ପୋଲିସ ଆଖିରେ ଧୂଳିଦେଇ ଖସି ଯାଉଥିଲା ଚୋରା କୋଇଲା ବୋଝେଇ ଟ୍ରକ୍‌ |ରାସ୍ତାରେ ମାଡି ବସିଲା ପୋଲିସ, ୫ ଟନ୍ ଚୋରା କୋଇଲା ଜବତ୍‌, ଚାଳକ ଖଲାସୀ ଗିରଫ |

96

କଟକ (ଉତ୍କଳ ନ୍ୟୁଜ ) ୯-୦୬-୨୦୨୩ : ପୋଲିସ ଆଖିରେ ଧୂଳିଦେଇ ଖସିଯାଉଥିଲା ଚୋରା କୋଇଲା ବୋଝେଇ ୧୦ ଚକିଆ ଟ୍ରକ୍ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଅଟକାଇଲା ପୋଲିସ । ଗାଡି ସହ ୫ ଟନ୍ ଚୋରା କୋଇଲା ଜବତ୍ ଏବଂ ଚାଳକ ଓ ଖଲାସୀ ଗିରଫ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ପୀରହାଟ ପୋଲିସକୁ ମିଳିଛି ଏପରି ସଫଳତା । ସ୍ଥାନୀୟ ଖରାଖାଇ ରେଳପଥ ନିକଟରୁ ଚୋରା କୋଇଲା ବୋଝେଇ କରି ବାହାରକୁ ଯିବାଲାଗି ପ୍ରସ୍ତୁତ ହେଉଥିଲା ଏକ ୧୦ ଚିକିଆ ଟ୍ରକ୍ । ଶୁକ୍ରବାର ସକାଳେ କୌଣସି ସୂତ୍ରରୁ ଖବର ପାଇଥିଲେ ଆଇଆଇସି ଗୟାଧର ବେହେରା । ଶ୍ରୀ ବେହେରା ନିର୍ଦ୍ଦେଶକ୍ରମେ ପୋଲିସ କର୍ମଚାରୀ ତୁଷାର ପଣ୍ଡା, ରାଜେନ୍ଦ୍ର ସାହୁ ଓ ବିମ୍ବା ମୁର୍ମୁ ରେଳପଥରେ ଗାଡିର ପିଛା କରିଥିଲେ । ଗାଡିଟି ଦୃତ ଗତିରେ ଆରୁହା ଛକ ଦେଇ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଉଠି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସିନ୍ଦୋଳ ଗାଁ ନିକଟରେ ଶ୍ରୀ ବେହେରା ମାଡି ବସିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି । ରାତିରେ ଗଲେ ହାତିଏ ରୋଜଗାର କରିବାର ଲକ୍ଷ୍ୟନେଇ ସ୍ଥାନୀୟ ଯୁବକମାନେ ପଥଭ୍ରଷ୍ଟ ହୋଇ ଚଳନ୍ତା ରେଳରୁ କୋଇଲା କାଢୁଛନ୍ତି । ସେଗୁଡିକୁ ଶାଗମାଛ ଦରରେ ମାଫିଆମାନେ କିଣି ଚଢା ଦରରେ ବାହାରକୁ ଯୋଗାଣ କରୁଛନ୍ତି । ସ୍ଥାନୀୟ କୁଜିନେତାଙ୍କ ସହଯୋଗରେ ଏହି ବ୍ୟବସାୟ ସୁରୁଖୁରେ ଚାଲୁଛି । ପୋଲିସ କାଁ ଭାଁ ଟେର୍ ପାଉଥିବା ବେଳେ ଅଧିକାଂଶ ଚୋରା କୋଇଲା ବୋଝେଇ ଗାଡିକୁ ଗନ୍ତବ୍ୟ ସ୍ଥଳକୁ ନେଇ ଯାଇ ପାରୁଛି । ଏହି ଚୋରା କୋଇଲା ବେପାର ସଂପ୍ରତି ସାମାଜିକ ବ୍ୟାଧିରେ ପରିଣତ ହେଲାଣି । ଏହା ଫଳରେ ଗାଁ ଗଣ୍ଡାରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଯାହା ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣ ବାହାରେ ହୋଇ ଗଲାଣି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |