ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ତଦନ୍ତ ଆରମ୍ଭ।

236

କଟକ (ଉତ୍କଳ ନ୍ୟୁଜ ) ୨୩-୦୫-୨୦୨୩: ଭଦ୍ରକ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ ଶଙ୍କରପୁର କନାଟିଆ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ନେଇ ଥାନାରେ ଏତଲା ଦିଆ ଯାଇଥିଲା । ତେବେ ଏନେଇ ତିହିଡ଼ି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରତ୍ନାକର ସାହୁ ଓ ଭାରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷାଧିକାରୀ ଗିରିଧାରୀ ଚାନ୍ଦ ବିଦ୍ୟାଳୟରେ ପହଁଚି ପ୍ରାଥମିକ ତଦନ୍ତ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ଓ ପରିଚାଳନା କମିଟିର ସଭାପତି ପ୍ରମୁଖଙ୍କ ସହ ଏନେଇ ଆଲୋଚନା କରିଥିବା ବେଳେ ତଦନ୍ତର ଫଳାଫଳ କ’ଣ ହେଲା ସେ ନେଇ କୌଣସି ସୂଚନା ଦିଆ ଯାଇନାହିଁ। ସୂଚନା ଯୋଗ୍ୟ, ୱାର୍ଡ ସଭ୍ୟା ସରସ୍ୱତୀ ନାୟକ, ନାରାୟଣ ଚନ୍ଦ୍ର ନାୟକ, ତପସ୍ୱିନୀ ନାୟକ, ସବିତା ନାୟକ, ଗୀତାରାଣୀ ନାୟକ, ଲିଲିରାଣୀ ନାୟକ, ପଦ୍ମିନୀ ମହାନ୍ତି, ଲିପିରାଣୀ ମହାନ୍ତି, ବାବାଜୀ ମହାନ୍ତି, ସୁରେନ୍ଦ୍ର ନାୟକ, ଶୁସାନ୍ତ ବିଶ୍ୱାଳ ପ୍ରମୁଖ ଜିଲ୍ଲାପାଳ, ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟାହ୍ନ ଚାଉଳ ଚୋରି ସମ୍ପର୍କରେ ଅବଗତ କରାଇବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି କରିଥିଲେ । ସୂଚନା ଥାଉକି, ବିଦ୍ୟାଳୟ ଛୁଟିଥିବା ବେଳେ ଗତ ୧୬ ତାରିଖ ସଂଧ୍ୟାରେ କେତେକ ଲୋକ ଏକ ଅଟୋରିକ୍ସା ମାଧ୍ୟମରେ ୭ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ନେଇ ଯାଇଛନ୍ତି । ବିଦ୍ୟାଳୟରୁ ବାହାରିବା ପରେ ଗାଁ ଛକରେ କେତେକ ଯୁବକ ତାହା ଦେଖିବାକୁ ପାଇଥିଲେ ହେଁ ଚାଉଳର ସନ୍ଧାନ ପାଇନଥିଲେ । ବିଦ୍ୟାଳୟ ଛୁଟି ହେବାପରେ ଦୁଇ ଶିକ୍ଷକଙ୍କ ଠାରେ ସମସ୍ତ ତାଲା ପଡିଥିଲା । ଚାଉଳ ଚୋରି ନୁହେଁ ବରଂ ତାଲା ଖୋଲାଯାଇ ଚାଉଳ ନିଆଯାଇଛି ଓ ଯେଉଁମାନେ ଚାଉଳ ନେଇଛନ୍ତି ସେମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରା ଯାଇଥିଲା। ଅନ୍ୟପଟେ ଅଭିଯୋଗ ପରେ ଗ୍ରାମବାସୀଙ୍କୁ ଚାଉଳ ଚୋରୀ ହୋଇଥିବା ସ୍ପଷ୍ଟ କରିଛନ୍ତି ପ୍ରଧାନ ଶିକ୍ଷକ। ସଠିକ ଭାବେ ତଦନ୍ତ କରାନଗଲେ ଆଇନର ଆଶ୍ରୟ ନିଆଯିବ ବୋଲି ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା ସୂଚନା ଦେଇଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।