"ମୌନ ସାଧନାରେ ଆତ୍ମବିଦ୍ୟା ହୁଏ ବିକଶିତ" , ବିଏନ୍‌ଏମ୍‌ଏ କଲେଜ ସଂସ୍କୃତ ସମ୍ମାନ ବିଭାଗ ପାଠଚକ୍ର।

153

କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୩ : ଅବିଦ୍ୟା ହେଉଛି ଆତ୍ମବିଦ୍ୟାର ବିରୋଧୀ ତତ୍ତ୍ୱ । ଅଧୁନା ସଂସାରରେ ଅବିଦ୍ୟାର ପ୍ରାଧାନ୍ୟ ହେତୁ ମାନବ ସମାଜ ଶ୍ରେୟ ଅପେକ୍ଷା ପ୍ରେୟ ପ୍ରତି ଅଧିକ ଲୟ ରଖୁଛି । ଆତ୍ମାକୁ ଅନୁଭବ ସ୍ତରକୁ ନେଲେ ଜୀବ ହୁଏ ଆତ୍ମଦର୍ଶୀ । ବିବେକପୂର୍ଣ୍ଣ ବିଚାର ମଣିଷକୁ ଆତ୍ମଜ୍ଞାନ ପ୍ରଦାନ କରେ। ବେଦାନ୍ତ ଦର୍ଶନ ହେଉଛି ଉପନିଷଦ ସମୂହ । ବ୍ରହ୍ମ, ଜୀବାତ୍ମା ଓ ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ହିଁ ଉପନିଷଦର ପ୍ରଧାନ ବକ୍ତବ୍ୟ । ମୌନ ଭାବେ ସାଧନାରତ ହେଲେ ମୋହମୁକ୍ତିର ପଥ ଉନ୍ମୁକ୍ତ ହୋଇ ଆତ୍ମବିଦ୍ୟାର ପଥ ବିକଶିତ ହୋଇପାରିବ ବୋଲି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜ୍ଜୁନ ମହାବିଦ୍ୟାଳୟ ସଂସ୍କୃତ ସମ୍ମାନ ବିଭାଗ ପକ୍ଷରୁ ଶନିବାର ଆୟୋଜିତ ଉପନିଷଦୀ ଆତ୍ମତତ୍ତ୍ୱ ଶୀର୍ଷକ ପାଠଚକ୍ରରେ ମୁଖ୍ୟ ଅତିଥି ତଥା ବିଷୟ ବିଶାରଦ ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସଂସ୍କୃତ ବିଭାଗର ସଂଯୁକ୍ତ ପ୍ରଫେସର ଡ. ସୁବାସଚନ୍ଦ୍ର ଦାଶ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ବିଭାଗମୁଖ୍ୟ ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ପାଠଚକ୍ରର ଉଦ୍‌ଘାଟକ ଭାବେ ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡ଼ା ଯୋଗଦେଇ ବିଜ୍ଞାନ, ଦର୍ଶନ ଓ ଆତ୍ମତତ୍ତ୍ୱର ପରିଭାଷା ଉପରେ ଆଲୋକପାତ କରିଥିଲେ । ପ୍ରଫେସର ଦାଶ ବିଷୟବସ୍ତୁର ପ୍ରାଞ୍ଜଳ ଆଲୋଚନା କରି କହିଲେ, ମହାପଞ୍ଚଭୂତରୁ ଆମର ସୃଷ୍ଟି, ସ୍ଥିତି ଓ ବିଲୟ । ପ୍ରକୃତି ଜଗତର ସଂଘାତରୁ ଆମର ଅଗ୍ରଗତି ସମ୍ଭବ । ଭାରତୀୟ ବେଦାନ୍ତ ଦର୍ଶନ ହିଁ ପରବର୍ତ୍ତୀ କାଳରେ ଅସ୍ତିତ୍ୱବାଦ ଓ ମାର୍କ୍ସବାଦୀ ଦ୍ୱନ୍ଦ୍ୱାତ୍ମକ-ବସ୍ତୁବାଦ ପରି ଅନେକ ପାଶ୍ଚାତ୍ୟବାଦ ଓ ତତ୍ତ୍ୱର ସୃଷ୍ଟିକଲା । ସ୍ମୃତି ଓ ଅନୁଭବର ପ୍ରତ୍ୟକ୍ଷ ଜ୍ଞାନର ଉର୍ଦ୍ଧ୍ୱରେ ଅଚିନ୍ତନୀୟ, ଅଶ୍ରୁତ ଓ ଅକଳ୍ପନୀୟ ଜ୍ଞାନର ଅଧିକାରୀ ହେବାକୁ ପ୍ରୟାସ କଲେ ଆମେ ଆତ୍ମତତ୍ତ୍ୱର ନିକଟବର୍ତ୍ତୀ ହୋଇପାରିବା ବୋଲି ସେ କହିଥିଲେ । ଏହି ଅବସରରେ ଯୁକ୍ତିତିନି ପ୍ରଥମ ବର୍ଷ ସମ୍ମାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରା ଯାଇଥିଲା । ବିଭାଗମୁଖ୍ୟ ଅଧ୍ୟାପିକା ଡ. ସୁଜାତାରାଣୀ ଗିରି ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ପାଠଚକ୍ରର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଛାତ୍ରୀ ସୁଜାତା ପଣ୍ଡା, ଇତିଶ୍ରୀ ପଣ୍ଡା, ଅଭିଲିପ୍ସା ପାଣିଗ୍ରାହୀ, ସୁଭଦ୍ରା ସେନାପତି ଓ ସ୍ମୃତିରେଖା ସେନାପତି ବିଷୟଭିତ୍ତିକ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଛାତ୍ରୀ ଯମୁନା ଦାସ ଓ ଅନ୍ୟମାନେ ସର୍ବେଷାଂ ନୋ ଜନନୀ ଭାରତ ବନ୍ଦନା ଗାନ କରିବା ସହିତ ନବାଗତଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ଦାଶଙ୍କୁ ବିଭାଗ ପକ୍ଷରୁ ପାଠଚକ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ମୃତ୍ୟୁଞ୍ଜୟ ନାରାୟଣ ଦାସ, ତପନ କୁମାର ନାୟକ, ଗୋବିନ୍ଦଚନ୍ଦ୍ର ବାଗ୍‌, ଦେବାଶିଷ ଦାସ, ସୌମେନ ମହାପାତ୍ର, ବୈଷ୍ଣବ ମହାନ୍ତି, ଅଶୋକ କୁମାର ମଲ୍ଲିକ୍‌, ଅଧ୍ୟାପିକା ସୁସ୍ମିତା ପଣ୍ଡା, ଅନୀତା ତ୍ରିପାଠୀ, ପଦ୍ମାଳୟା ଖଟୁଆ, ସ୍ୱପ୍ନା ରାୟ, ଗାୟତ୍ରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଭାଗ ଅଧ୍ୟାପିକା କାଇନାତ୍ ପରୱିନ୍ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।