ଶିକ୍ଷା ସମସ୍ତଙ୍କୁ ଖୁସି ଦିଏ–ରାଜ୍ୟପାଳ। ଗୁଆମାଳ ବୀଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ।

24

କଟକ(ଉତ୍କଳ ନିଉଜ)୦୮/୧୦/୨୦୨୩ : ଜଗନ୍ନାଥଙ୍କୁ କେବେ ରାଗିବାର ଦେଖାଯାଇ ନାହିଁ । ସମସ୍ତଙ୍କୁ ସେ ଭଲ ପାଆନ୍ତି । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ସାଧାରଣ ଗରିବ ଜନତା ହୁଅନ୍ତୁ ସେ ସମସ୍ତଙ୍କୁ ଆପଣାର ମଣନ୍ତି । କାହାକୁ ପର କରନ୍ତି ନାହିଁ । ଶିକ୍ଷା ସେହିପରି ଏକ ଆଦର୍ଶ ଧାରା ଯାହା ସମସ୍ତଙ୍କ ପାଇଁ ସମାନ । କେତେ କେତେ ବିଜ୍ଞାନ ଛାତ୍ର ଶିକ୍ଷା ବଳରେ ନିଜ ନିଜର ଲକ୍ଷ୍ୟ ପୂରଣ କରିପାରନ୍ତି । ଲକ୍ଷ୍ୟ ପୂରଣ କରିପାରୁ ନଥିବା ଜଣେ ବିଦ୍ୟାର୍ଥୀର ଲକ୍ଷ୍ୟ କୁ ଯିଏ ପୂରଣ କରିଦେଇ ପାରେ ସେ ହିଁ ଶିକ୍ଷା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଧିନ କାନ୍ତକବି ମଞ୍ଚରେ ଗୁଆମାଳ ବୀଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟ ଅତିଥ ଭାବେ ଯୋଗଦେଇ ପ୍ରକାଶ କରିଥିଲେ । ଶିଖିବା ପାଇଁ ଲଢ଼େଇ ଜାରି ରଖିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ତଥା ଉଦ୍‌ଘାଟନୀ ସନ୍ଧ୍ୟାର ସଭାମୁଖ୍ୟ ସ୍କୁଲର ପୁରାତନ ଛାତ୍ର ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥ୍‌ ଭାବେ ଭଦ୍ରକ ସଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧୀକାରୀ ସୁଦର୍ଶନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ଦାସ ସ୍ଵାଗତ ଭାଷଣ ଦେଇଥିଲା ବେଳେ କମିଟିର ସମ୍ପାଦକ ସନାତନ ଜେନା ସମ୍ପାଦକୀୟ ବିବରଣୀ ପାଠ ସହ ସ୍କୁଲର ଅତୀତ ଓ ଏବର ଗୌରବ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଝାଟିମାଟି ନଡ଼ାଛପର ଘରେ ପ୍ରାଥମିକ ବିଦ୍ୟାଳୟରୁ ଜନ୍ମ ନେଇ ମଧ୍ୟ ଇଂରାଜୀ ଓ ପରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ହୋଇ ଏବର ୫-ଟି ରୂପାନ୍ତରଣ ପର୍ଯ୍ୟୟ ଆଦି ଏହି ବିଦ୍ୟାଳୟରେ ଅଧ୍ୟୟନରତ ୩୪୦ ବିଦ୍ୟାର୍ଥୀଙ୍କ ପାଇଁ କେତେ ଉପଯୋଗୀ ହୋଇପାରିଛି ଶ୍ରୀ ପଣ୍ଡା ସଭାପତି ଭାବେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟ ପ୍ରସଙ୍ଗରେ ସୁବର୍ଣ୍ଣ ଜୟନ୍ତୀ ପାଳନ ବିଦ୍ୟାଳୟ ପାଇଁ ସୁବର୍ଣ୍ଣ ମୁହୁର୍ତ୍ତ ଏବଂ ରାଜ୍ୟପାଳଙ୍କ ଯୋଗଦାନ ନେଇ ଏହି ସ୍କୁଲ ପାଇଁ ଆଉ ଏକ ସ୍ଵର୍ଶ ଅଧ୍ୟାୟ ଯୋଡ଼ି ହୋଇଗଲା । ପିଲାମାନେ ଭଲ ଲକ୍ଷ୍ୟ ରଖନ୍ତୁ । ନିଜ ଅଧ୍ୟବସାୟ ଉପରେ ଫୋକସ କରନ୍ତୁ, ଅଭିଭାବକମାନେ ପିଲାଙ୍କ ଇଚ୍ଛା ପୂରଣ ପାଇଁ ସହଯୋଗ କରନ୍ତୁ, ଭଲ ପଢ଼ିବା ପାଇଁ ପ୍ରବର୍ତ୍ତାନ୍ତୁ ଏବଂ ପିଲାମାନଙ୍କ ଆବଶ୍ୟକତାକୁ ଶିକ୍ଷକମାନେ ବୁଝନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରି ବଡ଼ ଇତିହାସ ଯୋଡ଼ି ହୋଇଥିବା ଏହି ବିଦ୍ୟାଳୟର ମହାତ୍ମ୍ୟ ଓ ଗୌରବକୁ ଦ୍ବିଗୁଣିତ କରିବା ପାଇଁ ଆହ୍ବାନ ରଖିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ନାୟକ ଭାରତୀୟ ଶିକ୍ଷା ପଦ୍ଧତିର ଅତୀତ ଗୌରବ ସହ ଶିକ୍ଷାର ମୁଖ୍ୟ ଆଭିମୁଖ୍ୟ "ଯା ବିଦ୍ୟା ସା ବିମୁକ୍ତୟେ" ବୋଲି ପ୍ରକାଶ କରିଥିଲେ । ପ୍ରାକ୍ତନ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନଙ୍କୁ ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ରାଜ୍ୟପାଳଙ୍କୁ ମଧ୍ୟ ମା' ଭଦ୍ରକାଳୀଙ୍କ ଫଟୋଚିତ୍ର ଏବଂ ଉପଢୌକନ ସହ ସମ୍ବର୍ଦ୍ଧିତ କରା ଯାଇଥିଲା । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |