ଆବଶ୍ୟକତାରୁ କମ ଚାଉଳ ଆସୁଥିବାରୁ ତଦନ୍ତ ଦାବିକଲେ ସରପଞ୍ଚ |

684

କଟକ (ଉତ୍କଳ ନ୍ୟୁଜ ) ୧୪-୦୮-୨୦୨୩ : ପାଳିଆବିନ୍ଧାରେ ପଞ୍ଚାୟତ ପକ୍ଷରୁ ହିତାଧିକାରୀଙ୍କୁ ନାଲି ଚାଉଳ ଓ ୩ ମାସ ପରିବର୍ତ୍ତେ ଦୁଇମାସର ଚାଉଳ ଦିଆଯିବା ଘଟଣାକୁ ନେଇ ହିତାଧିକାରୀମାନେ କ୍ଷୋଭପ୍ରକାଶ କରିଥିବା ବେଳେ ସରପଞ୍ଚ ଏଥିପାଇଁ ପ୍ରଶାସନକୁ ଦାୟି କରିଛନ୍ତି । ଏ ନେଇ ସରପଞ୍ଚ ଓ ସମିତି ସଭ୍ୟ ଆଜି ଜିଲାପାଳଙ୍କୁ ସାକ୍ଷାତ କରି ପଞ୍ଚାୟତକୁ କାହିଁକି ଆବଶ୍ୟକତାଠାରୁ କମ ଚାଉଳ ଯୋଗାଇ ଦିଆଯାଉଛି ସେ ନେଇ ଅଭିଯୋଗ କରିଛନ୍ତି । ରାଜନୈତିକ ଉଦେଶ୍ୟ ରଖି ତାଙ୍କୁ ବଦନାମ କରାଯିବାକୁ ଯୋଜନା କରାଯାଉଥିବା ବେଳେ ବାସ୍ତବ ସମସ୍ୟାକୁ ଲୋକଲୋଚନକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ସରପଞ୍ଚ ଦାୟୀତ୍ୱ ନେବା ବେଳେ ୪୧୬ କୁଇଣ୍ଟାଲ ଚାଉଳ ଗଚ୍ଛିତ ଅଛି ବୋଲି ମେସିନ ଦର୍ଶାଉଥିବା ବେଳେ ବାସ୍ତବରେ ଗୋଟିଏ କିଲୋ ଚାଉଳ ମଧ୍ୟ ନଥିଲା । ଏ ନେଇ ସେତେବେଳେ ସରପଞ୍ଚ ପଚାରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହା ପରଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ଚାଉଳ ଯୋଗାଇ ଦିଆଯାଉଛି ଆବଶ୍ୟକତା ଠାରୁ କମ ଦିଆଯାଉଛି । ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ୨୦୨୨ ମସିହା ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ୮୮୭ କୁଇଣ୍ଟାଲ ଚାଉଳ ଆବଶ୍ୟକ ପଡ଼ୁଥିବା ବେଳେ ୪୩ କୁଇଣ୍ଟାଲ ଚାଉଳ କମ ଆସିଥିଲା । ଜୁଲାଇରେ ୨୯୫ କୁଇଣ୍ଟାଲ ଜାଗାରେ ଆସିଥିଲା ମାତ୍ର ୧୪୫ କୁଇଣ୍ଟାଲ । ଅଗଷ୍ଟ-ସେପ୍ଟେମ୍ବର ମାସରେ ସେହିପରି ୨୯୯ କୁଇଣ୍ଟାଲ ଚାଉଳ କମ ଆସିଥିଲା । ଗତବର୍ଷ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ୧୬୦ କୁଇଣ୍ଟାଲ ଚାଉଳ କମ ଆସିଛି । ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ୨୪୮ କୁଇଣ୍ଟାଲ ଚାଉଳ କମ ଆସିଛି । ଏହାର ପରିଣାମ ସ୍ୱରୂପ ସେମାନଙ୍କର ଆବଶ୍ୟକତା ଚାଉଳ ଦିଆଯାଇପାରୁନାହିଁ । ହିତାଧିକାରୀମାନେ ସେମାନଙ୍କର ଚାଉଳ ପାଇବାର ଦାବି ଯଥାର୍ଥ ହୋଇଥିବା ବେଳେ ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ ଚାଉଳ କାହିଁକି ଦିଆଯାଇନାହିଁ, କେଉଁଥି ପାଇଁ କଟିକଟି ଚାଲିଛି ଓ ସେଥିପାଇଁ କିଏ ଦାୟୀ ଇତ୍ୟାଦିର ତଦନ୍ତ କରି ଆବଶ୍ୟକୀୟ ଚାଉଳ ଯୋଗାଇଦିଆଯାଉ ବୋଲି ସରପଞ୍ଚ ଯଶୋଦା ମଲିକ ଓ ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ ଦାବି କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।