ତ୍ୟାଗଭୂମି ପକ୍ଷରୁ କୁମାରୋତ୍ସବ ପାଳିତ। 'ସଂସ୍କୃତିରେ ଚନ୍ଦ୍ରଚେତନା ମାନବୀୟ ସୌନ୍ଦର୍ଯ୍ୟବୋଧର ଉତ୍ସ'।

158

କଟକ(ଉତ୍କଳ ନିଉଜ)୨୯/୧୦/୨୦୨୩ : ଚନ୍ଦ୍ରାୟଣ-୩ର ସଫଳ ଅଭିଯାନ ସତ୍ତ୍ୱେ କେଉଁ ଆବହମାନ କାଳରୁ ଚନ୍ଦ୍ର ଆମ ପାଇଁ ସୁଦୂରର ମୋହ ହୋଇ ରହିଆସିଛି । ଜହ୍ନକୁ ନେଇ ଆମ ଭାଷାରେ କେତେକେତେ ଗପ, ଗୀତ ଓ କବିତାମାନ ଲେଖାଯାଇଛି । ସୁନ୍ଦର ମୁଖମଣ୍ଡଳଟିଏ ଦେଖିଲେ ଆମେ ଉପମା ଅଳଂକାର ଦେଇ କହୁ ‘ଚନ୍ଦ୍ରମୁଖୀ’ । ଶିଶୁମାନଙ୍କ ପାଇଁ 'ଶରଦ ଶଶୀ' ଓ 'ଜହ୍ନମାମୁ' । 'ଚାନ୍ଦ' ଭଳି ସୁନ୍ଦର ଜୀବନସାଥୀ ପାଇବାର ପରିକଳ୍ପନାରେ କୁମାରୀମାନେ ମାନସିକ କରି ତୁଳସୀ ଚଉଁରା ମୂଳରେ ଚନ୍ଦ୍ରଉଦିଆ ଆକାଶକୁ ଚାହିଁ ଅର୍ଚ୍ଚନା କରନ୍ତି ଓ ବନ୍ଦାପନା ଗ୍ରହଣ କରନ୍ତି । ଏଣୁ କୁଆଁର ପୂନେଇଁ ଜହ୍ନ ସହିତ କୁମାରୀମାନଙ୍କ ମନସ୍ତତ୍ତ୍ୱ ପ୍ରସଂଗଟି ଜଡ଼ିତ ଓ ଏହା ଉତ୍କଳୀୟ ସଂସ୍କୃତି ଏବଂ ମାନବୀୟ ସୌନ୍ଦର୍ଯ୍ୟବୋଧର ଉତ୍ସ ବୋଲି ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ 'ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ' ପକ୍ଷରୁ ଆୟୋଜିତ କୁମାରୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । 'ତ୍ୟାଗଭୂମି' ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ 'ଆମ ସଂସ୍କୃତିରେ ଚନ୍ଦ୍ରଚେତନା' ଶୀର୍ଷକ ଆଲୋଚନାଚକ୍ର, କବିତାପାଠ ଓ ସାରସ୍ୱତ ସମ୍ବର୍ଦ୍ଧନାପର୍ବ ଅନୁଷ୍ଠିତ ହୋଇଥିଲା । ଅତିଥି ଆଲୋଚକ ଭାବେ ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି ଯୋଗଦେଇ ସାହିତ୍ୟ-ସଂସ୍କୃତି ସହିତ କୁମାରୋତ୍ସବକୁ ଯୋଡ଼ିବା 'ତ୍ୟାଗଭୂମି'ର ଏକ ମହତ ପରିକଳ୍ପନା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ଚନ୍ଦ୍ରଚେତନା ଆମ ସଂସ୍କୃତିରେ ଭାବଗତ ସୌନ୍ଦର୍ଯ୍ୟର ପ୍ରକାଶକ ବୋଲି ମତ ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଡ. ଅଭୟ କୁମାର ଦାସ ଯୋଗଦେଇ ଓଡ଼ିଆ କବିତାରେ ଚନ୍ଦ୍ରଚେତନାର ଅବକ୍ଷୟ ଉପରେ ଆଲୋକପାତ କରିଥିଲେ । ତ୍ୟାଗଭୂମି ସମ୍ପାଦକ ଗଦାଧର ବଳ ଓଡ଼ିଶାର ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ସ୍ୱରୂପ ନାୟକଙ୍କ ଜୀବନୀ ଓ ସାଧନା ଉପରେ ଆଲୋଚନା ପୂର୍ବକ ଶୋକପ୍ରସ୍ତାବ ଆଗତ କରିଥିଲେ ଓ ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ଡ. ବିଶ୍ୱରଂଜନ ଦାସଙ୍କ ‘ତ୍ୟାଗଭୂମି ପ୍ରତିଭା ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ପ୍ରଖ୍ୟାତ କଥାଶିଳ୍ପୀ ଡ. ରାଧାବିନୋଦ ନାୟକ ସମ୍ବର୍ଦ୍ଧିତ ପ୍ର୍ରତିଭା ଡ. ଦାସଙ୍କ କୃତି ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଡ. ସମ୍ବିତ୍ ଶୁଭଙ୍କର ଖୁଣ୍ଟିଆ ମାନପତ୍ର ପାଠ କରିଥିଲେ । ସଂଗଠନ ସମ୍ପାଦକ ସୁଧାକର ରାଉତ ଅତିଥିଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସଦସ୍ୟ ରୂପକବିହାରୀ ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଗୀତଗୁରୁ ରୁଦ୍ରମାଧବ ବାରିକ୍ ଓ ଛାତ୍ରଛାତ୍ରୀମାନେ 'ବନ୍ଦେ ଉତ୍କଳ ଜନନୀ' ଓ 'ଫୁଲ ବଉଳ ବେଣୀ' ସଂଗୀତ ପରିବେଷଣ କରିଥିଲେ। କବି ଗୌରଂଗଚନ୍ଦ୍ର ବାରିକ୍‌ଙ୍କ ସଂଯୋଜନାରେ କବି ମାନସୀବାଳା ସୂତାର, ସଂଯୁକ୍ତା ବଳ ନାୟକ, ପ୍ରୀତିଲତା ପଣ୍ଡା, ବାବୁଲାଲ୍ ଦାସ, କୈଳାସଚନ୍ଦ୍ର ବାରିକ୍‌, ଡା. କିରଣଚନ୍ଦ୍ର ଗୁଇଁ, କାଳନ୍ଦୀ ମଲ୍ଲିକ୍‌, ଗଙ୍ଗାଧର ନାୟକ, ରଂଜନ କୁମାର ନାୟକ, ମୁସ୍ତାକ୍ ଗହ୍ୱର, ବିପ୍ଳବ ହୋତା, ଲକ୍ଷ୍ମୀକାନ୍ତ ବାରିକ୍‌, ରମେଶଚନ୍ଦ୍ର ଦାସ ପ୍ରମୁଖ ଚନ୍ଦ୍ରଚେତନା ଉପରେ କବିତାପାଠ କରିଥିଲେ । କବି ରମେଶଚନ୍ଦ୍ର ସ୍ୱାଇଁ, ମନୋରମା ନାୟକ, ଦେବେନ୍ଦ୍ରନାଥ ମହାଳିକ୍‌, ଶେକ୍ ଅବଦୁଲ୍ଲ ଦୟାନ ପ୍ରମୁଖଙ୍କ କବିତାକୁ ଶ୍ରେଷ୍ଠ ବିବେଚିତ କରାଯାଇ ଆଗାମୀ ତ୍ୟାଗଭୂମି ମହୋତ୍ସବରେ ପୁରସ୍କୃତ କରାଯିବ ବୋଲି ସଭାପତି ଘୋଷଣା କରିଥିଲେ । ରୀତିକା ମହାପାତ୍ର, ନନ୍ଦିନୀ ସେନାପତି, ନନ୍ଦିତା ସାହୁ, ସାଇସ୍ମିତା ବିଶ୍ୱାଳ, କାବ୍ୟା ସାଧିକା ପ୍ରମୁଖ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବରେ ତିହିଡ଼ି ପଞ୍ଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ପ୍ରଫେସର ରାଜକିଶୋର ସାହୁ, ଡ. ଗୋଲକବିହାରୀ ସାହୁ, ପ୍ରାଧ୍ୟାପକ ହେମନ୍ତ ନାୟକ, ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ୍‌, ଅଖିଳମୋହନ ପାଢ଼ୀ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, କଳ୍ପନା ଜେନା, ଅନାଦିଚରଣ ଦାସ, ଗଗନବିହାରୀ ରାଉତ, ଶ୍ରୀହର୍ଷ ସ୍ୱାଇଁ, ଯତିକାନ୍ତ ନାୟକ, ଅମର ପାଣିଗ୍ରାହୀ, ରବିନାରାୟଣ ପଣ୍ଡା, ନାଟ୍ୟଶ୍ରୀ ନିର୍ମଳ ରାଉତ, କରୁଣାକର ଉପାଧ୍ୟାୟ, କୈଳାଶଚନ୍ଦ୍ର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଦସ୍ୟ ଅମ୍ବିକାବଲ୍ଲଭ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |