୫ମ ଦିନରେ ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକଙ୍କ ବଦଳି ବାତିଲ ଦାବିରେ ଗଣଧାରଣା |

21

କଟକ (ଉତ୍କଳ ନ୍ୟୁଜ ) ୦୧-୧୧-୨୦୨୩ : ୫ମ ଦିନରେ ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକଙ୍କ ବଦଳି ବାତିଲ ଦାବିରେ ଗଣଧାରଣା । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ବଦଳି ବାତିଲ ଦାବିନେଇ ଏପରି ଧାରଣା ଦିଆଯାଇଛି । ତେବେ ଗତକାଲି ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟରେ ଯୋଗଦେବାକୁ ଆସିଥିବା ନୂତନ ସହକାରୀ ଶାଖା ପରିଚାଳକ ସୁଶାନ୍ତ କୁମାର ନାୟକଙ୍କୁ କାର୍ଯ୍ୟରେ ଯୋଗଦାନ କରାଇ ନଦେଇ ଫେରେଇ ଦେଇଥିଲେ । ବ୍ୟାଙ୍କର ଶାଖା ପରିଚାଳକ ସୁଶାନ୍ତ ପୁହାଣ ବ୍ୟାଙ୍କକୁ ସୁଚାରୁ ରୂପେ ଦୀର୍ଘଦିନ ଧରି ପରିଚାଳନା କରି ଆସୁଥିବା ବେଳେ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏଥିସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ସହଜରେ ସମାଧାନ କରି ସେମାନଙ୍କୁ ସମିତି ମାଧ୍ୟମରେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାରେ ସହଯୋଗ କରି ଆସୁଛନ୍ତି । ଗତ କିଛିଦିନ ତଳେ ଶ୍ରୀ ପୁହାଣଙ୍କୁ ଧାମନଗର ଶାଖାକୁ ବଦଳି କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତିହିଡ଼ି ବ୍ଲକର ସମସ୍ତ ସେବା ସମବାୟ ସମିତିର ସଭାପତି ଓ ସମ୍ପାଦକ ଶ୍ରୀ ପୁହାଣଙ୍କ ବଦଳି ବାତିଲ କରିବା ଓ ନୂତନ ଶାଖା ପରିଚାଳକଙ୍କୁ କାର୍ଯ୍ୟରେ ଯୋଗଦାନ କରାଇ ନଦେବାକୁ ଚେତାବନୀ ଦେଇ ଧାରଣାରେ ବସି ଆସୁଛନ୍ତି । ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ନୂତନ ଭାବେ ଯୋଗ ଦେବାକୁ ଆସୁଥିବା ଜଣେ ଶାଖା ପରିଚାଳକଙ୍କୁ ୨ଟି ଦାୟିତ୍ୱ ଦେଇଛନ୍ତି । ଯାହା ଫଳରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ ବୋଲି ସେମାନେ କହିଛନ୍ତି । ଏତତ୍ ବ୍ୟତିତ ଭଦ୍ରକ ସଦରରେ ଜୋନାଲ ଅଫିସ ଥିବା ବେଳେ ତିହିଡ଼ି ଶାଖାକୁ ଜୋନାଲ ଅଫିସ କେଉଁ ସ୍ୱାର୍ଥରେ କରାଯାଉଛି ବୋଲି ଧାରଣାକାରୀମାନେ ପ୍ରଶ୍ନ ଉଠାଇଛନ୍ତି । ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ ନହୁଏ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି । ଏହି ପ୍ରତୀକ ଧାରଣାରେ ସମବାୟ ସମିତି ସଭାପତି ବିଜୟ କୁମାର ମହାପାତ୍ର, ରତିକାନ୍ତ ମଳିକ, ଭାସ୍କର ଚନ୍ଦ୍ର ନାୟକ, ସୀମାରାଣୀ ବାରିକ, ଭାଗିରଥି ମଲିକ, ସତ୍ୟବ୍ରତ ନାୟକ, ରାଜେନ୍ଦ୍ର ଦାସ ସମ୍ପାଦକ ମନୋରଞ୍ଜନ ବଳ, ସଞ୍ଜୟ କୁମାର ନାୟକ, କାଳନ୍ଦୀ ଚରଣ ଦାସ, ଗୀତାଞ୍ଜଳି ଦାସ, ସତ୍ୟଭାମା ବିଶ୍ୱାଳ, କୃପାସିନ୍ଧୁ ଦାସ, ବିଶ୍ୱନାଥ ଖୁଣ୍ଟିଆ, ଶଙ୍କର୍ଷଣ ଜେନା, ପ୍ରଭାତ ବେହେରା, ଅମରେନ୍ଦ୍ର ନାୟକ, ରାଜେନ୍ଦ୍ର ବେହେରା, ମୁକ୍ତିକାନ୍ତ ଜେନା, ଗୋପିନାଥ ଭୂୟାଁ, ମାୟାଧର ବେହେରା, ଅଚ୍ୟୁତାନନ୍ଦ ମହାନ୍ତି ପ୍ରମୁଖ ସାମିଲ ହୋଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |