ନେତାଜୀଙ୍କ ଜନ୍ମପୀଠରେ ନେତାଜୀ ଜୟନ୍ତୀ ପାଳିତ |

27

କଟକ (ଉତ୍କଳ ନ୍ୟୁଜ ) ୨୩.୦୧.୨୦୨୪: ଆଜି ଭାରତର ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ୍ ହିନ୍ଦ ଫୌଜର ସ୍ରଷ୍ଟା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ଅବସରରେ ଆଜି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ ଜାନକୀନାଥ ଭବନଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାଶ, କଟକ ମହାନଗର ନିଗମର ମେୟର, ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନରହରି ସେଠୀ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର, ଓଡିଶା ଲଳିତକଳା ଏକାଡେମୀ ସଚିବ ଶ୍ରୀ ପଞ୍ଚାନନ ସାମଲ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ସୁପ୍ରିୟ ବୋଷ ଓ ଚିତପ୍ରିୟ ବୋଷ ପ୍ରମୁଖ ଉପସ୍ଥିତ ରହି ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଏହି ମହାନ୍ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ନେତାଜୀ ସଂଗ୍ରହାଳୟ ପରିସରରେ ଲଳିତ କଳା ଏକାଡେମୀ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀଙ୍କ ଜୀବନର ପ୍ରମୁଖ ଘଟଣାବଳୀକୁ ନେଇ ଆୟୋଜିତ ମୃଣ୍ମୟ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀର ୧୮ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ଉତରୀୟ, ମାନପତ୍ର ଓ ୧୫ ହଜାର ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।