ପୋଖରୀ ଶୁଖାଇ ମାଛ ଧରି ନେଇଥିବା ଅଭିଯୋଗ।

167

କଟକ (ଉତ୍କଳ ନ୍ୟୁଜ ) ୧୬-୦୫-୨୦୨୩: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଅଚକ ପଞ୍ଚାୟତ ଅଚକ ଗ୍ରାମରେ ଥିବା ଗୋଚର ଜମିରେ ଥିବା ଏକ ପୋଖରୀ ଶୁଖାଇ ମାଛ ଧରିନେଇଥିବା ସମ୍ପର୍କରେ ଥାନା ଲିଖିତ ଅଭିଯୋଗ କରାଯାଇଛି । ଏ ନେଇ ପୂର୍ଣ୍ଣଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ଭୋଇ, ତରୁଣ କୁମାର ଭୋଇ, ଭାଗିରଥି ଭୋଇ, ମାନସ ସାହୁ, ସୀତାରାଣୀ ପୁହାଣ ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟାଙ୍କୁ ଏ ନେଇ ମଧ୍ୟ ଅବଗତ କରାଇଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ, ପୋଖରୀ ଶୁଖାଇ ଜନୈକ ବ୍ୟକ୍ତି କିଛି ବ୍ୟକ୍ତିଙ୍କୁ ନିୟୋଜିତ କରି ମାଛ ଧରି ନେଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳର ପଶୁପକ୍ଷୀମାନେ ପାଣି ଠୋପେ ନପାଇ ଡହଳ ବିକଳ ହେଉଛନ୍ତି । ପ୍ରକାଶ ଯେ, ଏହି ପୋଖରୀ ସରକାରଙ୍କ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅର୍ଥରେ ଖୋଳା ଯାଇଥିଲା । ଏନେଇ ସରପଞ୍ଚଙ୍କ କହିବା ଅନୁଯାୟୀ ସଂପୃକ୍ତ ପୋଖରୀ ମାଛ ଚାଷ ପାଇଁ ନିଲାମରେ ଦେବା ପାଇଁ ପଞ୍ଚାୟତରେ ମଧ୍ୟ ରିଜୋଲୁସନ ହୋଇସାରିଥିବା ବେଳେ ଏପରି ଭାବେ ପୋଖରୀକୁ ଶୁଖାଇ ମାଛ ନେଇଯିବା ଦୁର୍ଭାଗ୍ୟପୂର୍ଣ୍ଣ । ଏଠାରେ ସୂଚାଇ ଦିଆଯାଇପାରେ ଯେ ମନରେଗା ଯୋଜନାରେ ବିଭିନ୍ନ ପଞ୍ଚାୟତରେ ଶହଶହ ପୋଖରୀ ଖନନ ବା ନବୀକରଣ କରାଯାଉଛି । ତେବେ ଏହି ପୋଖରୀକୁ ପଞ୍ଚାୟତ ରେକର୍ଡ଼ଭୁକ୍ତ କରାଯାଉନଥିବାରୁ କିଛି ବ୍ୟକ୍ତି ଏହାର ଫାଇଦା ନେବାରେ ଲାଗିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ