ତିହିଡ଼ିରେ ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ ପାଳିତ |

91

କଟକ (ଉତ୍କଳ ନ୍ୟୁଜ ) ୨୪-୧୧-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ ଅରବିନ୍ଦଙ୍କ ସିଦ୍ଧି ଦିବସ ପାଳିତ ହୋଇ ଯାଇଛି । ମାତୃ ଭକ୍ତମାନେ ମିଳିତ ହୋଇ ଧ୍ୟାନ ଓ ପ୍ରାର୍ଥନା ମାଧ୍ୟମରେ ପ୍ରଭୁ ଶୀଅରବିନ୍ଦ ଓ ଦିବ୍ୟ ଜନନୀ ଶ୍ରୀମାଙ୍କୁ ଆବାହନ କରିଥିଲେ । କୋହ୍ଲସ୍ଥିତ ଦିବ୍ୟଭୂମି ପରିସରରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ସିଦ୍ଧି ଦିବସ ପାଳନ କରିଥିଲେ । ସକାଳେ ମାତୃ ପତାକା ଉତ୍ତୋଳନ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାର୍ଚ୍ଚପାଷ୍ଟ କରାଯାଇଥିଲା । ମାତୃଭକ୍ତ ଭଣ୍ଡାରିପୋଖରୀ ବିଡିଓ ଦେବଦତ୍ତ ଦାସ ଅତିଥିଭାବେ ଯୋଗଦେଇ ମାତୃପତାକା ଉତ୍ତୋଳନ କରିଥିଲେ । ଶିକ୍ଷା କେନ୍ଦ୍ରର ଅପା ଭାଇ, ନିମନ୍ତ୍ରିତ ଅତିଥି, ଛାତ୍ରଛାତ୍ରୀମାନେ ଶ୍ରୀଅରବିନ୍ଦଙ୍କ ସମାଧିରେ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଧ୍ୟାନ କରିବାପରେ ସଭା କକ୍ଷରେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ବିଡିଓ ଶ୍ରୀ ଦାସ, ଜିଲା ପାଠଚକ୍ର ସଂଗଠନ ଆବାହକ ପ୍ରଦୀପ କୁମାର ଜେନା, ‘ଦିବ୍ୟଭୂମି’ର ଟ୍ରଷ୍ଟି ହରିହର ସେନାପତି ପ୍ରମୁଖ ଯୋଗଦେଇ ସିଦ୍ଧି ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପିଲାମାନଙ୍କୁ ନେଇ ଶିକ୍ଷକ ନିତ୍ୟାନନ୍ଦ ରାଉତଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶରତ କୁମାର ପାଣିଗ୍ରାହୀ, ନିରଞ୍ଜନ ନାୟକ, ବିଜୟ ନାରାୟଣ ନାୟକ, ଗଙ୍ଗାଧର ପାଣିଗ୍ରାହୀ, ପ୍ରବୀର ପାଣିଗ୍ରାହୀ ପ୍ରମୁଖ ମାତୃଭକ୍ତମାନେ ଯୋଗଦେଇଥିଲେ । ବିଦ୍ୟାଳୟର ବାସନ୍ତୀ ଦାସ, ମଞ୍ଜୁଳା ମିଶ୍ର, ପ୍ରିତିନନ୍ଦା ନାୟକ, ମୀନତି ନାୟକ, ପାର୍ଥସାରଥି ସାହୁ, ଅଶୋକ କୁମାର ସାମଲ ଓ ସଞ୍ଜୟ ନାୟକ ପ୍ରମୁଖ ଅପାଭାଇମାନେ ଉତ୍ସବ ପରିଚାଳନା କରିଥିଲେ । ସେହିପରି ତିହିଡ଼ିର ତିହିଡ଼ି ପାଠଚକ୍ର ସଂଗଠନ ସମେତ ଅନ୍ୟ କେତେକ ସଂଗଠନ ପକ୍ଷରୁ ମଧ୍ୟ ସିଦ୍ଧି ଦିବସ ପାଳିତ ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।