ତୋଟାସାହି ସାବିତ୍ରୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ।

136

କଟକ (ଉତ୍କଳ ନ୍ୟୁଜ ) ୧୯-୦୫-୨୦୨୩ : ସମୟ ଗଡ଼ିବା ସହ ଯୁଗ ମଧ୍ଯ ବଦଳୁଛି। ହେଲେ ବଦଳି ନାହିଁ ପରମ୍ପରା। ଯାହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ତୋଟାସାହି ସାବିତ୍ରୀ ପୀଠରେ। ଉନବିଂଶ ଶତାବ୍ଦୀରୁ ପୁରାତନ ପରମ୍ପରା ଅନୁସାରେ ଏଠାରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଓଡଙ୍ଗ ପଞ୍ଚାୟତରେ ତୋଟାସାହି ଗ୍ରାମ। ଏଠାରେ ମା ସାବିତ୍ରୀଙ୍କ ପୀଠ ସାବିତ୍ରୀ ଆଡି। ବର୍ଷ ବର୍ଷ ଧରି ଏଠାରେ ସତ୍ୟବାନ ଏବଂ ସାବିତ୍ରୀଙ୍କ ବିରଳ ମୂର୍ତ୍ତି ପୂଜା ପାଉଛନ୍ତି। ସର୍ବ ପୁରାତନ ଏହି ପୀଠରେ ମା ଙ୍କୁ ସ୍ଥାପନା କରାଯାଇ ନାହିଁ। ବରଂ ମା ଏଠାରେ ସଂୟ ଆବିର୍ଭାବ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି। ବର୍ଷକ ବାର ମାସ ଯାକ ମା ପୂଜା ପାଉଛନ୍ତି। ହେଲେ ସାବିତ୍ରୀ ବ୍ରତ ଦିନ ଏହି ପୀଠ ବେଶ ଚଳଚଞ୍ଚଳ ହୋଇଉଠେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ସାନିଧ୍ୟ ଲାଭ କରିଥାନ୍ତି। ଡାକୁଆ ଠାକୁରାଣୀ ଭାବେ ମା ବେଶ ପରିଚିତା। ସାବିତ୍ରୀ ବ୍ରତ ଦିନ ପୂଜାର୍ଚ୍ଚନା କଲେ ସ୍ବାମୀଙ୍କ ସହ ସପରିବାରର ଦିର୍ଘ ତଥା ନିରାମୟ ଜୀବନ ଅତିବାହିତ ହୋଇ ପାରିବ ବୋଲି ବିଶ୍ଵାସ ରହିଛି। ତେଣୁ ଏହି ଦିନକୁ ସଧବା ନାରୀ ମାନେ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ମାଙ୍କ ଅତି ପ୍ରିୟ ଭୋଗ ହେଉଛି ମୁଆଁ। ଏଥିସହ ୧୪ ପ୍ରକାର ଫଳ ପୁଷ୍ପ ଧରି ମାଙ୍କ ସାନିଧ୍ୟ ଲାଭ କରିଥାନ୍ତି। ପ୍ରବଳ ଖରାରେ ଭିଡ ସତ୍ତ୍ଵେ ଲମ୍ବା ଲାଇନରେ ରହି ଶ୍ରଦ୍ଧାଳୁ ଭକ୍ତ ମାନେ ଶୃଙ୍ଗଳିତ ସହ ମାଙ୍କ ଦର୍ଶନ କରିଥିବା ଚଳିତ ବର୍ଷ ଦେଖିବାକୁ ମିଳିଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ଶୋଡଶ ଉପଚାର ପୂଜା ସହ ମା ଙ୍କର ପୂଜା ନୀତି ଆରମ୍ଭ ହୋଇଥିଲା। ଏହି ପୂଜାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର କମିଟି ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରା ଯାଇଛି। ସ୍ବୟଂ ଆବିର୍ଭୂତ ସତ୍ୟବାନ ଏବଂ ସାବିତ୍ରୀଙ୍କ ବିରଳ ଯୁଗଳ ମୂର୍ତ୍ତିର ଏହି ପୀଠ ବ୍ୟତିତ ଅନ୍ୟତ୍ର ବିରଳ। ତେବେ ଏହି ବହୁ ପୁରାତନ ପୀଠର ଭିତ୍ତିଭୂମି ବିକାଶ କରିବା ସହିତ ଏହାକୁ ଏକ ତୀର୍ଥ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।  ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।