ଲକ୍ଷ୍ମୀ ନାରାୟଣ ମହାପ୍ରଭୁଙ୍କ ଶତବାର୍ଷିକ ମହୋତ୍ସବ ଲାଗି ପ୍ରସ୍ତୁତି ବୈଠକ |

223

କଟକ (ଉତ୍କଳ ନ୍ୟୁଜ ) ୧୯-୧୦-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ନୂଆପାଟଣା ଗାଁର ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମହାପ୍ରଭୁଙ୍କ ଶତ ବାର୍ଷିକ ପୂଜା ମହୋତ୍ସବ ଲାଗି ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୯୨୨ ମସିହା ଠାରୁ ଏଠାରେ ଲକ୍ଷ୍ମୀ ନାରାୟଣ ପୂଜା ପରମ୍ପରା ପାଳିତ ହେଉଅଛି । କରୋନା କଟକଣା ଲାଗି ଶତ ବାର୍ଷିକ ପୂଜା ମହୋତ୍ସବ ସମ୍ଭବ ହୋଇ ପାରିନଥିଲା । ଚଳିତ ବର୍ଷ ବେଶ ଧୂମ ଧାମରେ ଏହି ମହୋତ୍ସବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଚଳିତ ମାସ ୨୮ ତାରିଖ ସକାଳ ୧୦ ଘଟିକାରେ କଳସ ଶୋଭାଯାତ୍ରା କରାଯାଇ ପୂଜାରମ୍ଭ କରାଯିବ । ତେବେ ଚନ୍ଦ୍ର ଗ୍ରହଣ ପାଇଁ ୪.୨୦ ଘଟିକାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିବ ।୨୯ ତାରିଖ ସକାଳ ୧୦ ଘଟିକାରେ ଶତବାର୍ଷିକ ମହୋତ୍ସବ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟା ୫ରୁ ୭ ଘଟିକା ପର୍ଯ୍ୟନ୍ତ ପାଲା ଏବଂ ୭ରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଭଜନ ସଂଧ୍ୟା, ୩୦ ତାରିଖ ସକାଳୁ ଆଲୋଚନା ପର୍ବ ସହ ସଂଧ୍ୟା ୫ରୁ ୭ ଘଟିକା ପର୍ଯ୍ୟନ୍ତ ପାଲା ଏବଂ ୭ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ, ୩୧ ତାରିଖ ସକାଳ ୧୦ ଘଟିକାରେ ବିଦ୍ୟାଳୟ ସ୍ତରୀୟ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା, ୫ରୁ ୭ ଘଟିକା ପର୍ଯ୍ୟନ୍ତ ପାଲା ଏବଂ ୭ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଗୋଟିପୁଅ ନାଚ ଓ ଓଡିଶୀ ନୃତ୍ୟ, ୧ ତାରିଖ ସଂଧ୍ୟା ୫ରୁ ୭ ଘଟିକା ପର୍ଯ୍ୟନ୍ତ ପାଲା ଏବଂ ୭ରୁ ୯ଘଟିକା ପର୍ଯ୍ୟନ୍ତ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେହ ଅଖଣ୍ଡ ନାମ ସଂକୀର୍ତ୍ତନ ସହ ନିଖିଳ ଉତ୍କଳ ପାଲା ସମ୍ମିଳନୀ ତରଫରୁ ପାଲା ପରିବେଷଣ କରାଯିବ ବୋଲି ଉକ୍ତ ପ୍ରସ୍ତୁତି ÷ବୈଠକରେ ସୂଚନା ଦିଆଯାଇଛି । କମିଟିର ସଭାପତି କାଳନ୍ଦି ଦାସ, ସମ୍ପାଦକ କପିଳେନ୍ଦ୍ର ବାରିକ, ପ୍ରଦୀପ ଦାସ, ସୁଧାଂଶୁ ଜେନା, ରାଧାଶ୍ୟାମ ଦାସ, ସନାତନ ବାରିକ, ଜଗବନ୍ଧୁ ବେହେରା, ସନ୍ତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ପରିଡା, କାଳନ୍ଦି ବାରିକ, କୈଳାସ ବାରିକ, ରବି କୁମାର ମହାନ୍ତି, ନନ୍ଦକିଶୋର ବାରିକ, ରତ୍ନାକର ଦାସ, କପିଳେନ୍ଦ୍ର ପରିଡା, ରମେଶ ଦତ୍ତ, ଭଜଗୋବିନ୍ଦ ବାରିକ ଓ ମନୋରଞ୍ଜନ ଜେନା ପ୍ରମୁଖ ଉକ୍ତ ପ୍ରସ୍ତୁତି ବୈଠକକରେ ଉପସ୍ଥିତ ଥିଲେ । ସୂଚନା ଥାଉକି, କୁମାର ପୂର୍ଣ୍ଣମୀ ଅବସରରେ ଓଡିଶାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଳନ କରାଯାଉଥିବା ବେଳେ ଏଠାରେ ଲକ୍ଷ୍ମୀ, ନାରାୟଣଙ୍କ ସହ ସରସ୍ୱତୀ ପୂଜା ପାଆନ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳରେ ଲକ୍ଷ୍ମୀ ନାରାୟଣ ପୂଜା ଭାବେ ବେଶ ପରିଚିତ । ୧୯୨୨ ମସିହାରେ ଲକ୍ଷ୍ମୀନାରାୟଣଙ୍କ ମୃଣୟୀ ମୂର୍ତ୍ତୀ ପୂଜାରମ୍ଭ ହୋଇଥିଲା । ପ୍ରଥମେ ଧୂଳିଆ ଘରେ ପୂଜା ପାଳନ କରାଯାଉଥିବା ବେଳେ ଜନସାଧାରଣଙ୍କ ଠାରୁ ମାଗଣ ତଥା ଗ୍ରାମବାସୀ ସହଯୋଗ କ୍ରମେ ୨୦୦୪ ମିସହା ଏଠାରେ ଲକ୍ଷ୍ମୀନାରାୟଣଙ୍କ ଏକ ବିଶାଳ ଭବ୍ୟ ମନ୍ଦିର ନିର୍ମାଣ ସ୍ଥାପନ ସହ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜିତ ହୋଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।