ଉଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ରାୟ, ସପକ୍ଷରେ ଯାଇଥିବା ପୂଜା କମିଟି ଆୟୋଜନ କରିବ ରୁଦ୍ର ମହାଯଜ୍ଞ।

253

କଟକ (ଉତ୍କଳ ନ୍ୟୁଜ ) ୧୫-୦୫-୨୦୨୩ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୌଲତପୁର ପଞ୍ଚାୟତ ଅଧୀନ ପୀରହାଟ ବଜାରରେ ଥିବା ଶ୍ରୀଶ୍ରୀ ବାସନ୍ତୀ ଠାକୁରାଣୀଙ୍କ ସର୍ବସାଧାରଣ ଯଜ୍ଞକୁଣ୍ଡ ଜମି ପୂର୍ବ ପରି ସର୍ବସାଧାରଣଙ୍କ ବ୍ୟବହାର ପାଇଁ କାଏମ ରଖିବାକୁ ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଏଥିସହ ସମସ୍ତ ନିମ୍ନ କୋର୍ଟର ରାୟକୁ ରଦ୍ଦ କରିଛନ୍ତି । ଏହି ରାୟ ପ୍ରକାଶ ପାଇବା ପରେ ମା’ବାସନ୍ତୀ ଠାକୁରାଣୀ ପୂଜା କମିଟିର ସଦସ୍ୟ ସଦସ୍ୟା ଓ ଶ୍ରଦ୍ଧାଳୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ପ୍ରକାଶ ଯେ, ତିହିଡ଼ି ତହସିଲ ମାଲପୁର ମୌଜାର ଉକ୍ତ ଜମିରେ ମା’ ବାସନ୍ତୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବିଧି ସହିତ ଯଜ୍ଞାଦି କାର୍ଯ୍ୟମାନ ୧୯୪୮ ମସିହା ଠାରୁ ଅନୁଷ୍ଠିତ ହୋଇ ଆସୁଥିଲା । ମାତ୍ର ଏହି ଜମିକୁ ଭଦ୍ରକର ଜନୈକ ବ୍ୟକ୍ତି ଚଞ୍ଚକତା ପୂର୍ବକ ଅନ୍ୟବ୍ୟକ୍ତିମାନଙ୍କୁ ବିକ୍ରି କରିଦେବା ପରେ ସେମାନେ ଜବରଦଖଲ କରିବାରୁ ବିବାଦ ଉପୁଜିଥିଲା । ଏହି ବିବାଦ ୧୯୮୬ ମସିହାରେ ତିହିଡ଼ି ତହସିଲ ଠାରୁ ଆରମ୍ଭ କରି ଭଦ୍ରକ ମୁନସଫ କୋର୍ଟ ଓ ଜିଲ୍ଲା ଜଜ୍‌କୋର୍ଟ ହୋଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପହଂଚିଥିଲା । ଦୀର୍ଘ ବର୍ଷର ଆଇନଗତ ଲଢ଼େଇ ପରେ ହାଇକୋର୍ଟ ତଳ କୋର୍ଟର ରାୟକୁ ରଦ୍ଧ କରି ଉକ୍ତ ବୃତ୍ତିକୁ ପୂର୍ବପରି ସର୍ବସାଧାରଣ ଯଜ୍ଞକୁଣ୍ଡ ବୃତ୍ତି ଭାବେ ଘୋଣା କରିଛନ୍ତି । ତେବେ ଏହି ଐତିହାସିକ ରାୟ ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ପୂଜା କମିଟି ଉକ୍ତ ସ୍ଥାନରେ ମା’ବାସନ୍ତୀ ଠାକୁରାଣୀଙ୍କ ରୁଦ୍ର ମହାଯଜ୍ଞର ଆୟୋଜନ କରାଯାଇଛି । ଏହି ଯଜ୍ଞ ଆସନ୍ତା ତା ୨୨.୫.୨୦୨୩ ତାରିଖ ରୁ ୨୪.୦୫.୨୦୨୩ ରିଖ ଶୀତଳଷଷ୍ଠୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏଥିରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ କର୍ମକର୍ତ୍ତାମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବାକୁ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏହି ଯଜ୍ଞର ଶେଷ ପୂର୍ଣ୍ଣାହୂତି ଦିନରେ ଦଳମତ ନିର୍ବିଶେଷରେ ସମସ୍ତ ଶ୍ରଦ୍ଧାଳୁ ପୁଷ୍ପାଞ୍ଜଳି ଦେବାର ବ୍ୟବସ୍ଥା କରାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।