ଅଲେଖ ମଠରୁ ଚୋରୀ ଘଟଣା, ପୁଣି ୪ଗିରଫ୍‌।

298

କଟକ (ଉତ୍କଳ ନ୍ୟୁଜ ) ୯-୦୬-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ଗାଁର ଅଲେଖ ଧର୍ମାବଲମ୍ବୀ ଗଣେଶ ବାବାଙ୍କ ମଠରୁ ଚୋରୀ ଘଟଣାରେ ପୋଲିସ ପୁଣି ୪ ଜଣଙ୍କୁ ଗିରଫ୍ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ନଗଦ୍ ଟଙ୍କା ସମେତ ଚୋରୀ ଟଙ୍କାରେ କିଣିଥିବା ସୁନା ଅଳଙ୍କାର ଜବତ୍ କରିଛି । ଗିରଫ୍ ଅଭିଯୁକ୍ତ ଚଡଦିଆ ଗାଁର ନିବାସୀ ଅଧୂନା ଖଦାଳପୋଖରୀ ଗାଁରେ ରହୁଥିବା ମିଲନ ଦାସ(୩୬), ଖଦାଳପୋଖରୀ ଗାଁର ଶ୍ରବଣ ନାଥ, ଧାମରା ପାଇକସାହିର ବିରେନ୍ଦ୍ର ଦାସଙ୍କ ଝିଅ ରଶ୍ମିତା ଦାସ ଓ ଖଦାଳପୋଖରୀ ଗାଁର ସନ୍ୟାସୀ ଦାସଙ୍କ ସ୍ତ୍ରୀ ସତ୍ୟଭାମା ଦାସ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ଶ୍ରବଣ ଠାରୁ ୧ ଲକ୍ଷ ୪୩ ହଜାର ଟଙ୍କା ଓ ମିଲନ ଏବଂ ରଶ୍ମିତା ଠାରୁ ୨୫ ହଜାର ଟଙ୍କା ସମେତ ମୋଟ୍ ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କାର ସୁନ ଅଳଙ୍କାର ଜବତ୍ କରିଛି ପୋଲିସ । ଏହି ଚୋରୀ ଘଟଣାରେ ପ୍ରଥମ ପର୍ଯ୍ୟାୟରେ ମାଷ୍ଟର ମାଇଣ୍ଡ ମଠର ମହନ୍ତ ଗଣେଶ ବାବାଙ୍କ ପୂର୍ବତନ ଅନୁଗାମୀ ଜୟଦେବ ଦାସଙ୍କ ସମେତ ମଠର ପୂର୍ବତନ କର୍ମଚାରୀ ଅକୁଜା ଓରଫ୍ ଶରତ ଦାସଙ୍କୁ ଗିରଫ୍ କରାଯାଇଥିଲା । ପରେ ସଞ୍ଜୟ ନାଥ ଓ ବଟକୃଷ୍ଣ ଦାସଙ୍କ ୨ଟି ପର୍ଯ୍ୟାୟରେ ଗିରଫ୍ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଗୋବର୍ଦ୍ଧନ ଜେନା କୋର୍ଟରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି । ଏହାକୁ ମିଶାଇ ମୋଟ୍ ୯ ଜଣ ପାଲିସ ପଞ୍ଝାରେ । ଏହାବ୍ୟତିତ ଆହୁରି ଅନେକ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି । ସୂଚନା ମୁତାବକ, ଏହି ଅଲେଖ ମଠଟି ଦାନଧର୍ମରେ ଚଳି ଆସୁଅଛି । ମଠର ମହନ୍ତ ଯାହା ଦାନଧର୍ମରେ ପାଆନ୍ତି ସାଇତି ରଖିଥାନ୍ତି । ମାତ୍ର ତାଙ୍କର ଜଣେ ପୂର୍ବତନ ଅନୁଗାମି ଜୟଦେବ ଦାସ ମଠରୁ ବାହାରି ଯିବାପରେ ବାବାଙ୍କ ଟଙ୍କା ଉପରେ ଲୋଲୁପ ଦୃଷ୍ଟି ପଡିଥିଲା । ଏବଂ ବାବା ଜୋରନ୍ଦା ମେଳାରେ ଯୋଗ ଦେଇଥିବା ବେଳେ ମଠର ଜଣେ ପୂର୍ବତନ କର୍ମଚାରୀ ଅଖୁଜା ଦାସଙ୍କ ସହ ଯୋଗାଯୋଗ କରିଥିଲା । ଅଖୁଜା ନିଜର ସମ୍ପର୍କୀୟଙ୍କ ଜରିଆରେ ରାତିଅଧିଆ ଚୋରୀ କରିବାରେ ସକ୍ଷମ ହୋଇଥିଲା । ମଠରୁ ପ୍ରାୟ ୮୦ ଲକ୍ଷ ନଗଦ୍ ଟଙ୍କା ଚୋରୀ ହୋଇଥିବା ଗଣେଶ ବାବା ପୋଲିସକୁ ସୂଚନା ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।