ଦଧିଚୀ ସମ୍ମାନପ୍ରାପ୍ତ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ କଟକ ମେଡିକାଲ କଲେଜ ନେଇଗଲା ମରଶରୀର |

206

କଟକ (ଉତ୍କଳ ନ୍ୟୁଜ ) ୦୨-୦୯-୨୦୨୩ : ଆଦର୍ଶ ଶିକ୍ଷକ ପଦ୍ମନାଭ ପାଢ଼ୀଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧୀନ ଗୁଆମାଳ ପଞ୍ଚାୟତ ଝାଡ଼ପଟା ଗ୍ରାମରେ ତାଙ୍କ ଘର । ସେ ମଞ୍ଜୁରୀରୋଡ଼ ସ୍କୁଲରୁ ଶିକ୍ଷକତା ଆରମ୍ଭ କରି ଦୋଳସାହି ରାମନାରାୟଣ ଉଚ୍ଚ ବିଦ୍ୟାଳୟ, ଚାନ୍ଦବାଲି ଦାକ୍ଷା ହାଇସ୍କୁଲ, ଆଗରପଡ଼ା କେଭିଭିଏମ ହାଇସ୍କୁଲ ଓ ଭଦ୍ରକ ଏନସି ହାଇସ୍କୁଲରେ ଶିକ୍ଷକତା କରି ଭଦ୍ରକ ବାଗୁରାଇ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ଦୀର୍ଘ ୩୮ ବର୍ଷ ଧରି ସେ ଶିକ୍ଷକତା କରି ବହୁ ଛାତ୍ରଛାତ୍ରୀଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ନିଜ ଅଞ୍ଚଳରେ ଗୁଆମାଳ ସଂଗୀତ ମହାବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ବିଭିନ୍ନ ସଂଗଠନ ସହ ସେ ଜଡ଼ିତ ରହି ସମାଜସେବାରେ ନିଜକୁ ସମର୍ପିତ କରିଥିଲେ । ସୂଚନା ଯୋଗ୍ୟ, ତାଙ୍କ ଶରୀର ଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ସେ ‘ଦଧିଚି’ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତାଙ୍କ ମରଦେହକୁ ଗ୍ରାମରେ ପରିକ୍ରମା କରାଯାଇଥିଲା ଓ ପରେ କଟକ ମେଡିକାଲ କଲେଜକୁ ତାଙ୍କ ଶରୀର ଦାନ କରି ଦିଆଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଗାନ୍ଧୀ ବିଚାର ମଞ୍ଚ ଆଦି ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କର ପତ୍ନୀ, ତିନି ପୁଅ ଓ ଦୁଇ ଝିଅ ଅଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |