ଦୁଇଟିି ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ହାନି |

138

କଟକ (ଉତ୍କଳ ନ୍ୟୁଜ ) ୨୨-୦୧-୨୦୨୪ ; ଦୁଇଟି ଦୁର୍ଘଟଣାରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୪ ଜଣଙ୍କର ଜୀବନ ଯାଇଛି । ପ୍ରଥମଟି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା-ଈଶ୍ୱରପୁର ରାସ୍ତା କାଁପଡା ଗାଁ ନିକଟରେ ଏକ ଦୁର୍ଘଟଣାରେ ବୀରଚନ ଦାସ(୫୫) ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବୀରଚନ ଶ୍ରମିକ ଭାବେ କାମ କରନ୍ତି । ଗତକାଲି ରାତି ପ୍ରାୟ ୧୦ ଘଟିକା ସମୟରେ ଏକ ଟ୍ରାକ୍ଟରରେ ଧାନ ବୋଝେଇ କରି କାଁପଡା ଅଭିମୁଖେ ଆସୁଥିଲେ । ରାସ୍ତା ଖରାପ ଥିବାନେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଦୁର୍ଘଟଣାରେ ବୀରଚନ ଧାନ ବସ୍ତା ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଓ ଅନ୍ୟମାନେ ମେଡିକାଲରେ ମୃତକଙ୍କ ଶେଷ ଦର୍ଶନ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏକ ଦୁଘର୍ଟଣା ଜନିତ ମାମଲା ରୁଜୁ କରି ପୋଲସି ଶବକୁ ଜବତ କରିଥିବା ବେଳେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା । ମାତ୍ର ରବିବାର ଅପରାହ୍ନରେ ଗ୍ରାମବାସୀ ଶବକୁ ରାସ୍ତାରେ ରଖି କ୍ଷତି ପୂରଣ ଦାବି କରିଥିଲେ । ତିହିଡି ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ରବିବାର ମଧ୍ୟାହ୍ନରେ ଘଟିଛି ଆଉ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏଥିରେ ୩ ଜଣ ଯୁବକଙ୍କ ପ୍ରାଣହାନି ହୋଇଥିବା ସୂଚନା ମିଳିଛି । ମୃତକ ତିହିଡି ତହସିଲ ନିକଟସ୍ଥ ପଧାନସାହିର ଶଙ୍କୁର ପଧାନ(୨୦), ଜିତୁ ପଧାନ(୨୧) ଓ ବାପି ପଧାନ(୨୧) ବୋଲି ଜଣାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ହାଇଟେକ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ଘଟିଥିଲା ଦୁର୍ଘଟଣା । ବାଇକ୍‌ରେ ଏହି ୩ ଜଣ ସୋର ଅଭିମୁଖେ ଯାଉଥିବା ବେଳେ ପଛପଟରୁ ଏକ ଅଜଣା ଟ୍ରକ ଧକ୍କା ଦେଇଥିବା କୁହାଯାଉଛି । ଏକ ଏକାଦଶାହ କର୍ମ ପାଇଁ ୩ ଜଣ ଯୁବକ ସୋର ମାଟିଆପଲା ଗ୍ରାମକୁ ଯାଉଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ସହ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଏନେଇ ତିହିଡି ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |