ମୁକୁନ୍ଦପୁର ମହିଳା ମହାସଂଘ ବିବାଦ ପ୍ରସଙ୍ଗ, ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ।

180

କଟକ(ଉତ୍କଳ ନିଉଜ)୧୯/0୪/୨୦୨୩ : ମୁକୁନ୍ଦପୁର ମହିଳା ମହାସଂଘ ବିବାଦ ପ୍ରସଙ୍ଗ, ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ।ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ମହିଳା ମହାସଂଘର କର୍ମକର୍ତ୍ତା ଚୟନକୁ ନେଇ ଚାଲିଛି ତୁମୁଳ ବିବାଦ । ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଏହି ବିବାଦ ସମ୍ପ୍ରତି ଉଗ୍ରରୂପ ନେବାରେ ଲାଗିଛି । ସୂଚନା ଅନୁଯାୟୀ, ଏହି ମହିଳା ମହାସଂଘର ପୁନର୍ଗଠନ ଲାଗି ଗତ ୭.୧୦.୨୦୨୨ ଏବଂ ୬.୧୧.୨୦୨୨ରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ବୈଠକରେ କର୍ମକର୍ତ୍ତା ଚୟନକୁ ନେଇ ବିବାଦ ଉପୁଜିଥିଲା । ଇତି ମଧ୍ୟରେ ଗୋଟିଏ ଗୋଷ୍ଠୀ ପ୍ରଥମ ବୈଠକରେ ମନୋନୀତ ହୋଇଥିବା ସଭାନେତ୍ରୀ ଓ ସମ୍ପାଦିକାଙ୍କ ସପକ୍ଷରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ସଫଳ ହୋଇଥିଲେ । ଅନ୍ୟପଟେ କାଗଜ ପତ୍ରରେ ଦ୍ୱିତୀୟ ବୈଠକରେ ମନୋନୀତ ହୋଇଥିବା ସଭାନେତ୍ରୀ ଓ ସମ୍ପାଦିକା ନିଜର କ୍ଷମତା ହାସଲ କରିବା ଲାଗି ହାଇକୋର୍ଟ ରାୟକୁ ମଧ୍ୟ ଚାଲେଞ୍ଜ କରିଛନ୍ତି । ଇତିମଧ୍ୟରେ ଗତ ସୋମବାର ଅପରାହ୍ନରେ ବ୍ଲକ ପରିସର ମଧ୍ୟରେ ବାକିଥିବା ତିନି ଜଣ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିବା ନେଇ ଅପର ଗୋଷ୍ଠୀ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୈଠକ ଚାଲୁଥିବା ସମୟରେ ସଭା ଗୃହରେ ଉପସ୍ଥିତ ଥିବା ଦ୍ୱିତୀୟ ପକ୍ଷର ତିନିଜଣ ମହିଳାଙ୍କୁ ବିଡିଓ ଦୁର୍ବ୍ୟବହାର କରିବା ସହିତ ଧକ୍କା ମାରି ବାହାରକୁ ବିଦା କରିଦେବା ଘଟଣା ଥାନା ପର୍ଯ୍ୟନ୍ତ କଥା ଯାଇଛି । ତେବେ ବିଡିଓଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅନ୍ୟ ଏକ ମହିଳା ଗୋଷ୍ଠୀ ସମ୍ବାଦାତା ସମ୍ମିଳନୀ ଜରିଆରେ ମିଥ୍ୟା ବୋଲି ସଫେଇ ଦେଇଛନ୍ତି । ଯାହାକୁ ନେଇ ଅପରପକ୍ଷ ମହିଳା ଗୋଷ୍ଠୀ ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ’ ବୋଲି ଆରୋପ କରିଛନ୍ତି । ଏହି ଘଟଣାରେ ବିଡିଓ ପକ୍ଷ ହୋଇଥିଲେ ହେଁ ସେ ନୀରବ ରହୁଥିବା ବେଳେ ତାଙ୍କ ପାଇଁ ଉକ୍ତ ମହିଳା ଗୋଷ୍ଠୀ ସଫେଇ ଦେବା ବିଡ଼ମ୍ବନା ବୋଲି ଅପରପକ୍ଷ ମହିଳା ଗୋଷ୍ଠୀର ମଧୁସ୍ମିତା ରାଉତ, ସବିତା ସାହୁ, ସାବିତ୍ରୀ ଦାସ, ସସ୍ମିତା ଦାସ, ମଞ୍ଜୁଲତା ସେଠୀ, ଗୀତାଞ୍ଜଳି ବିଶ୍ୱାଳ, ମାନସୀ ମହାଳିକ, ସବିତା ପାତ୍ର ଓ କାଞ୍ଚନ ମହାଳିକ କହିଛନ୍ତି । ତେବେ କର୍ମକର୍ତ୍ତା ଚୟନ ଓ ମହିଳାଙ୍କୁ ଧକ୍କା ମାରିବା ଘଟଣାକୁ ନେଇ ଏହି ଗୋଷ୍ଠୀ ବିଡିଓଙ୍କ ବିରୋଧରେ ଏହି ପକ୍ଷ ରାଜ୍ୟ ମହିଳା କମିଶନରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ମହିଳାମାନଙ୍କୁ ଅଗ୍ରାଧିକାର ଦେଉଥିବା ରାଜ୍ୟ ସରକାର ତିହିଡ଼ି ବିଡିଓଙ୍କ କାର୍ଯ୍ୟକଳାପ ବିରୋଧରେ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |