କବି ଜୟକୃଷ୍ଣ ସାମଲଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା।

206

କଟକ (ଉତ୍କଳ ନ୍ୟୁଜ ) ୧୯-୦୫-୨୦୨୩ : କବି ଜୟକୃଷ୍ଣ ସାମଲଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି।ଚାରିଦଶନ୍ଧିରୁ ଉର୍ଦ୍ଧ୍ବକାଳ ଧରି ଓଡ଼ିଆ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟକୁ ସମୃଦ୍ଧ କରିଥିବା ଜଣେ ଯଶସ୍ବୀ ପ୍ରତିଭା ହେଲେ ଜୟକୃଷ୍ଣ ସାମଲ। ୧୯୪୩ ଅକ୍ଟୋବର ୧୫ ତାରିଖରେ ଭଦ୍ରକ ଜିଲ୍ଲାର ବୋଡ଼କ (ବଢ଼େଇ ଗଡ଼ିଆ) ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। କୋଠାର ହାଇସ୍କୁଲରେ ଅଧ୍ୟୟନ ସମୟରୁ ତାଙ୍କର ଲେଖାଲେଖିରେ ଗଭୀର ଅନୁରକ୍ତି ପ୍ରକାଶ ପାଇଥିଲା। ରାଜଧାନୀ ବିଜେବି କଲେଜରେ ଅଧ୍ୟୟନ ସମୟରେ ହିଁ ତାଙ୍କ ପ୍ରତିଭାର ଉତ୍ତରଣ ଘଟିଲା । ଏଯାବତ୍ ତାଙ୍କର ଛଅଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସିକା ଓ ୧୯ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇଛି। ଏତଦ୍ଭିନ୍ନ ତାଙ୍କର ବିଭିନ୍ନ ସ୍ବାଦର ଲେଖା ଯଥା- ଆମ ନଦୀ ଆମ ଜୀବନ, ଆମ ବୃକ୍ଷ ସମ୍ପାଦ ଓ ସମୟ ସ୍ରୋତରେ ଓଡ଼ିଶାର ନଦୀ, ଇଂରାଜୀ ଲେଖା Picturesque Utkal ଇତ୍ୟାଦି ପ୍ରକାଶିତ ହୋଇ ଜନାଦୃତ ହୋଇଛି। ଏଥିସହିତ ଶ୍ରୀ ସାମଲ ଜଣେ ସୌଖୀନ କଳାକାର ଓ ସୁସଂଗଠକ ଭାବେ ସୁପରିଚିତ। ମହାତ୍ମାଗାନ୍ଧୀ ସାଂସ୍କୃତିକ ଅନୁଷ୍ଠାନ, ଜନକଲ୍ୟାଣ ଯୁବକ ସଂଘ, ଚୈତକ, ଓଡ଼ିଶା ଲେଖକ ସାମ୍ମୁଖ୍ୟ, ଭୁବନେଶ୍ଵର ସାହିତ୍ୟ ସମାଜ, ମିଳନୀ, ଓଡ଼ିଶା ଲେଖକ ସମବାୟ ସମିତି, ବକ୍ସି ଜଗବନ୍ଧୁ ସାଂସ୍କୃତିକ ପରିଷଦ, ମୈତ୍ରୀ ସାଂସ୍କୃତିକ ପରିଷଦ, ରାଜଧାନୀ କଳା ସଂସଦ ପ୍ରଭୃତି ସଂଗଠନ ସହ ସେ ଓତଃପ୍ରୋତ ସମ୍ପୃକ୍ତ ଥିବା ସହ ବହୁ ମର୍ଯ୍ୟାଦାଜନକ ଅନୁଷ୍ଠାନରୁ ସାରସ୍ବତ ସମ୍ମାନ ଓ ସ୍ବୀକୃତି ଲାଭ କରିଛନ୍ତି। ୨୦୨୧ ବର୍ଷ ପାଇଁ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବରିଷ୍ଠ ସାରସ୍ବତ ସାଧକ ସମ୍ମାନ ପ୍ରଦାନ କରାଯିବା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ସାହିତ୍ୟ ଜଗତରେ ମତପ୍ରକାଶ ପାଇଛି। ସମ୍ମାନ ସ୍ବରୂପ ଏକାଡେମୀ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ ଜରିଆରେ ତାଙ୍କୁ ଏକଲକ୍ଷ ଟଙ୍କା, ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |