ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ୧୫ ଦିନର ଧାରଣା ସଫଳ, ଫେରିବେ ପୁରୁଣା ଶାଖା ପରିଚାଳକ |

132

କଟକ (ଉତ୍କଳ ନ୍ୟୁଜ ) ୧୧-୧୧-୨୦୨୩ : ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତିହିଡ଼ି ଶାଖାର ପରିଚାଳକଙ୍କ ଅଚାନକ ବଦଳିକୁ ବିରୋଧ କରି ତିହିଡ଼ି ବ୍ଲକରେ ଥିବା ୧୬ ଗୋଟି ସେବା ସମବାୟ ସମିତିର ସମ୍ପାଦକ ଓ କେତେକ ସଭାପତି ଗତ ମାସ ୨୫ ତାରିଖ ଠାରୁ ଯେଉଁ ଧାରଣାରେ ବସିଥିଲେ ତାହା ଶେଷରେ ସଫଳ ହୋଇଛି । ବଦଳି ହୋଇଥିବା ପରିଚାଳକଙ୍କୁ ପୁନଃ ତିହିଡ଼ି ଶାଖାକୁ ବଦଳି କରାଯାଇଥିବା ନେଇ ଚିଠି ହୋଇଛି । ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ଅଫିସ ଅର୍ଡ଼ର/୧୦.୧୧.୨୦୨୩ରିଖ ଅନୁଯାୟୀ ଧାମନଗର ଶାଖାରେ ଯୋଗ ଦେଇଥିବା ସୁଶାନ୍ତ କୁମାର ପୁହାଣଙ୍କୁ ପୁଣି ତାଙ୍କର ପୁରୁଣା ଶାଖା ତିହିଡ଼ିକୁ ବଦଳି କରି ଦିଆ ଯାଇଛି । ତାଙ୍କ ସ୍ଥାନରେ ଭଦ୍ରକ ଶାଖାର ସହକାରୀ ପରିଚାଳକ ଧନୁର୍ଦ୍ଧର ସାହୁଙ୍କୁ ଧାମନଗର ଶାଖାକୁ ବଦଳି କରାଯାଇଛି । ସୂଚନା ଯୋଗ୍ୟ, ତିହିଡ଼ି ଶାଖାର ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କୁ ବଦଳି କରାଯାଇଥିବା ଖବର ମିଳିବା ପରେ ତାଙ୍କ ସ୍ଥାନରେ ନୂତନ ପରିଚାଳକ ଯେପରି କାର୍ଯ୍ୟରେ ଯୋଗଦେଇ ନପାରିବେ ସେ ନେଇ ମଧ୍ୟ ସେମାନେ ସଭାପତି ଓ ସମ୍ପାଦକମାନେ ପ୍ଲାକାର୍ଡ଼ ଧରି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।