ବିଆଇପିଏଫ ଦ୍ୱାରା ଅନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୩ ପାଳିତ ଓ ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟିତ |

169

କଟକ (ଉତ୍କଳ ନ୍ୟୁଜ ) ୮-୦୯-୨୦୨୩ : ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ସ୍ଥାନୀୟ କରଞ୍ଜି ପଞ୍ଚାୟତ୍ତର ହରିଡାପାଳ ଗ୍ରାମରେ ଚଳିତ ବର୍ଷର ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୩ ପାଳିତ ଓ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହା ସହିତ ଅଞ୍ଚଳର ନିରକ୍ଷର କିଶୋରୀ ବାଳିକା ଓ ମହିଳା ମାନଙ୍କ ପାଇଁ ଛଅ ଗୋଟି ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟାଙ୍ଗୀ ଚୌଦ୍ବାର ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ର ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ସରପଞ୍ଚ ଶ୍ରୀ ମହେଶ୍ଵର ମହନ୍ତ, ବରିଷ୍ଠ ସାମ୍ବାଦିକ ଶ୍ରୀ ମହେନ୍ଦ୍ର ବିଶ୍ଵାଳ, ଇମ୍ଫାର ଜି.ଏମ. ଶ୍ରୀ ଜି.ଏସ.ପି. ରାଓ, ମାନବ ସମ୍ବଳ ଓ ସଧାରଣ ପ୍ରଶାସନ, ଡି. ଜି.ଏମ. ଶ୍ରୀ ଧୃବଚରଣ ରାଉତ, ଲୋକ ସମ୍ପର୍କ, ସିନିୟର ମ୍ୟାନେଜର ଶ୍ରୀ ମାନସ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୩୦ରୁ ଊର୍ଦ୍ଧ୍ଵ ମହିଳା ଅଂଶଗ୍ରହଣ କରିଥିଲେ । ଫାଉଣ୍ଡେସନର ଅଧିକାରୀ ଶ୍ରୀ ଆଶିଷ ଦାସ ସ୍ଵାଗତ ଭାଷଣ ଦେଇଥିବାବେଳେ । ଶ୍ରୀ ମିଶ୍ର, ବ୍ଲକ ଉନ୍ନୟନ ଅଧିକାରୀ, ଟାଙ୍ଗୀ ଚୌଦ୍ବାର ବ୍ଲକ ନିଜର ଅଭିଭାଷଣରେ ଜୀବନରେ ଶିକ୍ଷାର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିବା ସହିତ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୩ର ଏବର୍ଷର ସ୍ଲୋଗାନ “ପରିବର୍ତ୍ତନ ସମୟରେ ଏକ ବିଶ୍ୱ ପାଇଁ ସାକ୍ଷରତାକୁ ପ୍ରୋତ୍ସାହନ : ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଆବଶ୍ୟକତା” ଉପରେ ଆଲୋକପାତ କରିଥିଲେ । ଶିକ୍ଷା ପାଇବାର ନିର୍ଦ୍ଧିଷ୍ଟ ବୟସ ସୀମା ନଥିବା କହିବା ସହିତ ଏହି ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ପଢି ମହିଳା ନିଜକୁ କିପରି ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିପାରିବା ଓ ନିଜର ତଥା ନିଜ ପରିବାରର ଉନ୍ନତି ହୋଇପାରିବ ବୋଲି ବୁଝାଇଥିଲେ । ସରପଞ୍ଚ ଶ୍ରୀ ମହେଶ୍ଵର ମହନ୍ତ ଫାଉଣ୍ଡେସନର ଏହି ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହିଭଳି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଦ୍ଵାରା ସ୍ଥାନୀୟ ଅଞ୍ଚଳର ନିରକ୍ଷରତା ଦୂର ହୋଇପାରିବ କହି ଫାଉଣ୍ଡେସନକୁ ଶୁଭେଚ୍ଛା ଜଣାଇଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ମହେନ୍ଦ୍ର ବିଶ୍ଵାଳ ନିଜ ବକ୍ତ୍ୟବରେ ଏହି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ମାଧ୍ୟମରେ ଶିକ୍ଷା ସହିତ ସ୍ୱାସ୍ଥ୍ୟ, ଜଳ ଓ ପରିମଳ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ହୋଇପାରିବ ବୋଲି କହିଥିଲେ । ଇମ୍ଫାର ଜି.ଏମ. ଶ୍ରୀ ଜି.ଏସ.ପି. ରାଓ ନିଜର ବକ୍ତବ୍ୟରେ ଇମ୍ଫା ଓ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚାଲିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ଓ ନାରୀ ସମ୍ବନ୍ଧୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିଥିଲେ । ଶ୍ରୀ ଧୃବଚରଣ ରାଉତ, ଲୋକ ସମ୍ପର୍କ ଅଧିକାରୀ ଇମ୍ଫା ଏହି ଭଳି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଦ୍ଵାରା ନିରକ୍ଷରତା ଦୂର ହେବା ସହିତ ଅନେକ ପରିମାଣର ସ୍ୱାସ୍ଥ୍ୟ ତଥା ଜୀବନ ଜୀବିକା ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ଏଠାରେ ପ୍ରକାଶ କରାଯାଇପାରେ ଆଦିବାସୀ ମହିଳା ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଫାଉଣ୍ଡେସନ ତରଫରୁ ଗତ ଦୁଇବର୍ଷ ମଧ୍ୟରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ରଦ୍ଵାରା ଟାଙ୍ଗୀ ଚୌଦ୍ଵାର ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ମଙ୍ଗରାଜପୁର, ମହିଷାଲଣ୍ଡା, କରଞ୍ଜି ପଞ୍ଚାୟତ୍ତର ଅଞ୍ଚଳର ୩୪୧ଜଣ କିଶୋରୀ ବାଳିକା ଓ ମହିଳା ମାନଙ୍କୁ ମାଗଣାରେ ଶିକ୍ଷାପ୍ରଦାନ କରାଯାଇଥିଲା । ଏହାର ସଫଳତାକୁ ଅନୁଧ୍ୟାନ କରି ଏହି ବର୍ଷ ଆଉ “୬” ଟି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଉଅଛି । ଏହି ଅଭିଯାନ ମାଧ୍ୟମରେ ଏହିବର୍ଷ ଅଞ୍ଚଳର ଆଉ୧୮୦ଜଣ ଆଦିବାସୀ ମହିଳାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ଏହି ଅବସରରେ ଫାଉଣ୍ଡେସନ ତରଫରୁ ଡିଜିଟାଲ ବିଭାଜନଙ୍କୁ କମ କରିବା ପାଇଁ ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ମାନଙ୍କୁ ୬ଟି ଟାବଲେଟ ଓ ସ୍ପିକର ପ୍ରଦାନ କରଯାଇଥିଲା । ଏହା ଦ୍ଵାରା ଶିକ୍ଷାର୍ଥୀ ମାନେ ଅଭିନବ ଉପାୟରେ ପାଠ ପଢିବା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ , ଜଳ ଓ ପରିମଳ ଓ ଜୀବନ ଜୀବିକା ସମ୍ବନ୍ଧରେ ଜାଣି ପାରିବେ । କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଅଧିକାରୀ ଶ୍ରୀ ଆଶିଷ ଦାସ ପରିଚାଳନା କରିଥିବା ବେଳେ ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର, ସୁଶ୍ରୀ ଶୁଭଶ୍ରୀ ନାୟକ, ଶ୍ରୀ ଜ୍ଞାନ ରଞ୍ଜନ ବେହେରା ଓ ଶ୍ରୀ ମନୋଜ ମହାପାତ୍ର ସହଯୋଗ କରିଥିଲେ ।