ବିଡିଓଙ୍କୁ ଘେରିଲା ଓରାଳିବିନ୍ଧା ଗାଁର ମହିଳା ମଣ୍ଡଳ, ଜୋର ନିଲାମ ନେଇଛୁ ମାଛ ଧରିବୁ ବୋଲି ଦେଲେ ଚେତାବନି ।

165

କଟକ (ଉତ୍କଳ ନ୍ୟୁଜ ) ୧୮-୦୯-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ଓରାଳିବିନ୍ଧା ଗାଁର ମା ମଙ୍ଗଳା ମହିଳା ମଣ୍ଡଳ ବିଡିଓଙ୍କୁ ଘେରିଲା । ପଞ୍ଚାୟତ ପକ୍ଷରୁ ଆଗତ ନୋଟିସ୍ ମୁତାବକ ଜୋର ନିଲାମ ପ୍ରକ୍ରିୟାରେ ଭାଗ ନେଇ ଟଙ୍କା ପୈଠ କରିଛୁ ବ୍ଲକ ପ୍ରଶାସନ ଉକ୍ତ ନିଲାମକୁ ବାତିଲ କଲେ ମଧ୍ୟ ଆମେ ମାଛ ଧରିବୁ ବୋଲି ଚେତାବନି ଦେଇଛନ୍ତି । ଏନେଇ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ଦମୟନ୍ତୀ ବଳ, ସମ୍ପାଦିକା ଉଷାରାଣୀ ବଳ, ମାନସୀ ବଳ, ଗୌରୀଲତା ବଳ, କମଳା ବଳ, ସଂଧ୍ୟାରାଣୀ ବଳ, ଶାନ୍ତିଲତା ବଳ ଓ ଭାରତୀ ବଳ ପ୍ରମୁଖ ବିଡିଓ ଜ୍ୟୋର୍ତିମୟ କରଙ୍କୁ ଭେଟି ଏପରି ଚେତାବନି ଦେଇଥିବା ଜଣାଯାଇଛି । ଅଭିଯୋଗ ମୁତାବକ, ଓରାଳିବିନ୍ଧା ଗାଁର ସାଲପୁର ଜୋର ନିଲାମ ପାଇଁ ପଞ୍ଚାୟତ ପକ୍ଷରୁ ଚଳିତ ମାସ ୧୧ ତାରିଖରେ ନୋଟିସ ଜାରି ହୋଇଥିଲା । ଏନେଇ ୧୫ ତାରିଖରେ ନିଲାମ ପ୍ରକ୍ରିୟ ହୋଇଥିଲା । ଏଥିରେ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠି ୨୨ ହଜାର ଟଙ୍କାର ନିଲାମ ନେବା ସହିତ ଟଙ୍କା ପୈଠ କରି ରସିଦ୍ ମଧ୍ୟ ହାତେଇଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ନିଲାମ ପ୍ରକ୍ରିୟା ବାତିଲ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ସେମାନେ ଜାଣିବାକୁ ପାଇଛନ୍ତି । ନିଲାମ ଦିନ ନିଲାମ ଅଧିକାରୀ ଉପସ୍ଥିତ ନଥିବା ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଲାମ ପ୍ରଦାନ କରିବା କ୍ଷମତା ନଥିବା କହି ବ୍ଲକ ପ୍ରଶାସନ ଏପରି ଟାଳି ଚାଲୁଥିବା ସେମାନେ ଜାଣିବାକୁ ପାଇଛନ୍ତି । ଅନ୍ୟପଟେ ନିଲାମ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ଉକ୍ତ ନିଲାମ ବାତିଲ କରାଯିବା ସହିତ ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ବିଡିଓ ମହିଳାମାନଙ୍କୁ ବୁଝାଇଥିଲେ । ମାତ୍ର ସେମାନେ ନିଲାମ ନେଇଛନ୍ତି ଏବେ ଠାରୁ ମାଛ ଧରିବେ ବୋଲି ରୋକ୍‌ଠୋକ୍ କହିଥିବା ଜଣାଯାଇଛି । ଏନେଇ ବିଡିଓ କିନ୍ତୁ ଭିନ୍ନ ମତ ରଖିଛନ୍ତି । ନିଲାମ ପ୍ରକ୍ରିୟାରେ ତୃଟି ଥିବାନେଇ ତାହାକୁ ବାତିଲ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସରକାରୀ କର୍ମଚାରୀଙ୍କ ଭୁଲ ପାଇଁ ମହିଳା ମଣ୍ଡଳ କ’ଣ କ୍ଷତି ସହିବ ବୋଲି ପ୍ରଶ୍ନ କରିଛନ୍ତି ମହିଳାମାନେ । ଆଗକୁ ବ୍ଲକ ପ୍ରଶାସନ ପକ୍ଷରୁ କେଉଁ ପ୍ରକାର ପଦକ୍ଷେପ ନେଉଛି ତାହାକୁ କେବଳ ଅପେକ୍ଷା କରାଯାଇଛି । ହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ ।