ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ, ଆକ୍ସନ ମୋଡ଼ରେ ପ୍ରଶାସନ।

201

କଟକ(ଉତ୍କଳ ନିଉଜ)୧୬/୦୪/୨୦୨୩ : ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ପରେ ଏବେ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ। ଘଟଣା ସ୍ଥଳରେ ଶାନ୍ତି ବଜାୟ ରଖିବା ପାଇଁ ଏପ୍ରିଲ ମାସ ୧୮ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ। ଭଦ୍ରକ ଜିଲ୍ଲା ଆପଣ୍ଡା ଛକର ୨୦୦ ମିଟର ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ରହିବ ବୋଲି ଜଣା ପଡିଛି। ଏହି ସୀମା ବିବାଦକୁ ନେଇ ଲଙ୍କା କାଣ୍ଡ ଘଟିବା ପରେ ଆପଣ୍ଡା ଛକରେ ପହଞ୍ଚିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଏଥିସହ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ ସେଠାରେ ଶାନ୍ତି ବଜାୟ ରଖିବାକୁ ଲୋକ ମାନଙ୍କୁ ପରାମର୍ଶ ଦେବା ସହ କ୍ଷତିପୂରଣ ଏବଂ ସୀମା ନିର୍ଦ୍ଧାରଣ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି। ପ୍ରକାଶ ଥାଉକି, ଭଦ୍ରକ - କେନ୍ଦୁଝର ଜିଲ୍ଲା ସୀମାନ୍ତ ୫୩ ନମ୍ବର ରାଜ୍ୟ ରାଜପଥର ଓରାଳୀ ଛକରେ କିଛିଦିନ ତଳେ ସୃଷ୍ଟି ହୋଇଥିବା ବିବାଦ ଗତ କଲି ଉଗ୍ରରୂପ ନେଇଥିଲା। ଯାହାକି ୧୦ରୁ ଉର୍ଦ୍ଧ୍ବ ଦୋକାନ ପୋଡିବା ସହ ଦୁଇଟି କାର ସହ ଅନେକ ବାଇକ ପୋଡି ଦେଇଥିଲେ ଦୁର୍ବୃତ୍ତ ମାନେ। ସୂଚନା ଅନୁଯାୟୀ, ଓରାଳି ଛକରେ କେନ୍ଦୁଝର ଜିଲ୍ଲାର ଓରାଳି ଏବଂ ଭଦ୍ରକ ଜିଲ୍ଲାର ଆପଣ୍ଡା ଗାଁ ଲୋକେ ମିଳିମିଶି ଦୋକାନ କରି ବ୍ୟବସାୟ କରିॐଆସୁଥିଲେ। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ଏଠାରେ ଏକ ସାଇନ ବୋର୍ଡ ଲଗା ଯାଇଥିଲା। ସେହି ସାଇନ ବୋର୍ଡରେ ଆପଣ୍ଡା ଜିରୋ କିଲୋମିଟର ଏବଂ ଓରାଳି ଏକ କିଲୋ ମିଟର ଲେଖାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଗତକାଲି ରାତିରେ ଆପଣ୍ଡା ଗାଁ ଲୋକେ ଛକ ଠାରେ ସାଇନ ବୋର୍ଡ ଲଗାଇବାକୁ ଉଦ୍ୟମ କରିବା ବେଳେ ଓରାଳି ଲୋକେ ପ୍ରତିବାଦ କରିବାରୁ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ଉଭୟ ପକ୍ଷରୁ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଲୋକେ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିବା ସହିତ ଉଭୟ ଉଭୟଙ୍କ ଦୋକାନ ଜାଳି ଦେଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଗଣ୍ଡଗୋଳ ଲାଗି ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲା ବୋଲି ଜଣାପଡିଛି। ଏହି ସମୟ ମଧ୍ୟରେ ଦୁଇଟି କାର, ଅନେକ ବାଇକ ସମେତ ଦୋକାନ ଘର ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ଏନେଇ ଖବର ପାଇ ହାଟଡିହି ଏବଂ ଅଗରପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟ ପକ୍ଷରେ ଘଟଣାର ଦୁଇ ଘଣ୍ଟା ପରେ ଭଦ୍ରକରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ସିଟି ଡିଏସପି, ଆଡିସିନାଲ ଏସପି ଏବଂ ବନ୍ତ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲା ର ନନ୍ଦିପଦା ଥାନା, ଘସିପୁରା ଏବଂ ଆନନ୍ଦପୁର ଥାନା ପୋଲିସ ସହ ଆନନ୍ଦପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଏହି ଘଟଣାରେ ଦୋଷୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ତଥା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କହିଛନ୍ତି। ତେବେ ଉତ୍ତେଜନାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ସେଠାରେ ବ୍ୟାପକ ପୋଲିସ ମୁତୟନ କରା ଯାଇଛି। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |