ଯୌତୁକ ପାଇଁ ବଧୂହତା ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ୍ ଦାବି |

213

କଟକ(ଉତ୍କଳ ନିଉଜ)୧୬/୦୪/୨୦୨୩ : ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଗୋରାମାଟି ଗ୍ରାମର ଜନୈକା ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୃତା ମହିଳାଙ୍କ ପରିବାର ତରଫରୁ ଦାବି କରାଯାଇଛି । ତିହିଡ଼ି ଥାନା ଅଧୀନ ଜିଝାରପୁର ଗ୍ରାମର ରବୀନ୍ଦ୍ର ମଳିକଙ୍କ ସ୍ତ୍ରୀ ଗୀତାରାଣୀ ମଳିକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ବିଶ୍ୱବିଜୟିନୀଙ୍କର ୨୦୧୮ ମସିହାରେ ଗୋରାମାଟି ଗ୍ରାମର ବାମନ ମଳିକଙ୍କ ପୁଅ ଦେବବ୍ରତଙ୍କ ସହ ବୈଦିକ ଋତିରେ ବିବାହ ହୋଇଥିଲା । ବାହାଘର ସମୟରେ ଦାବି ମୁତାବକ ୮୦ ହଜାର ଟଙ୍କା, ପୋଷାକ ବାବଦରେ ୨୦ ହଜାର ଟଙ୍କା, ବରକୁ ସୁନାହାର, ଦୁଇଗୋଟି ସୁନାମୁଦି ଓ ଝିଅର ସମସ୍ତ ଅଳଙ୍କାର ଓ ଆସବାବପତ୍ର ପ୍ରଦାନ କରାଯାଇଥିଲା । ବିବାହର କିଛି ଦିନ ଭଲରେ କଟିଥିଲା ଓ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା । ଏହାର କିଛି ଦିନ ପରେ ଅଧିକ ଏକ ଲକ୍ଷ ଟଙ୍କା ଯୌତୁକ ଦାବି କରି ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଶ୍ୱଶୁର ଘର ତରଫରୁ ଦିଆଯାଉଥିଲା । ମଝିରେ ମଝିରେ ଶ୍ୱଶୁର ଘର ଲୋକେ ଘରୁ ବାହାର ମଧ୍ୟ କରି ଦେଉଥିଲେ । ତେବେ ଏ ନେଇ ଗତ ଫେବୃୟାରୀ ମାସ ୮ ତାରିଖରେ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ମଧ୍ୟ ହୋଇଥିଲା । ମାତ୍ର ଚଳିତ ୫ ତାରିଖରେ ବିଶ୍ୱବିଜୟିନୀଙ୍କର ସ୍ୱାମୀ, ଶ୍ୱଶୁର, ଶାଶୂ, ଦୁଇ ନଣନ୍ଦ ମିଳିମିଶି ଯୋଜନାବଦ୍ଧ ଭାବରେ ତାକୁ ମାରି ଦେଇଥିବା ଗୀତାରାଣୀ ଅଭିଯୋଗ କରିଛନ୍ତି । ୬ ତାରିଖରେ ଜ୍ୱାଇଁ ବିଶ୍ୱବିଜୟିନୀଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଦିଲ୍ଲୀରେ ରହୁଥିବା ଶାଶୂଙ୍କୁ ଖବର ଦେଇଥିଲେ । ସେମାନେ ପହଁଞ୍ôଚବା ପର୍ଯ୍ୟନ୍ତ ମୃତ ଶରୀରକୁ ରଖିବାକୁ ଅନୁରୋଧ କରିଥିଲେ । ସେମାନେ କିନ୍ତୁ ଶବଦାହ କରି ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ସାବରଙ୍ଗ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲେ ହେଁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ନାହିଁ ବୋଲି ଅଭିଯୋଗ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |