ଜଗନ୍ନାଥଙ୍କୁ ଅପମାନିତ ଘଟଣାରେ ବିଜେପିର ବିକ୍ଷୋଭ ଓ ପ୍ରତୀକ ଧାରଣା |

116

କଟକ (ଉତ୍କଳ ନ୍ୟୁଜ ) ୦୨-୦୨-୨୦୨୪ : ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ପରେ ଜଗନ୍ନାଥଙ୍କୁ ଅପମାନିତ କରିବା ସହିତ ଅଳିଆଗଦାରେ ପକାଯାଇଥିବା ଘଟଣାରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯାଇଥିଲା । ମହୋତ୍ସବ ଉଦ୍‌ଯାପନୀ ପରେ ସମସ୍ତ ସାମଗ୍ରୀ ସୁରକ୍ଷିତ ରଖାଯାଇଥିବା ବେଳେ ମହାପ୍ରଭୁଙ୍କୁ ଅଳିଆ ଆବର୍ଜ୍ଜନାରେ ରଖି ଦିଆଯାଇଥିଲା । ଖରା, ବର୍ଷା ଓ କାକରରେ ପ୍ରଭୁ ଜଗନ୍ନାଥ ତଥାପି ଝଲସୁଥିଲେ ହେଲେ ଏପରି କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି । କେବଳ ସେତିକି ନୁହେଁ ବରଂ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ନିଆଯିବ ବୋଲି ପ୍ରଶ୍ନ କରିଥିଲା ବିଜେପି । ଏହି ଦୃଶ୍ୟ ହେଉଛି ଭଦ୍ରକ ନେହେରୁ ଷ୍ଟାଡିୟମରେ ପରିସରରେ ହେଉଥିବା ଭଦ୍ରାୟଣୀ ମହୋତ୍ସବ ପରର ଦୃଶ୍ୟ । ସାରା ରାଜ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ସବୁଠି ଗର୍ବ କରୁଥିବା ବେଳେ ଭଦ୍ରକ ପ୍ରଶାସନର ମହାପ୍ରଭୁଙ୍କ ପ୍ରତି ଏଭଳି ବ୍ୟବହାର ଅତି ନିନ୍ଦନୀୟ ବୋଲି ସବୁଠି ଚର୍ଚ୍ଚା ହୋଇଥିବା ବେଳେ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଏ ନେଇ ବିଜେପି ପକ୍ଷରୁ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲା ପ୍ରଶାସନ କ୍ଷମା ପ୍ରାର୍ଥନା କରୁ ବୋଲି କହିଛି । ଭଦ୍ରାୟଣୀ ପରେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣାରେ ଜିଲ୍ଲାପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସୂଚନା । ବ୍ଲାକ ଲିଷ୍ଟେଡ଼ ହେଲା ଟେଣ୍ଟ ହାଉସ । ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାନଯିବା ନେଇ ଜାରି ହେଲା କଟକଣା । ସମ୍ପୃକ୍ତ ସଂସ୍ଥାକୁ ନୋଟିସ ହୋଇଛି । ଅତିରିକ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ । ସୂଚନା ଥାଉକି, ଭଦ୍ରାୟଣୀ ମହୋତ୍ସବରେ ପ୍ରଶାସନିକ ପଦାଧିକାରୀଙ୍କ ସମେତ ନେତା ଓ ଛାମୁଆ ନେତାଙ୍କର ହୋଇଥିଲା ଗହଳି । ନିଜକୁ ପରିଚିତ କରିବା ଲକ୍ଷ୍ୟରେ କିଏ କେତେ କଣ ଅଭିନୟ ମଧ୍ୟ କରିଥିଲା । ଅଧା ଲଙ୍ଗଳା ନୃତ୍ୟ ସହିତ ଅରୁଚିକର ସଂଗୀତ ମଧ୍ୟ ପରିବେଷିତ ହୋଇଥିଲା ମଞ୍ଚରେ । ତଥାପି ଲୋକଙ୍କ ସମାଗମ ହୋଇଥିଲା । ଯେନତେନ ପ୍ରକାରରେ ମହୋତ୍ସବକୁ ସଫଳ କରିବା ନେଇ ଆଗେଇଥିଲା ପ୍ରଶାସନ । ହେଲେ ମହୋତ୍ସବ ସରିବା ପରେ ଜଗନ୍ନାଥଙ୍କୁ ଅପମାନିତ କରିବା ସହିତ ଅଳିଆ ଆବର୍ଜନାରେ ପକେଇ ଦେଲା ପ୍ରଶାସନ । ଏବେ ସାମାନ୍ୟ ଟେଣ୍ଟ ହାଉସ ଉପରେ ଦାଉ ସାଜି ନିଜକୁ ସ୍ୱଚ୍ଛତାର ପ୍ରମାଣ ଦେବାକୁ ଯାଉଛି ପ୍ରଶାସନ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |