ଶିକ୍ଷା ଅଧିକାର ଆଇନ୍ ୨୦୧୯ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ |

23

କଟକ (ଉତ୍କଳ ନ୍ୟୁଜ ) ୨୨-୦୯-୨୦୨୩ : ଶିକ୍ଷା ଅଧିକାର ଆଇନ୍ ୨୦୧୯ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷା ଅଧିକାର ଆଇନ୍ ସମ୍ପର୍କରେ ସଚେତନ ହୋଇ ପାରିଲେ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରିବ ବୋଲି ଶ୍ରୀ ଟପୋ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏନସିପିସିଆର ତାଲିମଦାତା ଶ୍ରୀମତୀ ରୁବିନା ଶିକ୍ଷା ଅଧିକାର ଆଇନ୍ ୨୦୧୯ରେ ଦର୍ଶିତ ବିଦ୍ୟାଳୟରେ ଶାରିରୀକ ଦଣ୍ଡବିଧାନ ନିଷେଧ ସମ୍ପର୍କିତ ନିୟମାବଳୀ ବିଷୟରେ ଆଲୋକପାତ କରିଥିବାବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ସେନାପତି, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅକ୍ଷ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନ୍ତୋଷ କୁମାର ରାଉତ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ମାନସୀ ଧଳ ପ୍ରମୁଖ କର୍ମଶାଳାରେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷା ଅଧିକାର ଆଇନ୍ ୨୦୧୯ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଏନସିପିସିଆର ଦ୍ୱାରା ଆୟୋଜିତ ଏହି ଏକଦିବସୀୟ କର୍ମଶାଳାରେ ଜିଲ୍ଲାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ୭୫ଜଣ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ୫ ଜଣ ପ୍ରଶିକ୍ଷକ ଏବଂ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ । କର୍ମଶାଳା ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।