଡି ଦଳ ମଧ୍ୟରେ ଗୋଷ୍ଠି ବିବାଦରୁ ଏପରି ସୃଷ୍ଟି ହୋଇଥିବା କୁହାଯାଉଛି । ଉକ୍ତ ଆକ୍ରମଣ ସମୟରେ ଜଣେ ନିରୀହ ସାଧାରଣ ଯୁବକ ରଞ୍ଜନ ମଳିକ ମାଡଖାଇ କଟକ ମେଡିକାଲରେ ଭର୍ତ୍ତୀ ହେବା ବିଜେଡିର ସ୍ୱଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଖବର ପାଇ ପୋଲିସ ଗାଡି ଘଟଣାସ୍ଥଳକୁ ଯାଇଥିଲା ହେଲେ କାହାରିକୁ ନପାଇ ଫେରି ଆସିଥିଲା । ତଥାପି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ପୀରହାଟ ଥାନା ପକ୍ଷରୁ ସୂଚନା ମିଳିଛି । ସେହିପରି ବ୍ଲକ ଅଧ୍ୟକ୍ଷାଙ୍କ ନିଜ ପଞ୍ଚାୟତ କାଁପଡାରେ ବିବାଦ ଦେଖା ଦେଇଛି । ଖୋଦ୍ ସରପଞ୍ଚ କୁନ୍ତଳା ମଳିକ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା ବେଶ ଚର୍ଚ୍ଚାର ବିଷୟ ସାଜିଛି । ଉଭୟ ପକ୍ଷ ସମାନ ଦଳ ମଧ୍ୟରେ ଅନୁବନ୍ଧିତ ହୋଇଥିବା ବେଳେ ଏପରି ବିବାଦ ସାଧାରଣରେ ଚର୍ଚ୍ଚା ଚାଲିଛି । ଠିକ୍ ସେହିପରି ବାରୋରେ ସରପଞ୍ଚକଂଗ୍ରେସ ସମର୍ôଥତ ହୋଇଥିବା ନେଇ ଆଜିର କାର୍ଯ୍ୟକ୍ରରେ ସାମିଲ ହୋଇନଥିବା ମଧ୍ୟ ଜଣାଯାଇଛି । ବେଆଇନ୍ ଭାବେ ଏହି କାର୍ଯ୍ୟକ୍ରମ ହେଉଛି ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଶସ୍ତ ଜାଗା ରହିଥିବା ବେଳେ ଅନ୍ୟତ୍ର ଚବିଶପଡା ଗାଁରେ ଜଣଙ୍କ ବ୍ୟକ୍ତି ଜମିରେ କାର୍ଯ୍ୟକ୍ରମ କରାଯାଇଛି ଯାହାକୁ ତିବ୍ର ବିରୋଧ କରିଛନ୍ତି ସରପଞ୍ଚ ଉଦ୍ଧବ ଚରଣ ନାୟକ । ଏହା ପଞ୍ଚାୟତବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବଦଳରେ ଦଳୀୟ ମନୋଭାବ ସୃଷ୍ଟି କରଯାଉଛି ବୋଲି ଶ୍ରୀ ନାୟକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |