ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ।

205

କଟକ (ଉତ୍କଳ ନ୍ୟୁଜ ) ୧୫-୦୫-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ପ୍ରବାହିତ ଗେଙ୍ଗୁଟି ନଦୀ ଆଉ ନିରାପଦ ନୁହେଁ । ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଜୀବନ ଜୀବିକା ପାଇଁ ଏହି ନଦୀ ଉପରେ ନିର୍ଭର କରିଆସୁ ଥିବାବେଳେ ଏହା ଏବେ ଅପହଞ୍ଚ ହୋଇ ଯାଇଛି । ନଦୀରେ ଏବେ କୁମ୍ଭୀର ଘୂରି ବୁଲିବା ଫଳରେ ନଦୀ କୂଳିଆ ଗ୍ରାମବାସୀଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇଛି । ବାସନକୁସନ ମାଜିବା ଠାରୁ ଗାଧୋଇବା, ଗୋରୁ ଗାଈ ପାଣି ପିଇବା, ମାଛ ଧରି ଜୀବିକା ନିର୍ବାହ କରିବା ଆଦି ସବୁ କାର୍ଯ୍ୟ ପାଇଁ ନଦୀ ବ୍ୟବହାରରେ ଲାଗିଥାଏ । ନଦୀକୁ ବାଦ ଦେଇ ଏହି ଅଞ୍ଚଳର ପ୍ରଗତୀ ଭାବିବା ସମ୍ଭବ ନୁହେଁ । ଏପରି କ୍ଷେତ୍ରରେ ନଦୀରେ କୁମ୍ଭୀର ଗୁଡ଼ିକ ଘୂରି ବୁଲିବା ଫଳରେ ଲୋକେ ନଦୀକୁ ଯିବାକୁ ଭୟ କରୁଛନ୍ତି । ଗୋରୁଗାଈଙ୍କୁ ଆକଟ କରିବା ସମ୍ଭବ ହେଉନଥିବାରୁ ସେମାନେ କୁମ୍ଭୀର ଆକ୍ରମଣର ଶିକାର ହେବା ଭୟ ସବୁବେଳେ ରହିଛି । ପୂର୍ବରୁ ବହୁ ଘଟଣା ଘଟିଛି ଯେଉଁଥିରେ ମଣିଷ ଓ ପଶୁଙ୍କ ଜୀବନ ଯାଇଛି । ତେବେ ବନ୍ୟପ୍ରାଣୀ ବିଭାଗ ତରଫରୁ ସମୟେ ସମୟେ ସଚେତନା କାର୍ଯ୍ୟକ୍ରମ ହେଉଥିଲେ ହେଁ ନଦୀକୁ ବାଦ ଦେଇ ଏଠାରେ ଜୀବନ ବିତାଇବା ସମ୍ଭବ ନୁହେଁ। ନଦୀକୁ ପୂର୍ବରୁ ନିଲାମ କରାଯାଇ ସ୍ଥାନୀୟ ଅନୁଷ୍ଠାନର ଆର୍ଥିକ ଆବଶ୍ୟକତା ପୂରଣ କରାଯାଇପାରୁଥିଲା । ସଂପ୍ରତି କୁମ୍ଭୀରଙ୍କ ପାଇଁ ଲୋକେ ନିଲାମ ନେବାକୁ ମଧ୍ୟ ଭୟ କରୁଛନ୍ତି । ଗେଙ୍ଗୁଟି ନଦୀ ବହୁ ଅଞ୍ଚଳ ଦେଇ ଗତି କରିଛି ଓ ଏହା ଉପରେ ଶହଶହ ଗ୍ରାମର ଅଧିବାସୀ ନିର୍ଭର କରୁଛନ୍ତି । ନଦୀର ଯେଉଁ ଯେଉଁ ସ୍ଥାନରେ ଲୋକେ ପାଣି ବ୍ୟବହାର କରୁଛନ୍ତି ସେଠାରେ ତାର ଜାଲି ବା ଜାଲ ଇତ୍ୟାଦି ବନ୍ୟବିଭାଗ ଲଗାଇବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗ୍ରାମର ସୁରେନ୍ଦ୍ର ନାୟକ । ‘ନଦୀ ଜୀବନ ଓ ସଂସ୍କୃତି ସହ ଏପରି ଓତୋଃପ୍ରୋତଃ ଭାବେ ମିଶି ଯାଇଛି ଯେ ଏହାକୁ ବାଦ ଦେଇ ହେବ ନାହିଁ । ସରକାର ପାଇପ ଓ ନଳକୂପ ମାଧ୍ୟମରେ ପାନୀୟ ଜଳ ଯୋଗାଉଥିଲେ ହେଁ ସର୍ବସାଧାରଣଙ୍କ ପାଇଁ ନଦୀ କିପରି ବିପଦମୁକ୍ତ ହୋଇ ପାରିବ ସେ ଦିଗରେ ସରକାର ଚିନ୍ତା କରନ୍ତୁ’ କହିଛନ୍ତି ଶ୍ୟାମସୁନ୍ଦରପୁର ତଳଦୁମୁକା ଗ୍ରାମର ସୁରେନ୍ଦ୍ର ନାୟକ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।