ପୁଅ ନିଖୋଜର ୩ ମାସ ପରେ ବି ମିଳୁନି ପତ୍ତା, ନ୍ୟାୟ ନମିଳିଲେ ନବୀନ ନିବାସ ଆଗରେ ଧାରଣା ଚେତାବନି |

179

କଟକ(ଉତ୍କଳ ନିଉଜ)୨୬/୧୧/୨୦୨୩ : ପୁଅ ନିଖୋଜର ୩ ମାସ ପରେ ବି ମିଳୁନି ପତ୍ତା । ବନ୍ଧୁ ବାନ୍ଧବ, ସହପାଠୀଙ୍କୁ ପଚାରି ପଚାରି ମନ ବୁଝୁନି । ସେପଟେ ପୋଲିସ ବି ଆଜିକାଲି କହି ଟାଳି ଚାଲିଛି । ସନ୍ଦେହ କରୁଥିବା ଲୋକଙ୍କ ମୋବାଇଲ୍ ନମ୍ବର ବି ଯାଞ୍ଚ କରୁନି ପୋଲିସ । ପିତାମାତାଙ୍କ ଆଖିରୁ ଶୁଖୁନି ଲୁହ ଆଉ ପାଟିକୁ ଆହାର ଯାଉନି । ଦିନ ଗଣିଗଣି ଏମିତି ଚାଲିଗଲାଣି ୩ ମାସ । ପୋଲିସର ହାତପାହାନ୍ତରେ ବି ମିଳୁନି ନାୟ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ନ୍ୟାୟ ନିଳିମିଲେ ଶେଷରେ ନବୀନ ନିବାସ ଆଗରେ ଧାରଣ ଦେବାକୁ ଚେତାବନି ଦେଇଛନ୍ତି ପିତାମାତା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କମାରିଆ ଗ୍ରାମର ବାସିନ୍ଦା ଭଦ୍ରକ ଜଗନ୍ନାଥପୁର(ଯୁଗଳ କିଶୋର ପଟ୍ଟନାୟକଙ୍କ ଘର ପାଖ)ରେ ଭଡାଘରେ ରହୁଥିବା ରବିନ୍ଦ୍ର ସାହୁଙ୍କ ସାନପୁଅ ଜିତେନ୍ଦ୍ର ସାହୁ (୧୮) ଗତ ତା ୨୪.୦୮.୨୩ରିଖରେ ଘରୁ ସାଇକେଲ ନେଇ ଯାଇଥିଲା ହେଲେ ଆଉ ଫେରିନାହିଁ । ଏନେଇ ଟାଉନ୍ ଥାନାରେ ଏକ ନିଖୋଜ ମାମଲା ୫୫/୨୩ ରୁଜୁ ହୋଇଛି । ମାତ୍ର ୩ ମାସି ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବା ବଡ ବିଡମ୍ବନାର ବିଷୟ ସାଜିଛି । ସୂଚନା ମୁତାବକ, ପିତା ରବୀନ୍ଦ୍ର ସାହୁ ସ୍ଥାନୀୟ ବାଳିକା ହାଇସ୍କୁଲ ନିକଟରେ ଏକ ଠେଲାଗାଡିରେ ତେଲଭାଜୀ ଦୋକାନ କରି ପରିବାର ପୋଷଣ କରନ୍ତି । ପୁଅ ମେଟ୍ରିକ ପାଶ କରିବା ପରେ ୨୦୨୩ରେ ଆଗରପଡାସ୍ଥିତ ଆଦର୍ଶ ବିଦ୍ୟାଳୟରେ ଯୁକ୍ତଦୁଇରେ ପାଠ ପଢେ । ସେଦିନ ଘରୁ ଯିବାବେଳେ ଜିତେନ୍ଦ୍ର ଗୋଟିଏ ଖଇରିଆ କଲର ବ୍ୟାନିଅନ ଓ କଳା ପ୍ୟାଣ୍ଟ ପିନ୍ଧିଥିବା ସୂଚନା ମିଳିଛି । ପୁଅ ଘରକୁ ନଫେରିବାରୁ ବନ୍ଧୁ ବାନ୍ଧବ ଅନୁସନ୍ଧାନ ଓ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ସମୟରେ ଦୁଇଦିନ ପରେ ପୁଅର ସାଇକେଲଟି ଚରମ୍ପା ରେଲୱେ ଷ୍ଟେସନ ପାଖରୁ ମିଳିଥିଲା । ଅଧିକ ତଦନ୍ତ ପାଇଁ ଜିତେନ୍ଦ୍ର ବ୍ୟବହାର କରୁଥିବା ମୋବାଇଲ ନଂ ୯୧୧୪୬୮୮୫୬୨ଟିକୁ ପୋଲିସ ନେବାପରେ ନିରବଦ୍ରଷ୍ଟା ରହି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ପରିବାରବର୍ଗ ମନସ୍ତାପରେ ଥିବାବେଳେ ହଠାତ ମୋବାଇଲ ନଂ ୭୮୯୪୫୫୯୦୬୩ ନମ୍ବରରୁ ଘର ମୋବାଇଲ ନଂ୭୦୬୪୫୮୮୫୬୨ କଲ ଆସିଥିଲା । ଫୋନ୍ ରିସିଭ କରିବାରୁ “ଜିତେନ୍ଦ୍ର ସାହୁ ୨-୪ଦିନ ମଧ୍ୟରେ ଘରକୁ ଫେରି ଆସିବ, ପୁଅ ପାଇଁ ବ୍ୟସ୍ତ ହୁଅନା” ବୋଲି ସାନ୍ତନ୍ୱା ମିଳିଥିଲା । ଫୋନ୍‌ରେ ସେମାନେ କୌଣସି ପରିଚୟ ଦେଲେ ନାହିଁ, ଠିକଣା ଗୁପ୍ତ ରଖି ପୁଅ ମିଳିବାର ପ୍ରତିଶୃତି ଦେଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ଥାନାବାବୁଙ୍କ ଅବଗତ କରାଯାଇଥିଲେ ମଧ୍ୟ ଫଳ ଶୂନ୍ । ଉକ୍ତ ମୋବାଇଲ ନମ୍ବର ଟ୍ରାକିଙ୍ଗ କରିବାକୁ କହି କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କଲେ ନାହିଁ ପୋଲିସ । ଆଜି ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିଲା ନାହିଁ । ପୁଅ ନିରୁଦ୍ଧିଷ୍ଟ ଥିବା ଏବଂ ପୋଲିସ ଖୋଜିବାର କେତେ ଦୂର ଗଲା ସ୍ଥିତି ଅନୁଧ୍ୟାନ କରିବାପାଇଁ ଯେତେବେଳେ ତାଙ୍କ ପିତା ପୋଲିସ ଷ୍ଟେସନ ଯାଉଛନ୍ତି ନିରାଶରେ ଫେରୁଛନ୍ତି । ଥାନାବାବୁଙ୍କ ଅସହଯୋଗ ଓ ନିରବତାର ପ୍ରତିବାଦରେ ପରିବାର ଓ ବନ୍ଧୁବର୍ଗଙ୍କ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ତେବେ ପୁଅକୁ ଖୋଜିବାରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ପାଇଥିଲେ । ହେଲେ ସବୁ ବୃଥା ପଡିଯାଇଛି । କାହାପାଖରେ ପିଲା ଖୋଜିବାକୁ ସମୟ ନାହିଁ । ଏଠି ଗରିବ, ଖଟିଖିଆଙ୍କ କଥା କିଏ ବା ଶୁଣେ । ପୁଅ ନିଖୋଜ ପରେ ଘରେ ତା’ର ମାଆ ଧିରେଧିରେ ଶଯ୍ୟାଶାୟୀ ହେବାକୁ ଲାଗିଲେଣି । ଆଇନଗତ୍ ସାହାଯ୍ୟରୁ ବଞ୍ôଚତ ହୋଇ ନିରାଶ ଭାବରେ କାଳାତିପାତ କରୁଛନ୍ତି ପିତାମାତା । ପୁଅକୁ ଫେରିନପାଇଲେ ନିରୁପାୟ ହୋଇ ଶେଷରେ ନବୀନ ନିବାସ ଆଗରେ ଧାରଣାରେ ବସିବା ଲାଗି ଚେତାବନି ଦେଇଛନ୍ତି ନିଖୋଜ ଜିତେନ୍ଦ୍ରଙ୍କ ପିତାମାତା । ତିହିଡି ରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |