ସରକାରୀ ଜମି ଜବର ଦଖଲକୁ କେନ୍ଦ୍ରକରି ବାରସରରେ ଉତ୍ତେଜନା , ପୋଲିସର ନିଷ୍କ୍ରିୟତା ବିରୋଧରେ ଉଭୟ ପକ୍ଷରୁ ଏସପିଙ୍କ ଦ୍ୱାରସ୍ଥ |

137

କଟକ (ଉତ୍କଳ ନ୍ୟୁଜ ) ୪-୦୭-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ବାରସର ଗାଁରେ ଏକ ସରକାରୀ ଜମି ଜବର ଦଖଲକୁ କେନ୍ଦ୍ରକରି ଉତ୍ତେଜନା ଦେଖା ଦେଇଛି । ସରକାରୀ ସ୍ତରରେ ମାପଚୁପ କରାଯିବା ପରେ ମଧ୍ୟ ଏକ ନିଦ୍ଦିଷ୍ଟ ପରିବାର ଜବର ଦଖଲରୁ ମୁକ୍ତ ହେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଗ୍ରାମର ଜଣେ ଯୁବକ ସଂପୃକ୍ତ ପରିବାରର ଜନୈକ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ କରିବା ସହିତ ଏସିଡ୍ ପକାଇ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ ମଧ୍ୟ କରିଛି ମାତ୍ର କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ଦର୍ଶାଇ ଉକ୍ତ ପରିବାର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୁଇଦିନ ତଳେ ଯୁବତୀଙ୍କ ସମେତ ତାଙ୍କ ପରିବାର ଏସପିଙ୍କ କାର୍ଯ୍ୟାଳୟରେ ସଂପୃକ୍ତ ଯୁବଙ୍କ ବିରୋଧରେ ନାରାବାଜି କରିଥିଲେ ଯାହା ବିଭିନ୍ନ ବିଭିନ୍ନ ମାଧ୍ୟମରେ ଭାଇରାଲ ହେଉଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ସଂପୃକ୍ତ ଯୁବକ । ସରକାରୀ ଜମିକୁ ଜବର ଦଖଲ କରିଥିବା ନେଇ ଯୁବତୀଙ୍କ ପରିବାର ବିରୋଧରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏବଂ ତହସିଲ ପକ୍ଷରୁ ମାପଚୁପ୍ କରାଯିବା ପରେ ଜବର ଦଖଲରୁ ମୁକ୍ତ ହେବାକୁ କୁହାଯାଇଥିଲା । ମାତ୍ର ସେ ସେଥିରୁ ନିବୃତ ନହୋଇ ସଂପୃକ୍ତ ଯୁବକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଛନ୍ତି ଏବଂ ବିଭିନ୍ନ ସମୟରେ ମାଲିମୋକଦ୍ଦମାର ଭୟ ଦେଖାଉଛନ୍ତି ଯୁବତୀଙ୍କ ପରିବାର ଲୋକେ । କପୋଳ କଳ୍ପିତ ଖବର ପ୍ରସାରଣ କରାଇ ସଂପୃକ୍ତ ଯୁବକଙ୍କ ସମେତ ଗ୍ରାମବାସୀଙ୍କ ସମ୍ମାନ ହାନି କରାଯାଉଛି ବୋଲି ଅଭିଯୋଗ ହୋଇଛି । ଗତକାଲି ଗ୍ରାମବାସୀଙ୍କ ସହ ସଂପୃକ୍ତ ଯୁବକ ଏସପିଙ୍କ ଦ୍ୱାରସ୍ଥ ହୋଇ ପ୍ରକୃତ ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଅନ୍ୟପଟେ ଅଭିଯୋଗକୁ ଭିତ୍ତିକରି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି ଯାହା ତଦନ୍ତାଧିନ ରହିଛି ବୋଲି ପୀରହାଟ ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ ।