ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ |

29

କଟକ (ଉତ୍କଳ ନ୍ୟୁଜ ) ୦୫-୦୨-୨୦୨୪ : ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ୟୟ ବରାଦର ଭେଳିକି, କେତେ ଖର୍ଚ୍ଚ କରୁଛ ତାର ସ୍ପଷ୍ଟୀକରଣ ଦିଅ । ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ଅର୍ଥ ବରାଦ ହୋଇଛି ବୋଲି ଆତ୍ମବଡ଼ିମା ପ୍ରଦର୍ଶନ ବଦଳରେ ଗତ ନଅ ବର୍ଷରେ ବରାଦ ଅର୍ଥରୁ କେତେ ବ୍ୟୟ କରାଯାଇଛି ତା’ର ସ୍ପଷ୍ଟୀକରଣ ଦେବା ହେବ ସାଧୁତାର ପରିଚୟ । ଗତବର୍ଷ ରେଳ ବଜେଟରେ ୨୮୪ କୋଟି ଲେଖାଏଁ ଜନଜାତି କରିଡ଼ର ଓ ଏନର୍ଜି କରିଡର ପାଇଁ ଓ ୫୭ କୋଟି ଟଙ୍କା ବନ୍ଦର ସଂଯୋଗୀକରଣ ପାଇଁ ବ୍ୟୟ ବରାଦ କରା ଯାଇଥିଲା । ଏହା ମଧ୍ୟରୁ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବନ୍ଦର ସଂଯୋଗୀକରଣ ପାଇଁ ହୋଇଥିବା ବ୍ୟୟ ବରାଦରୁ ପଇସାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ । ଯଦି ଯାଜପୁର ରୋଡ଼-ଧାମରା କିମ୍ବା ଗୋପାଳପୁର- ସମ୍ବଲପୁର ରେଳପଥ ପାଇଁ ଅର୍ଥ ବ୍ୟୟ କରାଯାଇ ଥାଆନ୍ତା ତାହାହେଲେ ସରକାରୀ ଦାବିର ସତ୍ୟତା ଥାଆନ୍ତା । ଓଡ଼ିଶାରେ ରହିଛି ତିନୋଟି ବନ୍ଦର ଯଥା ପାରାଦୀପ, ଗୋପାଳପୁର ଓ ଧାମରା । ରେଳବାଇ କେଉଁ ବନ୍ଦର ସହିତ ସଂଯୋଗୀକରଣ ପାଇଁ କେତେ ଖର୍ଚ୍ଚ କଲା । ରେଳ ବଜେଟରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ଓ ତାଳଚେର-ବିମଳାଗଡ଼ ନୂତନ ରେଳପଥ ପାଇଁ ଯଥାକ୍ରମେ ୧୩୫୦ କୋଟି ଓ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ ଯେତିକି ସ୍ୱାଗତଯୋଗ୍ୟ ଅନ୍ୟ ପାଞ୍ଚଟି ନୂତନ ରେଳପଥ (ବୁଢାମରା-ଚାକୁଳିଆ, କିରିବୁର-ବଡ଼ବିଲ, ଦୀଘା-ଜଳେଶ୍ୱର, ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ) ପାଇଁ ମାମୁଲି ଭାବେ ମାତ୍ର ୧୦୦୦ କୋଟି ଲେଖାଏଁ ଲେଖାଏଁ ବ୍ୟୟ ବରାଦ ସେତିକି ହାସ୍ୟାସ୍ପଦ ବୋଲି କୁହାଯାଇଛି । ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକଙ୍କ ସଭାପତିରେ ଅନୁଷ୍ଠିତ ଉକ୍ତ ସଭାରେ ରାଧା ଦାସ, ପ୍ରଫୁଲ୍ଲ ପାଢ଼ୀ, ନିରଂଜନ ପାଣି, ବିଷ୍ଣୁ ଦାଶ, ବିନୋଦ ସାହୁ, ନବ ବେହେରା, କାଳନ୍ଦୀ ପାତ୍ର, ଜୈନୁଲ ଅବେଡିନି, ଗୟାଧର ସାହୁ, ଚକ୍ରଧର ପାତ୍ର, ସେକ କାଲୁ, ସେକ ଜନି, ମାନସ ରଞ୍ଜନ ବିଶ୍ୱାଳ, କୃଷକ ନେତା ଚନ୍ଦ୍ର ଶେଖର ନାୟକ, ଦିଲ୍ଲୀପ ନାଥ, ସେମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ରେଳ ବିଭାଗ ଯାଜପୁର ରୋଡ ଧାମରା ରେଳ ପଥ ନିର୍ମାଣ ପାଇଁ ସର୍ଭେ ସରିଥିଲେ ମଧ୍ୟ ଚଳିତ ଆର୍ôଥକ ବର୍ଷରେ ବଜେଟ୍‌ରେ ଅର୍ଥ ବ୍ୟୟ ବରାଦ କରା ଯାଇନଥିବା ଆଲୋଚନା ହୋଇଥିଲା । ପରେ ଷ୍ଟେସନ ମଧ୍ୟକୁ ଯାଇ ଏକ ମାଲବାହୀ ଟ୍ରେନ ସମ୍ମୁଖରେ ପିକେଟିଂ କରିବାରୁ ରେଳବାଇ ପୋଲିସ ଆନ୍ଦୋଳନକାୀ ମାନଙ୍କୁ ଗିରଫ୍ କରି ଆରପିଏଫ ଅଫିସରେ ଅଟକ ରଖିଥିଲେ ଓ ଦିନ ଏକ ଘଟିକା ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିଲେ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |