ରାଜ୍ୟ ସରକାରଙ୍କ ପ୍ରଚାର ପ୍ରସାରରେ ମାସାଧିକ କାଳ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ |

125

କଟକ (ଉତ୍କଳ ନ୍ୟୁଜ ) ୧୧-୦୧-୨୦୨୪ : ରାଜ୍ୟ ସରକାରଙ୍କ ପ୍ରଚାର ପ୍ରସାରରେ ମାସାଧିକ କାଳ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ । ଏକଥା ଆମେ କହୁନୁ ଚାରିଆଡେ କୁହାକୁହି ହେଉଛନ୍ତି । କଲେଜ ପରିସରରେ ଆୟୋଜିତ ଉତ୍ସବରେ ଜନପ୍ରତିନିଧିମାନେ ସରକାରଙ୍କ ସଫଳତା ବଖାଣିବା ଛାତ୍ରଛାତ୍ରୀମାନଙ୍କୁ କେଉଁ ଶିକ୍ଷା ଦେଇଥିବା ତାହା ବେଶ ଅନୁମାନ କରାଯାଉଛି । ବର୍ଷର ଶେଷ ଭାଗରେ ପାଠପଢା ଜୋରଦାର ଚାଲୁଥିବା ବେଳେ ନୂଆ-ଓ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ଆହୂତ ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ମାସାଧିକ କାଳ ହେଲା ଶିକ୍ଷାଳୟକୁ କବଜା କରିରଖିଛି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବାନ୍ଧି ଦେଇଛି । କଲେଜମାନଙ୍କରେ ମାସାଧିକ କାଳ ସବୁଦିନ ବାଜା ବାଜୁଥିଲା । କ୍ୟାମ୍ପସ୍ ସାରା ବଡ଼ବଡ଼ ହୋଡିଂ, ବ୍ୟାନର୍ସ, ଫାଟକରେ ତୋରଣ, ସାଜସଜ୍ଜା, ଖାଦ୍ୟପାନୀୟ ଓ ନାଚଗୀତର ମାହୋଲରେ ପୂରିଉଠୁଥିଲା ଶିକ୍ଷାର ପରିସର । ନୂଆ-ଓ ର ତିନୋଟି କ୍ଲବ୍ ଗଠନ କରାଯାଇଥିଲା | ଯେଉଁଥିରେ ସାଂସ୍କୃତିକ ଓ କ୍ରୀଡ଼ାର ବିଭିନ୍ନ ପ୍ରତିଯୋଗିତା ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ ହୋଇଥିଲା । ପ୍ରତି କ୍ଲବରେ ନୋଡାଲ୍ ଅଫିସରଙ୍କ ସମେତ ଅଲଗା ଅଲଗା କୋଅର୍ଡିନେଟର ଓ ଛାତ୍ରଛାତ୍ରୀ ପ୍ରତିନିଧି ରହିଥିଲେ । କାର୍ଯ୍ୟକ୍ରମ ପାଇଁ ଅର୍ଥବରାଦ ହୋଇଛି ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସାଧାରଣତଃ ଡିସେମ୍ବର ଓ ଜାନୁଆରୀ ମାସରେ ଶିକ୍ଷକମାନେ ପାଠ୍ୟଖସଡା ଅନୁଯାୟୀ କୋର୍ସ ସାରିବା ଓ ରିଭିଜନ କରାଇବାରେ ବ୍ୟସ୍ତ ରହିଆସୁଥିଲେ । କିନ୍ତୁ ଏଥର ନୂଆ-ଓ ଦାୟିତ୍ୱରେ ରହି କେଉଁଠି ବାଜାବାଲା ଓ ଟେଣ୍ଟବାଲାଙ୍କୁ ଖୋଜାପଡୁଥିଲା ତ କେଉଁ ଶିକ୍ଷକ କ୍ୟାମ୍ପସରେ ଖାଦ୍ୟପୁଡିଆ ଧରି ବାଣ୍ଟୁଥିଲେ । ସେପଟେ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ପରୀକ୍ଷାଚିନ୍ତା । ଯୁକ୍ତଦୁଇ ଶେଷବର୍ଷ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଗଲାଣି । ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଯୁକ୍ତତିନିର ସେମିଷ୍ଟାର ପରୀକ୍ଷାଗୁଡିକୁ ନୂଆ-ଓ ପାଇଁ ବାରମ୍ବାର ଘୁଞ୍ଚାଇ ଦେଉଛନ୍ତି । ମୁଖ୍ୟତଃ ଯୁକ୍ତତିନି ଶେଷବର୍ଷ ୫ମ ସେମିଷ୍ଟାର ପରୀକ୍ଷା ଏଯାଏ ଆରମ୍ଭ ହୋଇ ପାରୁନାହିଁ । ଷଷ୍ଠ ସେମିଷ୍ଟାର ପାଇଁ କଲେଜରେ ପାଠପଢିବା ତ ଦୂରର କଥା, ନିଜେନିଜେ ପ୍ରସ୍ତୁତ ହୋଇ ଶେଷ କରିବାକୁ ସମୟ ଅଣ୍ଟିିବ ନାହିଁ । ଏଣେ ପରୀକ୍ଷାଫଳ କେବେ ପ୍ରକାଶ ପାଇବ ଓ ସେମାନେ ପରବର୍ତ୍ତୀ ଏଣ୍ଟ୍ରା ନସ ପାଇଁ କେମିତି ପ୍ରସ୍ତୁତ ହେବେ, ସେଥିଲାଗି ଚିନ୍ତାରେ ପଡିଛନ୍ତି । ‘ନୂଆ-ଓ' କାର୍ଯ୍ୟକ୍ରମ ପାଇଁ ଆକସ୍ମିକ ଭାବେ ଗୋଟେ ପରେ ଗୋଟେ ସରକାରୀ ନିର୍ଦ୍ଦେଶାବଳୀ ଜିଲ୍ଲାପାଳ, ବିଡିଓ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କୁ ଏମିତି ଭାବେ ଆସଥିଲେ ଯେ ତୁରନ୍ତ ସମସ୍ତେ ଏଥିପାଇଁ ତତ୍ପର ହୋଇପଡିବା ସହିତ ପାଠପଢା ଓ ପରୀକ୍ଷାଗୁଡ଼ିକୁ ସ୍ଥଗିତ ରଖୁଥିଲେ । ଉଭୟ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ପ୍ରତ୍ୟେକ ଶିକ୍ଷାର୍ଥୀ-ପରୀକ୍ଷାର୍ଥୀ ଘୋରତର ପ୍ରଭାବିତ ହୋଇଛନ୍ତି । ଜଣେ ପରୀକ୍ଷାର୍ଥୀ ରାତି ପାହିଲେ ପରୀକ୍ଷା ଦେବାକୁ ଯିବ ବୋଲି ମାନସିକ ଭାବେ ପ୍ରସ୍ତୁତ ହେଉଥିବା ବେଳେ ବାରମ୍ବାର ହଠାତ୍ ପରୀକ୍ଷା ଘୁଞ୍ଚାଇ ଦିଆଗଲା ବୋଲି ଖବର ପାଇ ମର୍ମାହତ ହୋଇଛନ୍ତି । ଏବେ ନୂଆ-ଓ ଶିକ୍ଷା, ଶିକ୍ଷକ, ଶିକ୍ଷାର୍ଥୀ ଓ ସମଗ୍ର ଶିକ୍ଷାୟତନକୁ ଦାରୁଣ ପୀଡା ଦେଉଛି ବୋଲି ଶିକ୍ଷାବିତ୍‌, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |