ମିର୍ଜାପୁରରେ ଗଛକଟାକୁ ବିରୋଧ, ବାପପୁଅଙ୍କ ନାମରେ ମାମଲା ରୁଜୁ |

247

କଟକ (ଉତ୍କଳ ନ୍ୟୁଜ ) ୦୨-୦୯-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଗଛକଟାକୁ ବିରୋଧ କରିବାରୁ ବାପ ପୁଅଙ୍କ ଆକ୍ରମଣରେ ଶିକାର ହୋଇ ଜଣେ ଆହତ ହୋଇଛନ୍ତି । ଏହି ଗାଁର ଭବେଶ କୁମାର ପତିଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପା ବସନ୍ତ ପତିଙ୍କ ଜାଗା ଉପରେ ଏକ ଶିରିଶ ଗଛ ରହିଥିଲା । ତେବେ ଗତ ୨୬ ତାରିଖ ଦିନ ପ୍ରତିପକ୍ଷ ବିଜୟ ପତି ଓ ତାଙ୍କ ପୁଅ ପୁରୁଷୋତ୍ତମ ପତି(ଚନ୍ଦନ) ଉକ୍ତ ଗଛଟିକୁ କରତିଆଙ୍କ ସହାୟତାରେ କାଟିଥିଲେ । ଏହା ଜାଣିବା ପରେ ବସନ୍ତ ପତିଙ୍କ ପୁଅ ଭବେଶ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଫଳରେ ବିଜୟ ଓ ପୁରୁଷୋତ୍ତମଙ୍କ ସହିତ ଭବେଶଙ୍କ ପାଟିତୁଣ୍ଡ ଓ କଥା କଟାକଟି ହୋଇଥିଲା । ପରେ ଉଭୟ ବାପ ପୁଅ ଉତ୍ତ୍ୟକ୍ତ ହୋଇ ଭବେଶଙ୍କୁ ଆକ୍ରମଣ କରିଥିଲେ । ସେମାନେ ଭବେଶଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ମାରି ତଳେ ପକାଇ ଦେଇଥିଲେ । ପରେ ତାଙ୍କ ଛାତିକୁ ଗୋଇଠା ଓ ବିଧା ମାରି ଚାଲିଥିଲେ । ଏହି ସମୟରେ ପୁରୁଷୋତ୍ତମ ଦୌଡି ଯାଇ ଘରୁ ଏକ ମାରଣାସ୍ତ୍ର ଆଣି ଭବେଶଙ୍କ ବେକରେ ଲଗାଇ ଜୀବନରୁ ଶେଷ କରି ଦେବାକୁ ଧମକ ଦେବା ସହ ତାଙ୍କ ପରିବାରକୁ ଶେଷ କରିଦେବାକୁ ଧମକ ଦେଇଥିଲେ । ଭବେଶଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯାହାକୁ ନେଇ ବାପ ପୁଅ ସେଠାରୁ ଫେରାର ହୋଇ ଯାଇଥିଲେ । ଭବେଶଙ୍କ ଛାତିରେ ଆଘାତ ଲାଗିଥିବାରୁ ସେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଭବେଶ ଏଥିନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏଥିନେଇ ଦଫା-୪୪୭,୨୯୪, ୩୨୩, ୪୨୭, ୫୦୬, ୩୪ଆଇପିସିରେ ଏକ ମାମଲା ୩୩୫/୨୩ ରୁଜୁ କରିଛି ପୁଲିସି । ଏଠାରେ ସୂଚନା ଥାଉକି, ଗତ ପ୍ରାୟ ମାସେ ହେଲା ଭବେଶଙ୍କ ପରିବାରକୁ ପ୍ରତିପକ୍ଷ ମାନେ ବିଭିନ୍ନ ଧମକଚମକ ଦେଇ ଆସୁଥିଲେ । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ |