ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ |

218

କଟକ (ଉତ୍କଳ ନ୍ୟୁଜ ) ୨୭-୦୧-୨୦୨୪ : ସମଗ୍ର ଜୀବନ ହିଁ ଯୋଗ । ଜୀବନକୁ ଭଲ ପାଇବା ସହିତ କର୍ମ ଓ ଶିକ୍ଷାର୍ଜନ ରହିଲେ ସମାଜର ଦୁଃଖ ଦୂର ହୋଇପାରିବ । ସମର୍ପିତ କର୍ମ ମାଧ୍ୟମରେ ଜଣେ ଭଗବାନଙ୍କର ନିକଟତର ହୋଇଥାଏ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍କ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବର ଉଦ୍‌ଘାଟନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ମାତୃଭକ୍ତ ଶରତ କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଶତାୟୁ ପୁରୁଷ ସାହିତ୍ୟିକ ଜିଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ମୁଖ୍ୟ ଲକ୍ଷ୍ମୀଧର ପାଗଳ, ସହମୁଖ୍ୟ ପ୍ରଦୀପ କୁମାର ଜେନା, ମାତୃଭକ୍ତ ଶାନ୍ତନୁ କୁମାର ଦାସ, ନବଜୀବନ ଶିକ୍ଷା ସଂସଦର ଜିଲା ସଂଯୋଜକ ନାରାୟଣ ଅଗସ୍ତୀ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍କୁଲର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ଅଜୟ କୁମାର ପତି ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ପାର୍ଥସାରଥି ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ । ସକାଳେ ମାତୃ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡ. ଗୋଲକ ବିହାରୀ ସାହୁ, ମେନେଜିଂ ଟ୍ରଷ୍ଟି ହରିହର ସେନାପତି, ନୃସିଂହ ଚରଣ ମହାପାତ୍ର, ବିଷ୍ଣୁ ମୋହନ ନାୟକ, ସଞ୍ଜୟ କୁମାର ଦାସ ଓ ରାଜେଶ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅପରାହ୍ନରେ ଆଧ୍ୟାତ୍ମିକ ଚେତନା ସମ୍ପର୍କିତ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରାମନାରାୟଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରସାଦ ତ୍ରିପାଠୀ, ମୁଖ୍ୟବକ୍ତାଭାବେ ଅଧ୍ୟାପକ ଭବେଶ କୁମାର ସାହୁ, ସମ୍ମାନୀତ ଅତିଥିଭାବେ ତିହିଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜ୍ୟୋତର୍ମୟ କର ଓ ସ୍କୁଲର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ସଂଧ୍ୟାରେ ହାସ୍ୟ ଅଭିନେତା ଓ ଅଭିନେତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଚ, ଗୀତର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।