ଶାରିରୀକ, ମାନସିକ ଓ ଯୌତୁକ ନିର୍ଯ୍ୟାତନାର ଶିକାର ହେଲେ ବିଟେକ୍ ମହିଳା |

201

କଟକ(ଉତ୍କଳ ନିଉଜ)୩୧/୧୨/୨୦୨୩ : ଶାରିରୀକ, ମାନସିକ ଓ ଯୌତୁକ ନିର୍ଯ୍ୟାତନାର ଶିକାର ହେଲେ ବିଟେକ୍ ମହିଳା, ଅଭିଯୁକ୍ତ ସ୍ୱାମୀ ପୋଲିସ କର୍ମଚାରୀ ବୋଲି ମାମଲା ରୁଜୁ ପରେ ମଧ୍ୟ ନିଆଯାଉନି ପଦକ୍ଷେପ । ସ୍ୱାମୀଙ୍କ ନେଇ ରହିଥିଲା ଅସୁମାରୀ ସ୍ୱପ୍ନ, ସରକାରୀ ଚାକିରୀ କରିଛନ୍ତି ସ୍ୱାମୀ, ଆବଶ୍ୟକ ପଡିଲେ ନିଜେ ଚାକିରୀ କରିବେ ଏବଂ ସୁଖର ସଂସାର ଚାଲିବାର ଲକ୍ଷ୍ୟ ରଖିଥିଲେ ମହିଳା । ହେଲେ ବିବାହ ପରେ ଯୌତୁକ ରୂପୀ କାଳରାକ୍ଷସ କବଳରେ ନିଜର ଜୀବନ ମାଟିରେ ମିଶିବାକୁ ଯାଉଛି । ନ୍ୟାୟ ମିଳିବା ତ ଦୂରର କଥା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଉନି ପଦକ୍ଷେପ ଏବଂ ଯୌତୁକ ସାମଗ୍ରୀ ତଥା ନଗଦ୍ ଟଙ୍କା ମଧ୍ୟ ଫେରସ୍ଥ ମିଳୁନି । ଥାନାରେ ବାରମ୍ବାର ଦ୍ୱାରସ୍ଥ ହେବାପରେ ଶେଷରେ ପିତାମାତାଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିଛନ୍ତି ନିର୍ଯ୍ୟାତିତା ମହିଳା । ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜାନୁଗଞ୍ଜ ଅଞ୍ଚଳର । ଭଦ୍ରକ ରିଜର୍ଭ ପୋଲିସରେ କାର୍ଯ୍ୟରତ କନେଷ୍ଟବଲ ପବିତ୍ର କୁମାର ଦେଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇ ପଞ୍ଚାୟତ ଅଧିନ ସୁନ୍ଦରଗଡିଆ ଗାଁର ରବିନ୍ଦ୍ରନାଥ ଘୋଷଙ୍କ ଝିଅ ସ୍ୱାତୀ ଘୋଷଙ୍କୁ ଗତ ତା ୦୪.୦୨.୨୨ରିଖରେ ବୈଦ୍ଦିକ ଋତିରେ ବିବାହ କରିଥିଲେ । ବିବାହ ସମୟରେ ୨.୫ ଲକ୍ଷ ଟଙ୍କା ଯୌତୁକ ଅନ୍ୟାନ୍ୟ ସୁନା ଅଳଙ୍କାର ଓ ସମସ୍ତ ସାମଗ୍ରୀ କଥା ହୋଇଥିଲା ମାତ୍ର ୧.୫ ଲକ୍ଷ ଦେଇ ସ୍ୱାତୀଙ୍କ ବାପା ପରେ ଦେବେ ବୋଲି କହିଥିଲେ । ସ୍ୱାତୀଙ୍କୁ ସ୍ୱାମୀ ସମେତ ଶ୍ୱଶୁର ଘର ଲୋକେ ମାନସିକ, ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ବିବାହର ମାତ୍ର ଅଢେଇ ମାସ ପରେ ସ୍ୱାମୀ ପର କରିଦେଲା । ପ୍ରଥମେ ସ୍ୱାମୀ ନିଜ ଭଉଣୀ ଘରେ ଓ ମାମୁଁ ଘରେ ସ୍ୱାତୀଙ୍କ ଛାଡି ସେମାନଙ୍କ ଘର କାମ ତୁଲାଇ ଆସୁଥିଲେ । ପରେ ଶ୍ୱଶୁର ଘରକୁ ଯାଇଥିଲେ ସ୍ୱାତୀ । ସେଠାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢିଥିଲା । କଥା କଥାକେ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ ପବିତ୍ର । ତାଙ୍କର ପରକ୍ରିୟା ପ୍ରୀତି ଥିବା ସ୍ୱାତୀ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ସେ ନାନାଦି ଧମକ ଚମକ ଦେଇଥିଲେ ଏବଂ ଆଉ ଥରେ ପ୍ରତିବାଦ କଲେ ଜୀବନରୁ ମାରିଦେବାକୁ ଚେତାବନି ଦେଇଥିଲେ । ସ୍ୱାତୀକୁ ଜଣେ ମାନସିକ ରୋଗୀ ବୋଲି ଅବିହିତ କରି ସେମାନେ ବଳପୂର୍ବକ ଔଷଧ ଦେଉଥିଲେ ଯାହାକୁ ବିରୋଧ କରିଥିଲେ ସ୍ୱାତୀ । ଶେଷରେ ଗତ ୧୧.୧୦.୨୨ରିଖରେ ସ୍ୱାମୀ ସମେତ ଶ୍ୱଶୁର ଘର ଲୋକେ ସ୍ୱାତୀକୁ ବାପ ଘରେ ଛାଡି ଆସିଲେ । ତଥାପି ସ୍ୱାତୀର ବାପା ଆପୋଷ ବୁଝାବଣା କରିବା ନେଇ ଆଗଭର ହୋଇଥିଲେ ମାତ୍ର ପବିତ୍ର ରାଜି ନହେବା ଏପରିକି ମାତ୍ରାଧିକ ନିର୍ଯ୍ୟାତନା ଦେବାର ଧମକ ଦେଇଥିଲେ । ପୋଲିସ କର୍ମଚାରୀ ବୋଲି ଧମକ ଦେବା ସହିତ ଜଣେ ମହିଳା କନେଷ୍ଟବଲଙ୍କୁ ବିବାହ କରି ସୁଖରେ ସଂସାର କରିବେ ବୋଲି ପବିତ୍ର ଧମକ ରୋକ୍‌ଠୋକ୍ କହିଥିଲେ । ଏନେଇ ସ୍ୱାତୀ ଗତ ତା ୧୩.୧୧.୨୩ରିଖରେ ଥାନାରେ ଏତଲା ଦେଇଥିଲେ । ତଦନ୍ତ ପରେ ସ୍ୱାମୀ ସମେତ ଅନ୍ୟମାନଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି ହେଲେ ଏଯାବତ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଯୌତୁକ ସାମଗ୍ରୀ ମଧ୍ୟରେ ପୋଲିସ ମାଧ୍ୟମରେ କାଁଭାଁ ହସ୍ତାନ୍ତର ହୋଇଥିବା ବେଳେ ବିବାହ ସମୟରେ ତାଙ୍କ ବାପା ଯେଉଁ କଷ୍ଟ କରି ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ ତାକୁ ସମ୍ପୃକ୍ତ ଅଭିଯୁକ୍ତ ଫେରାଉ ନାହାନ୍ତି । ଶେଷରେ ନିରୁପାୟ ହୋଇ ପିତାମାତାଙ୍କୁ ସାଙ୍ଗରେ ନେଇ ଭଦ୍ରକ ଏସପିଙ୍କୁ ଭେଟି ଯୌତୁକ ଟଙ୍କା ଫେରସ୍ଥ ସହ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ୱାତୀ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।