ଗ୍ରୀଷ୍ମର ସୃଷ୍ଟିସମ୍ଭାରରେ କୃଷ୍ଣଚୂଡ଼ା ତୋଳେ କଳାର ଚିତ୍ରଶାଳା, ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ କୃଷ୍ଣଚୂଡ଼ାର ହସ ସାରସ୍ୱତ ଉତ୍ସବ।

247

କଟକ (ଉତ୍କଳ ନ୍ୟୁଜ ) ୦୮-୦୫-୨୦୨୩ : ପ୍ରଚଣ୍ଡ ଉତ୍ତାପରେ ରଂଗର ପସରା ମେଲି ଫୁଲିଫୁଲି ହସେ କୃଷ୍ଣଚୂଡ଼ା। ଏହା କେବଳ କବିପ୍ରାଣକୁ ପୁଲକିତ କରେନାହିଁ, ଉଦ୍ଦାମ ଉତ୍ସାହ ବହନ କରି ଆମ ଚେତନାରେ ଭରେ ନୈସର୍ଗିକ ସୁଷମା । କୃଷ୍ଣଚୂଡ଼ା ଏକ ରଂଗ ନୁହେଁ, ଏହା ଉତ୍ସାହ, ଉଦ୍ଦୀପନା, ଚପଳତା ଓ ଚିରନ୍ତନତାର ସ୍ମାରକୀ । ଗ୍ରୀଷ୍ମର ସୃଷ୍ଟିସମ୍ଭାରରେ କୃଷ୍ଣଚୂଡ଼ା ତୋଳେ ଆଶ୍ୱସ୍ତିପୂର୍ଣ୍ଣ ଚିତ୍ରଶାଳା ବୋଲି ଭଦ୍ରକ ଜିଲ୍ଲା ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ କୃଷ୍ଣଚୂଡ଼ାର ହସ ଶୀର୍ଷକ ଗ୍ରୀଷ୍ମକବିତା ଓ ଆଲୋଚନା ଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ତିହିଡ଼ି ସଂଗୀତ ମହାବିଦ୍ୟାଳୟ ପରସରରେ ମଞ୍ଚର ଉପଦେଷ୍ଟା ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ବରେଣ୍ୟ ଅତିଥି ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସ, କୁପାରୀ ହରେକୃଷ୍ଣ ମହତାବ କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ଦତ୍ତାତ୍ରେୟ ଦାଶ ଓ ଶିଂଗାଖୁଣ୍ଟା ‘ନୀହାରକନ୍ୟା’ ସାହିତ୍ୟ ସଂଗଠନର ସମ୍ପାଦକ ସୁରଞ୍ଜନ ପାତ୍ର ଯୋଗଦେଇ କବିର ଭାବ ରାଜ୍ୟରେ କୃଷ୍ଣଚୂଡ଼ା ନୈସର୍ଗିକ ସୁଷମା ଭରିଦିଏ ବୋଲି ମତବ୍ୟକ୍ତ କରିଥିଲେ। ସଂଯୋଜକ ବିସ୍ମୟବିହାରୀ ସାହୁ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ ଆବାହକ ଯୁବଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁବକବି ପତିତପାବନ ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ କବିଶ୍ରୀ ଗୋଲୋକ ପ୍ରସାଦ ବୈୟାରୀ, ପ୍ରଦୀପ କୁମାର ମହାନ୍ତି, ନୀଳମାଧବ ସେନାପତି, ମନୋଜ ପାଣିଗ୍ରାହୀ, ବିପ୍ଳବ ରଞ୍ଜନ ପତି, ରବିକୁମାର ମହାନ୍ତି, ତପନ ହାତୀ, ଆଶୁତୋଷ କରଣ, ମୁକୁନ୍ଦ ଦେବ ନାୟକ, ପିତାମ୍ବର ସେଠୀ, ନିର୍ମଳ ଚନ୍ଦ୍ର ଦଳେଇ, ଭାଗିରଥୀ ଵଳ, ସୁକୁମାର ପଣ୍ଡା, ନନ୍ଦନ ମିଶ୍ର, ପ୍ରଦୀପ୍ତ ମହାନ୍ତି, ସୁରୁଚି ପ୍ରଭା ଦାସ, ରଞ୍ଜନ ନାୟକ, ଅବଦୁଲ ଦୟାନ, ମାମି ପାତ୍ର, ବିଜୟ ବେହେରା, ଅକ୍ଷୟ ଦାସ,ସୁବାସ ମହାନ୍ତି, ହିମାଦ୍ରୀ ରାଉତରାୟ, ପି. ହୃଷିକେଶ, ବାବୁରାମ ରାଉତ, ଶଶିକାନ୍ତ ବେହେରା, ଅଭୟ ଦାସ ରୀନାରାଣୀ ପାତ୍ର, ସୁଧାରଞ୍ଜନ ମହାନ୍ତି, ଜ୍ଞାନରଞ୍ଜନ ନାୟକ, ବିଶ୍ୱମୈତ୍ରୀ ନାୟକ, ସରୋଜ ଓଝା, ପୁଷ୍ପାଞ୍ଜଳି ତ୍ରିପାଠୀ, ସୁବାସ ଦାସ, ଜୟନ୍ତ କୁମାର ମହାନ୍ତି, ଭାସ୍କର ସେଠୀ, ମୁସ୍ତାକ ଗହ୍ୱର ଚିନ୍ମୟୀ ଚାନ୍ଦ, ନିରୁପମା ପାଣି ପ୍ରମୁଖ ସ୍ୱରଚିତ କବିତା ଓ ମିନିଗଳ୍ପ ପଠନ କରିଥିଲେ । କବି ଦେବେନ୍ଦ୍ରନାଥ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |