ତିହିଡ଼ି ବ୍ଲକରେ ମିଳିତ ଜନଶୁଣାଣି ଶିବିର, ୬୭ ବ୍ୟକ୍ତିଗତ ସମସ୍ୟାମୂଳକ ଅଭିଯୋଗ ବେଳେ ସାମୁହିକ ମାତ୍ର ୫ |

220

କଟକ (ଉତ୍କଳ ନ୍ୟୁଜ ) ୧୪-୦୮-୨୦୨୩ : ତିହିଡ଼ି ବ୍ଲକରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ମୋଟ ୭୨ ଆବେଦନକାରୀଙ୍କ ଅଭିଯୋଗ ଶୁଣାଣୀ କରିଥିଲେ । ସେଥିମଧ୍ୟରୁ ୬୭ ବ୍ୟକ୍ତିଗତ ସମସ୍ୟା ମୂଳକ ଓ ୫ ଟି ସାମୁହିକ ସମସ୍ୟା ଭିତ୍ତିକ ଥିଲା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୩ ଜଣଙ୍କୁ ଚିକିତ୍ସା ବାବଦ ୨୭ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ସେମାନଙ୍କ ମଧ୍ୟରୁ ଗୁଆମାଳର ବାସନ୍ତୀ ଜେନାଙ୍କୁ ୫ ହଜାର ଟଙ୍କା, ପାଳିଆର ପସନ୍ନ ନାୟକଙ୍କୁ ୧୨ ହଜାର ଟଙ୍କା ଓ ନିଶ୍ଚିନ୍ତପୁରର ପ୍ରଭାତ କୁମାର ନାୟକଙ୍କ ପାଇଁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇ ପ୍ରଭାତଙ୍କୁ ତତ୍କାଳ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲ । ସାମାଜିକ ସୁରକ୍ଷା ଯୋଜନାରେ ୬ ଜଣ ହିତାଧିକାରୀଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ଉପଜିଲାପାଳ ମନୋଜ ପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ପ୍ରତୀକ ସାହୁ, ଡେପୁଟି କଲେକ୍ଟର ରାଜୀବ ହାଁସଦା ପ୍ରମୁଖ ଏହି ଶିବିରରେ ଯୋଗଦେଇଥିଲେ । ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।