ବଜ୍ରାଘାତରେ ତିହିଡି ଓ ଚାନ୍ଦବାଲିରେ ୨ ମୃତ |

326

କଟକ (ଉତ୍କଳ ନ୍ୟୁଜ ) ୨୪-୦୫-୨୦୨୩: ବଜ୍ରାଘାତରେ ତିହିଡି ଓ ଚାନ୍ଦବାଲି ବ୍ଲକରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିହିଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର କୁଆଁରଚତର ଗାଁର ଦାମୋଦର ମହାନ୍ତି (୭୦) ଆଜି ଅପରାହ୍ନରେ ତିହିଡି ଅଞ୍ଚଳକୁ ବର୍ଷ ପବନ ସହିତ ଖୁବ୍ ଜୋରରେ ବଜ୍ରପାତ ହୋଇଥିଲା । ଦାମୋଦର ନିଜ ବାଡ଼ିକୁ ଶୌଚ ହେବାକୁ ଯାଇଥିଲେ । ବଜ୍ରାଘାତ ଯୋଗୁଁ ସେଠାରେ ସେ ସଂଜ୍ଞାହୀନ ହୋଇ ତଳେ ପଡି ଯାଇଥିଲେ । ପରେ ତାଙ୍କ ପରିବାର ଲୋକେ ତୁରନ୍ତ ତାଙ୍କୁ ତିହିଡି ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦାମୋଦରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପରୋପକାରୀ ଓ ମିଷ୍ଟଭାଷୀ ମଣିଷ ଭାବରେ ସେ ବେଶ ଜଣାଶୁଣା ଥିଲେ । ତାଙ୍କର ସ୍ତ୍ରୀ, ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ତିହିଡ଼ି ସମେତ ଗୋବିନ୍ଦପୁର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ଚାନ୍ଦବାଲି ବିଧାୟକ ବିଜୟ ନାୟକ, ସମାଜସେବୀ କୁମାର ଗଙ୍ଗାଧର, ବାରସର ସେବା ସମବାୟ ସମିତିର ସଭାପତି ମାନସ ନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେହିପରି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଂଚାୟତ ନୁଆଗଁ ଇଛାପୁର ଗାଁର ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନୁଆଗାଁ ଇଛାପୁର ଗାଁର ଅଜୟ ମହାନ୍ତି । ଅଜୟ ନିଜ ଧାନ କ୍ଷେତରେ ତଳି ପକାଉ ଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ । ବଜ୍ରାଘାତର ଫଳରେ ତାଙ୍କ ଦେହରେ ପ୍ରାୟ ୭୦ ଭାଗ ଜଳି ଯାଇଥିଲା । ଘଟଣା ସ୍ଥଳରୁ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲକୁ ନେଇ ଯାଇଥିଲେ । ମେଡ଼ିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।