ବିରୋଧି ଲୋକଙ୍କ ଟ୍ରାକ୍ଟରରେ ଜମି ହଳ କଲା ବୋଲି, ବଡ ଭାଇର ଆକ୍ରମଣରେ ସାନଭାଇ ଓ ଭାଇବୋହୁ ଗୁରୁତର |

455

କଟକ(ଉତ୍କଳ ନିଉଜ)୧୪/୦୯/୨୦୨୨ : ବିରୋଧି ଲୋକଙ୍କ ଟ୍ରାକ୍ଟରରେ ଜମି ହଳ କଲା ବୋଲି କ୍ରୋଧାନ୍ନିତ ହୋଇ ବଡ ଭାଇର ଜଘନ୍ୟ କାଣ୍ଡ । ଧାରୁଆ କତା (ମାରଣାସ୍ତ୍ର)ସାହାଯ୍ୟରେ ପ୍ରଥମେ ସାନ ଭାଇ ପରେ ଭାଇ ବୋହୁଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଏପରି ଅଘଟଣ ଭଦ୍ରକ ଜଲ୍ଲା ପୀରହାଟ ଥାନା ଜାମଯୋଡି ଅମୃତପୁର ଘାଁରେ ଘଟିଥିବା ଜଣାଯାଇଛି । ଏହି ଗାଁର ବଡ ଭାଇ ପେଜୁ ଓରଫ୍ ପ୍ରକାଶ ମହାନ୍ତି ନିଜ ସାନଭାଇ କୈଳାସ ଓ ଭାଇବୋହୁ କୁନ୍ତଳା ମହାନ୍ତିଙ୍କୁ ଅତି ନିର୍ମମଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଏତଲାରେ ଦର୍ଶାଯାଇଛି । ଭାଇବୋହୁ କୁନ୍ତଳା ମହାନ୍ତିଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ୧୫୧/୨୨, ଦଫା ୩୪୧, ୩୨୩, ୩୨୫, ୩୨୬, ୩୦୭, ୨୯୪, ୫୦୬ ଓ ୩୪ ରୁଜୁ କରାଯିବା ସହିତ ମୁଖ୍ୟ ଅଭିଯୁକ୍ତ ଭାଇ ପେଜୁ ଓରଫ୍ ପ୍ରକାଶ ମହାନ୍ତିଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ।

ତେବେ ପାରିବାରିକ କହଳ ଏପରି ଗଣ୍ଡଗୋଳ ସୃଷ୍ଟି ହୋଇଥିବା ଜଣାଯାଇଛି । ଏହି ଗାଁର ଭାଇ ପେଜୁ ଓରଫ୍ ପ୍ରକାଶ ମହାନ୍ତିଙ୍କ ବିରୋଧି ଲୋକଙ୍କ ସହିତ ସାନଭାଇର ଉତ୍ତମ ସମ୍ପର୍କ ରହିଥିବା ନେଇ ବିବାଦ ଦେଖା ଦେଇ ଆସୁଥିଲା । ଦୁଇଦିନ ତଳେ ସାନଭାଇ କୈଳାସ ସେହି ଗାଁର ପୂର୍ଣ୍ଣ ଖୁଣ୍ଟିଆଙ୍କ ଟ୍ରାକ୍ଟର ସାହାଯ୍ୟରେ ଜମିରେ ଜଳ କରିଥିଲା । ହଳ ଟଙ୍କା ଦେଇ ଘରକୁ ଫେରିବା ବେଳେ ଗତ ୧୨ ତାରିଖରେ ଘର ସାମନାରେ ବଡ ଭାଇ ପେଜୁ ଓରଫ୍ ପ୍ରକାଶ ମହାନ୍ତି ତାଙ୍କ ବିରୋଧି ଲୋକଙ୍କ ସହିତ ସମ୍ପର୍କ କ’ଣ ପାଇଁ ରଖିଛୁ ବୋଲି କହିବା ସହିତ ଏକ ଧାରୁଆ କତାରେ ଆକ୍ରମଣ କରିଥିଲା । ଏଥିସହ ପେଜୁ ଓରଫ୍ ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ସୋମଲତା ମହାନ୍ତି ମଧ୍ୟ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ବଞ୍ଚାଇବା ଲାଗି କୈଳାସଙ୍କ ସ୍ତ୍ରୀ କୁନ୍ତଳା ସାମନା ଗଲା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଏତଲାରେ ଦର୍ଶାଯାଇଛି । ଯାହାକୁ ନେଇ ପୋଲିସ ତଦନ୍ତ କରିବା ସହିତ ପ୍ରାଥମିକ ସ୍ତରରେ ଏପରି ପଦକ୍ଷେପ ନିଆଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିିଛି । ଏଠାରେ ସୂଚନା ଥାଉକି, ଗିରଫ୍ ଅଭିଯୁକ୍ତ ପେଜୁ ଓରଫ୍ ପ୍ରକାଶଙ୍କ ପୁଅ ଏକ ହତ୍ୟା ମାମଲାରେ ଜେଲରେ ବିଚରାଧିନ କଏଦୀ ଭାବେ ରହିଥିବା ଜଣାଯାଇଛି ।

ତେବେ ସାନଭାଇ କୈଳାସ ଗାଁର ପୂର୍ଣ୍ଣ ଖୁଣ୍ଟିଆଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ଓ ଜମିର ହଳ ପାଇଁ ତାଙ୍କ ଟ୍ରାକ୍ଟର ଭଡାରେ ଆଣିବା ଆଦି ଘଟଣା ଅଭିଯୁକ୍ତଙ୍କ ମୁଣ୍ଡ ଗୁଡୁମ୍ କରିଥିଲା । ଯାହାକୁ ନେଇ ମାତ୍ରାଧିକ କ୍ରୋଧନ୍ନିତ ହୋଇ ଏପରି ସାନଭାଇ ଓ ଭାଇବୋହୁଙ୍କୁ ମରଣାନ୍ତ ଆକ୍ରମଣ କରିଥିବା କୁହାଯାଇଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |